କେଉଁଠି ରହିଲା ସମସ୍ୟା! ନବୀନଙ୍କ ଚତୁର୍ଥ ପାଳିରେ ପାଠ ପଢ଼ିବାକୁ ବାଧ୍ୟ ହେଲେ ବିଧାୟକ

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ । ବିଧାୟକଙ୍କ ପାଠଶାଳା । ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ପାଠ ପଢ଼ିଲେ ବିଧାୟକମାନେ । ବିଧାନସଭାର କାର୍ଯ୍ୟବିଧି, କାର୍ଯ୍ୟ ପରିଚାଳନା, ନିୟମାବଳୀ ଉପରେ ପ୍ରଶିକ୍ଷଣ ଦିଆଯାଉଛି । ଏହି ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସଭା ଓ ବିଧାନସଭା ସଚିବାଳୟର ବରିଷ୍ଠ ଅଧିକାରୀମାନେ ବିଧାନସଭା ସଦସ୍ୟ ସଦସ୍ୟାଙ୍କୁ ତାଲିମ ଦେଉଛନ୍ତି । ଏଥିସହ ବିଧାନସଭାର ବରିଷ୍ଠ, ଅଭିଜ୍ଞ ବିଧାୟକ ଓ ମନ୍ତ୍ରୀଙ୍କ ସହ ଲୋକସଭା ସଚିବାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହୋଇଛନ୍ତି ।


ଏଥିରେ ଓଡ଼ିଶା ବିଧାନସଭାର ସମସ୍ତ ସଦସ୍ୟସଦସ୍ୟା ଯୋଗ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ମଧ୍ୟ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି । ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଧାୟକମାନେ ସରଳ ହେବା ସହ ଲୋକଙ୍କୁ ଉତ୍ତମ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ଗଣତନ୍ତ୍ରର ସଫଳତା ଲୋକଙ୍କ ଉପରେ ହିଁ ନିର୍ଭର କରେ । ତେଣୁ ଲୋକେ ଏକା ଗଣତନ୍ତ୍ରର ପ୍ରକୃତ ମାଷ୍ଟର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ନିର୍ବାଚିତ ପ୍ରତିନିଧିମାନେ ବୁଝିବା ସହ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାମ କରିବା ଆବଶ୍ୟକ ବୋଲି ନବୀନ କହିଛନ୍ତି ।
ତେବେ ଅନେକ ଥର ବିଧାୟକ, ମନ୍ତ୍ରୀ ହୋଇଥିବା ସଦସ୍ୟମାନେ ପୂର୍ବରୁ ବିଧାନସଭାର କାର୍ଯ୍ୟବିଧି, ନିୟମାବଳୀ ଓ କାର୍ଯ୍ୟ ପରିଚାଳନା ସଂପର୍କରେ ଅବଗତ ନ ଥିଲେ କି? ନବୀନଙ୍କ ଚତୁର୍ଥ ପାଳିରେ କଣ ସମସ୍ୟା ସୃଷ୍ଟି ହେଲା ଯେ, ବିଧାୟକ, ମନ୍ତ୍ରୀଙ୍କୁ ପାଠ ପଢ଼ିବାକୁ ପଡିଲା । ଏ ପ୍ରଶ୍ନ ସାଧାରଣରେ ଉଙ୍କି ମାରିବା ସ୍ୱାଭାବିକ । କାରଣ ଯୁକ୍ତ ଦୁଇ ପାସ କରିଥିବା ବିଧାୟକଙ୍କୁ ମନ୍ତ୍ରୀ ପଦ ଦିଆଯାଇଛି । ଏପରିକି ଅଷ୍ଟମ ପାସ କରିଥିବା ବିଧାୟକଙ୍କୁ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ଦିଆଯାଇଛି । ଏଭଳିି ବିଧାୟକମାନେ ବିଧାନସଭାର ନିୟମାବଳୀ, କାର୍ଯ୍ୟବିଧି ସଂପର୍କରେ କେତେ ପାରଂଗମ ଥିବେ ତାହା ସ୍ପଷ୍ଟ ବାରି ହୋଇ ପଡୁଛି । ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବା ନିହାତି ଜରୁରୀ ମନେ ହେଉଛି ।