ନବନୀତା ବ୍ୟୁରୋ । ଡୁସୁରେ ବାଜି ମାରିଲା ଏବିଭିପି । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଘୋଷିତ ହୋଇଛି । ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ଯୁଗ୍ମ ସଚିବ ପଦ କବଜା କରିଛି ଏବିଭିପି । ସେହିପରି ଏନଏସୟୁଆଇ ସଂପାଦକ ପଦବୀରେ ଜିତ ହାସଲ କରିଛି ।
ଶୁକ୍ରବାର ସକାଳୁ ଚାଲିଥିବା ଭୋଟ ଗଣତି ଅପରାହ୍ନ ପାଖାପାଖି ସାଢ଼େ ୩ଟାରେ ସଂପନ୍ନ ହୋଇଥିଲା । ଏହା ପରେ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା । ଏବିଭିପିର ଅକ୍ଷିତ ଦହିୟା ଅଧ୍ୟକ୍ଷ, ପ୍ରଦୀପ ତମ୍ବର ଉପାଧ୍ୟକ୍ଷ, ଶିବାଙ୍ଗୀ ଖରୱାଲ ଯୁଗ୍ମ ସଂପାଦକ ଓ ଏନଏସୟୁଆଇର ଆଶିଷ ଲାମବା ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି ।
ଛାତ୍ର ସଂଗଠନ ଏନଏସୟୁଆଇ, ଏବିଭିପି ଓ ଆଇସା ମଧ୍ୟରେ ତ୍ରିସ୍ତରୀୟ ମୁକାବିଲାରେ ମୋଟ ୩୯.୯ ପ୍ରତିଶତ ମତଦାନ ହୋଇଥିଲା । ସକାଳ ସମୟରେ ପାଖାପାଖି ୪୦ ପ୍ରତିଶତ ମତଦାନ ହୋଇଥିଲା । ଯାହା ଗତ ବର୍ଷର ନିର୍ବାଚନର ମତଦାନ ହାରରୁ ବହୁତ କମ୍ । ହେଲେ ସନ୍ଧ୍ୟା ସାଢ଼େ ୭ଟା ସମୟରେ ନିର୍ବାଚନ ସରିଥିଲା । ଫଳରେ ବିଳମ୍ବିତ ରାତ୍ରି ଯାଏ ସନ୍ଧ୍ୟା ସମୟରେ କେତେ ପ୍ରତିଶତ ମତଦାନ ହେଲା ତାହା ଘୋଷଣା କରାଯାଇନଥିଲା ।
ଡୁସୁ ନିର୍ବାଚନ ଲାଗି ମୋଟ ୫୨ଟି କଳେଜ ଓ ବିଭାଗରେ ମତଦାନ କେନ୍ଦ୍ର କରାଯାଇଥିଲା । ସୂଚନା ଅନୁସାରେ, ଶ୍ୟାମଲାଲ ଇଭିନିଂ କଲେଜରେ ୪୧ ପ୍ରତିଶତ, ଏଆରଏସଡିରେ ୪୮, ଦେଶବନ୍ଧୁରେ ୩୭.୪୪, ଭଗିନୀ ନିବେଦିତାରେ ୨୭, ଭେଙ୍କଟେଶ୍ୱର କଲେଜରେ ୩୨, ରାଜଧାନୀରେ ୪୩, ରାମାନୁଜନ କଲେଜରେ ୩୪ ଏବଂ ଅରବିନ୍ଦ କଳେଜରେ ପାଖାପାଖି ୩୩.୪ ପ୍ରତିଶତ ମଦତାନ ହୋଇଛି । ତେବେ ଚଳିତ ଥର ଲ ଫେକଲଟିରେ କମ ମତଦାନ ହୋଇଥିବା ସୂଚନା ମିଳିଛି ।
ଡୁସୁରେ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ଯୁଗ୍ମ ସଚିବ ହାତେଇଲା ଏବିଭିପି, ଏନଏସୟୁଆଇକୁ ସଂପାଦକ ପଦ
