ନବନୀତା ବ୍ୟୁରୋ । ବହୁ ପ୍ରତୀକ୍ଷିତ ଝାଡ଼ଖଣ୍ଡର ନୂଆ ବିଧାନସଭା ଭବନ ଉଦଘାଟିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରି ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଛନ୍ତି । ବାଚସ୍ପତି ଦିନେଶ ଓରାଂୱ, ରାଜ୍ୟପାଳ ଦୌପଦି ମୁର୍ମୁୁ ଓ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଉପସ୍ଥିତିରେ ବିଧାନସଭା ଭବନକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଅଲଗା ରାଜ୍ୟ ଗଠନ ହେବାର ୧୯ ବର୍ଷ ପରେ ଝାଡ଼ଖଣ୍ଡକୁ ନିଜର ବିଧାନସଭା ଭବନ ମିଳିଛି । ଏଥିସହ ସାହିବଗଂଜ ମଲଟି ମଡେଲ ଟର୍ମିନାଲର ମଧ୍ୟ ଉଦଘାଟନ କରିଛନ୍ତି ମୋଦି । ୩୦୦ କୋଟି ଟଙ୍କାରେ ନିର୍ମିତ ଏହି ଟର୍ମିନାଲକୁ ଦୁଇ ବର୍ଷ ପୂର୍ବେ ମୋଦି ଶିଳାନ୍ୟାସ କରିଥିଲେ । ଗୁରବାର ତାଙ୍କ ହାତରେ ସେହି ଟର୍ମିନାଲର ଶୁଭାରମ୍ଭ ହୋଇଛି ।
ଏହା ପରେ ଧୁର୍ବା ସ୍ଥିତ ପ୍ରଭାତ ତାରା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ତିନୋଟି ବଡ଼ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । କିସାନ ଜନଧନ, ଏକଲବ୍ୟ ମଡ଼େଲ ସ୍କୁଲ, ସ୍ୱରୋଜଗାର ପେନସନ ଯୋଜନାର ଉପହାର ରାଜ୍ୟବାସୀଙ୍କୁ ଦେଇଛନ୍ତି ମୋଦି । ଏଥିସହ ପ୍ରଧାନମନ୍ତ୍ରୀ ୧୨୩୮ କୋଟି ଟଙ୍କା ଅଟକଳରେ ନିର୍ମିତ ହେବାକୁ ଥିବା ସଚିବାଳୟ ଭବନର ମଧ୍ୟ ଶିଳାନ୍ୟାସ କରିଛନ୍ତି ।
ଏ ଅବସରରେ ମୋଦି ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ସାଧାରଣ ଜନତାଙ୍କୁ ଲୁଟ କରୁଥିବା ଲୋକଙ୍କୁ ସଠିକ ଜାଗାକୁ ପହଂଚାଯିବା ଆବଶ୍ୟକ । ତେଣୁ ଏ ଦିଗରେ ନୂଆ ସରକାର ତ୍ୱରିିତ ଭାବେ କାମ କରୁଥିବା ମୋଦି କହିଛନ୍ତି । ଏପରିକି କିଛି ଲୋକ ଭିତରକୁ ଯାଇଥିବା ବେଳେ ଆଉ କିଛି ବ୍ୟକ୍ତି ଲାଇନରେ ଅଛନ୍ତି । ଏ ଅବସରରେ ମୋଦି ଖୁସି ବ୍ୟକ୍ତ କରି କହିଛନ୍ତି ଯେ, ଝାଡ଼ଖଣ୍ଡର ୮ ଲକ୍ଷ ଚାଷୀଙ୍କ ଖାତାରେ ୨୫୦ କୋଟି ଟଙ୍କା ଜମା କରାଯାଇଛି ।
