ନାଲକୋକୁ ଜାତୀୟ ସିଏସଆର୍ ସମ୍ମାନ

ଓଡ଼ିଶାବ୍ୟବସାୟ

ନବନୀତା ବ୍ୟୁରୋ। ନବରତ୍ନ କମ୍ପାନୀ ନାଲକୋକୁ ମିଳିଲା ଜାତୀୟ ସିଏସ୍ଆର୍ ସମ୍ମାନ। ନାଲକୋର ଅଳିଅଳି ଭଳି କାର୍ଯ୍ୟକ୍ରମ ତଥା ସାମାଜିକ ଦାୟିତ୍ୱବୋଧ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଏହି ସମ୍ମାନାସ୍ପଦ ସମ୍ମାନ ମିଳିଛି। ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି। ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍, ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥ ଓ କର୍ପୋରେଟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର ଉପସ୍ଥିତ ଥିଲେ। ଏ ଅବସରରେ ନାଲକୋ ନିର୍ଦ୍ଦେଶକ ( ମାନବ ସମ୍ବଳ) ବସନ୍ତ କୁମାର ଠାକୁର ମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।

ଏ ସଫଳତା ପାଇଁ ନାଲକୋ ସିଏମଡି ଡ. ତପନ କୁମାର ଚାନ୍ଦ୍ ଅଭିନନ୍ଦନ ଜଣାଇଛନ୍ତି। ୨୦୧୫ରେ ଆରମ୍ଭ ହୋଇଥିବା ଅଳିଅଳି ଝିଅ କାର୍ଯ୍ୟକ୍ରମ ଆଜି ଜାତୀୟ ସ୍ତରରେ ସ୍ବୀକୃତି ପାଇଥିବାରୁ ଏହା କଂପାନୀ ପାଇଁ ଗୌରବର କଥା। ଅଳିଅଳି ଝିଅ କାର୍ଯ୍ୟକ୍ରମ ବାଳିକାମାନଙ୍କ ଶିକ୍ଷା ଓ ମହିଳା ସଶସ୍ତିକରଣ ପାଇଁ ଏକ ଅଭିନବ ପ୍ରୟାସ। ଏଥିପାଇଁ ନାଲକୋ ଓ ନାଲକୋ ଫାଉଣ୍ଡେସନର ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସିଏମଡି।

ସୂଚନାଯୋଗ୍ୟ ଯେ, ଅନୁଗୋଳ ଓ ଦାମନଯୋଡି ଅଞ୍ଚଳର ୬୬ ଟି ଗାଁର ୪୧୬ ଜଣ ଛାତ୍ରୀଙ୍କୁ ୪୫ ବିଦ୍ୟାଳୟରେ ଅଳିଅଳି ଝିଅ ଭାବେ ଗ୍ରହଣ କରି ସହାୟତା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ଅଧୀନରେ ନାଲକୋର ଅଳିଅଳି ଝିଅ ଯୋଜନା ଆରମ୍ଭ ହୋଇଥିଲା। ଏହାଦ୍ବାରା ଓଡ଼ିଶାର ଦରିଦ୍ର ପରିବାରର ଛାତ୍ରୀ ଓ ନାଲକୋ ପାରିପାର୍ଶ୍ବିକ ଗାଁର ବାଳିକାମାନେ ଫାଇଦା ପାଇବା ପାଇଁ ଉଦ୍ୟମ କରାଯାଉଛି। ତେବେ ନାଲକୋ ଏହି ଯୋଜନାକୁ ସମଗ୍ର ଭାରତରେ ପ୍ରସାରିତ କରିବାକୁ ଲକ୍ଷ୍ୟ ରଖିଛି।