ଖବର ପ୍ରକାଶ ପରେ ଚେତିଲା ପ୍ରଶାସନ: କଶ୍ରୁପାଲି ଓ ବନ୍ଦନାକଟାରେ ଆରମ୍ଭ ହେଲା ରନ୍ଧା ଖାଦ୍ୟ

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ, ଭୁବନେଶ୍ୱର। ରନ୍ଧା ଖାଦ୍ୟ ବ୍ୟବସ୍ଥାରୁ କଶ୍ରୁପାଲି ଓ ବନ୍ଦନାକଟା ଗାଁ ଲୋକେ ବାଦ୍ ପଡିବା ଖବର ପ୍ରକାଶ ପରେ ପ୍ରଶାସନର ଚେତା ପଡିଲା। ସଙ୍ଗେ ସଙ୍ଗେ ଉଭୟ ଗାଁରେ ରନ୍ଧା ଖାଦ୍ୟ ଆରମ୍ଭ କରି ଗରିବ, ବେସାହାରା ଲୋକଙ୍କୁ ଖାଦ୍ୟ ଦିଆ ଯାଇଛି। ଏସଏଚଜି ପକ୍ଷରୁ ବନ୍ଦନାକଟା ଗାଁରେ ୫୦ ଓ କଶ୍ରୁପାଲି ଗାଁରେ ୨୦ ଜଣଙ୍କ ପାଇଁ ଖାଦ୍ୟ ରନ୍ଧା ଯାଉଛି। ତେବେ ପୂର୍ବରୁ ବିଲାଇସର୍ଡାରେ ୧୬୩ ଜଣଙ୍କ ପାଇଁ ରନ୍ଧା ଯାଉଥିବା ଖାଦ୍ୟ ଏବେ ପ୍ରାୟ ୨୦୦ କୁ ପହଞ୍ଚିଲାଣି।
ମହାମାରୀ କରୋନା ଯୋଗୁଁ ଲକଡାଉନରେ ଗରିବ ଲୋକମାନଙ୍କୁ ଖାଦ୍ୟ ଯୋଗାଇବାକୁ ପ୍ରତି ପଞ୍ଚାୟତରେ ରନ୍ଧା ଖାଦ୍ୟର ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ଗତ ମାସ ୨୮ ତାରିଖରେ ଘୋଷଣା କରିଥିଲେ। ହେଲେ ଇଓଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଗରିବ ଲୋକେ ଘୋଷଣର ୬ ଦିନ ପରେ ରନ୍ଧା ଖାଦ୍ୟ ପାଇଥିଲେ। ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲାଇସର୍ଡ଼ା ପଞ୍ଚାୟତର ବିଲାଇସର୍ଡା ଗାଁରେ ରନ୍ଧା ଖାଦ୍ୟ ଆରମ୍ଭ ହୋଇଥିଲେ ବି କଶ୍ରୁପାଲି ଓ ବନ୍ଦନାକଟା ଗାଁର ଲୋକେ ଏଥିରୁ ବାଦ୍ ପଡ଼ିଥିଲେ। ଏନେଇ ଗତ ୫ ତାରିଖରେ ନବନୀତା ପୋର୍ଟାଲରେ ଖବର ପ୍ରକାଶିତ ହୋଇଥିଲା। ଏହାପରେ ପ୍ରଶାସନ ତତ୍ପରତା ପ୍ରକାଶ କରି ଉଭୟ କଶ୍ରୁପାଲି ଓ ବନ୍ଦନାକଟା ଗାଁରେ ରନ୍ଧା ଖାଦ୍ୟ ଆରମ୍ଭ ହୋଇଥିଲା।

ହେଲେ ଇଓଙ୍କ ଅବହେଳା ଓ ମନମୁଖୀ କାର୍ଯ୍ୟ ଯୋଗୁଁ ଗରିବ ଲୋକଙ୍କ ତାଲିକା କରିବାରେ ଗୋଟିଏ ସପ୍ତାହ ଲାଗି ଯାଇଥିଲା। କେବଳ ଏତିକି ନୁହେଁ, ଲୋକଙ୍କୁ ରନ୍ଧା ଖାଦ୍ୟ ପରିବର୍ତ୍ତେ ଚାଉଳ ଡାଲି ଦିଆଯିବାରୁ ଲୋକେ ଏହାର ପ୍ରତିବାଦ କରିଥିଲେ। ରନ୍ଧା ଖାଦ୍ୟ ଦେବା ଦାବିରେ ଲୋକେ ପଞ୍ଚାୟତରେ ପ୍ରତିବାଦ କରିଥିଲେ। ଏହାପରେ ଗତ ଶୁକ୍ରବାର ୧୬୩ ଜଣଙ୍କ ପାଇଁ ଖାଦ୍ୟ ରାନ୍ଧି ଦିଆଯାଇଥିଲା। ତେବେ ଏହି ସମସ୍ତ ଲୋକ କେବଳ ବିଲାଇସର୍ଡା ଗାଁର ହୋଇଥିବାରୁ କଶ୍ରୁପାଲି ଓ ବନ୍ଦନାକଟା ଗାଁର ଗରିବ ଲୋକେ ଏଥିରୁ ବାଦ ପଡିଥିଲେ।
ହେଲେ ଆଜିଯାଏଁ ପଞ୍ଚାୟତର ରାସନ୍ ହିତାଧିକାରୀ ୩ ମାସର ଚାଉଳ ଓ ହଜାରେ ଟଙ୍କା ପାଇ ନାହାନ୍ତି। ବନ୍ଦନାକଟା ଗାଁର ହିତାଧିକାରୀଙ୍କୁ ହଜାରେ ଟଙ୍କା ଲେଖାଏଁ ଦିଆଯାଇ ଥିବା ବେଳେ ବିଲାଇସର୍ଡା ଗାଁର କେବଳ ଗୋଟିଏ ପଡାର ହିତାଧିକାରୀଙ୍କୁ ଚାଉଳ ଦିଆଯାଇଛି।

ଏନେଇ ପଂଚାୟତର ଇଓ ଫକୀର ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।