ନବନୀତା ବ୍ୟୁରୋ। କରୋନା ଯୋଗୁଁ ସାରା ଦେଶରେ ଜାରି ରହିଥିବା ୨୧ ଦିନିଆ ଲକ୍ ଡାଉନ୍ ଏପ୍ରିଲ ୧୪ରେ ସରୁଛି। ହେଲେ ଏହି ଲକ୍ ଡାଉନ୍ ହଟିବ ନା ଆହୁରି ବଢିବ ସେନେଇ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିବେ ମୋଦୀ। ଏପ୍ରିଲ ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିବେ। ରାଜ୍ୟର ଲକ୍ ଡାଉନ୍ ସ୍ଥିତି ସମ୍ପର୍କରେ ମତାମତ ନେବା ସହ ଲକ୍ ଡାଉନ୍ ହଟାଇବା ସମ୍ପର୍କିତ ନିର୍ଦ୍ଦେଶ ଦେଇ ପାରନ୍ତି। କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ସମଗ୍ର ଦେଶରେ ୨୧ ଦିନିଆ ଲକ୍ ଡାଉନ୍ କରାଯାଇଛି। ଯାହାର ଅବଧି ଏପ୍ରିଲ ୧୪ ତାରିଖରେ ସମାପ୍ତ ହେବାକୁ ଯାଉଛି।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିରୋଧୀ ନେତା ଓ ରାଜ୍ୟର ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସ କରିଥିଲେ। ଏ ଅବସରରେ ପ୍ରଧାନମନ୍ତ୍ରୀ ଇଶାରା ଦେଇଥିଲେ ଯେ ସଂକ୍ରମଣ ରୋକିବା ଲାଗି ଦେଶରେ ଲକ୍ ଡାଉନ୍ ୧୪ ଏପ୍ରିଲ ପରେ ମଧ୍ୟ ଜାରି ରହି ପାରେ। ବୈଠକରେ ସାମିଲ୍ ହୋଇଥିବା ବିଜେଡ଼ି ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ, ୧୪ ଏପ୍ରିଲରେ ଲକ୍ ଡାଉନ୍ ଏକା ସମୟରେ ହଟିବ ନାହିଁ। ଏନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିବା ସେ କହିଛନ୍ତି।
ବୈଠକରେ ନେତାମାନେ ପ୍ରଧାନମନ୍ତ୍ରୀଙ୍କ ଆଗରେ ୫ ଟି ଦାବି ରଖିଥିଲେ। କରୋନା ଟେଷ୍ଟ ଫ୍ରି,ରାଜ୍ୟକୁ ବକେୟା ପ୍ରଦାନ, ରିଲିଫ୍ ପ୍ୟାକେଜରେ ଜିଡିପି ଏକ ପ୍ରତିଶତରୁ ପାଞ୍ଚ ପ୍ରତିଶତକୁ ବୃଦ୍ଧି କରିବା, ଏଫ୍ଆରବିଏମ୍ ରାଜକୋଷ ସୀମା ୩ରୁ ୫ ପ୍ରତିଶତକୁ ବୃଦ୍ଧି ଓ ପିପିଇ ସମେତ ସବୁ ମେଡିକାଲ୍ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଦାବି କରିଥିଲେ।
ଗତ ମାର୍ଚ୍ଚ ୨୫ ତାରିଖରେ ଦେଶ ସାରା ଲକ୍ ଡାଉନ୍ ପରେ ବିରୋଧୀ ସହ ପ୍ରମୁଖ ନେତାଙ୍କ ସହ ପ୍ରଧାନମନ୍ତ୍ରୀ ପ୍ରଥମ କରି କଥାବାର୍ତ୍ତା ହୋଇଥିଲେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଏନେଇ ଏପ୍ରିଲ ଦୁଇ ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହା ବ୍ୟତୀତ ଡାକ୍ତର, ସାମ୍ବାଦିକ, ବିଶେଷଜ୍ଞ ପ୍ରମୁଖ ସହ ଆଲୋଚନା କରିଥିଲେ।
ଲକ୍ ଡାଉନ୍ ସସ୍ପେନସ: ୧୧ରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସ କରିବେ ମୋଦୀ
