ନୀତି ଆୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ର: ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ

ଓଡ଼ିଶାଦେଶ ଓ ବିଦେଶରାଜନୀତି

ଦିଲ୍ଲୀ/ଭୁବନେଶ୍ୱର: ନୂଆ ସରକାର ଗଠନ ହେବା ପରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ପ୍ରଥମ ନୀତି ଆୟୋଗ ବୈଠକ ଅନୁଷ୍ଠିତ ହୋଇଛି । ରାଷ୍ଟ୍ରପତି ଭବନରେ ଆୟୋଜିତ ନୀତି ଆୟୋଗର ଏହା ହେଉଛି ପଂଚମ ସାଧାରଣ ପରିଷଦ ବୈଠକ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ମନ୍ତ୍ର ଦେଇଛନ୍ତି । ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସ ମନ୍ତ୍ର ଦେଇଛନ୍ତି ମୋଦି । ଏଥିରେ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳ ସାମିଲ ହୋଇଛନ୍ତି । ହେଲେ ବୈଠକରେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଓ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ସାମିଲ ହୋଇ ନାହାନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧାନ ସହ ନୀତି ଆୟୋଗ ସଂଚାଳନ ପରିଷଦ ବୈଠକ ଆରମ୍ଭ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ମନ୍ତ୍ର ପୂରଣ କରିବାରେ ନୀତି ଆୟୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ । ୨୦୨୪ ତକ ଭାରତକୁ ୫ ହଜାର ଅରବ ଡଲାରର ଅର୍ଥବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରହିଛି । ଏଥିପାଇଁ ସମସ୍ତ ରାଜ୍ୟର ଉଦ୍ୟମରେ ଏହା ହାସଲ କରାଯାଇ ପାରିବ ବୋଲି ମୋଦି କହିଛନ୍ତି ।
ବୈଠକରେ ମରୁଡ଼ି,ଚାଷ ସଂପର୍କିତ ସମସ୍ୟା, ବର୍ଷା ଜଳ ସଂରକ୍ଷଣ, ଖରିପ ଚାଷ ଓ ନକ୍ସଲ ପ୍ରଭାବିତ ରାଜ୍ୟମାନଙ୍କ ବାବଦରେ ବିସ୍ତୃତ ଆଲୋଚନା କରାଯିବ ।
ଗତ ୨୦୧୫ ଫେବୃୟାରୀ ୮ ତାରିଖରେ ନୀତି ଆୟୋଗର ପ୍ରଥମ ବୈଠକ ବସିଥିଲା । ଦ୍ୱିତୀୟ ବୈଠକ ୨୦୧୫, ଜୁଲାଇ ୧. ତୃତୀୟ ବୈଠକ ୨୦୧୭ ଏପ୍ରିଲ ୨୩ ଓ ଚତୁର୍ଥ ବୈଠକ ଗତବର୍ଷ ଜୁନ ୧୭ ତାରିଖରେ ବସିଥିଲା । ୨୦୧୪ରେ ୋମଦି ସରକାରକୁ ଆସିବା ପରେ ପୂର୍ବରୁ ଥିବା ଯୋଜନା କମିଶନକୁ ନବୀକରଣ କରି ନୀତି ଆୟୋଗ ଗଠନ କରାଯାଇଛି ।