ଦିଲ୍ଲୀ/ ଭୁବନେଶ୍ୱର: ପଶ୍ଚିମବଂଗରେ ଜାରି ରହିଛି ଡାକ୍ତରଙ୍କ ଆନ୍ଦୋଳନ । ଡାକ୍ତରଙ୍କୁ ମାରପିଟ ପରେ ଆରମ୍ଭ ହୋଇଥିବା ବିକ୍ଷୋଭ ପଶ୍ଚିମବଂଗରୁ ଦିଲ୍ଳୀ ଯାଏ ପ୍ରତିବାଦ ଦେଖିବାକୁ ମିଳିଛି । ଦେଶର ୧୯ରୁ ଅଧିକ ରାଜ୍ୟର ଡାକ୍ତର ଏହି ବିକ୍ଷୋଭକୁ ସମର୍ଥନ ଜଣାଇଛନ୍ତି । ତେବେ ଦିଲ୍ଳୀ ଦିଲ୍ଲୀ ଏମ୍ସର ପଂଜୀକୃତ ଡାକ୍ତର ଆନ୍ଦୋଳନ ଶେଷ କରି ନିଜ ନିଜ କାମରେ ଯୋଗ ଦେଇଛନ୍ତି । ହେଲେ ସେମାନେ ପଶ୍ଚିମବଂଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜାଙ୍କୁ ଦାବି ପୂରଣ ଲାଗି ୪୮ ଘଂଟା ଅଲଟିମେଟମ ଦେଇଛନ୍ତି । ଅନ୍ୟପଟେ ଇଣ୍ଡିଆନ ମେଡ଼ିକାଲ ଆସୋସିଏସନର ପ୍ରତିନିଧିମଣ୍ଡଳ କେନ୍ଦ୍ରସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ଭେଟିଛନ୍ତି । ଏଥିସହ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକିଥିବା ବୈଠକରେ ସାମିଲ ହେବେ ନାହିଁ ଆନ୍ଦୋଳନ ଚଳାଇଥିବା ଜୁନିଅର ଡାକ୍ତର ।
ଏମସ ପଂଜୀକୃତ ଡାକ୍ତର ସଂଘର ଅଧ୍ୟକ୍ଷ ଅମରିନ୍ଦର ସିଂହ ମଲହି କହିଛନ୍ତି ଯେ ସମସ୍ତ ପଂଜୀକୃତ ଡାକ୍ତର କାମକୁ ଫେରି ଆସିଛନ୍ତି । ହେଲେ କଳା ବ୍ୟାଜ, ପଟି ଓ ହେଲମେଟ ପିନ୍ଧି କରି ପ୍ରତିକାତ୍ମକ ଭାବେ ବିରୋଧ ଜାରି ରଖିବାକୁ ସେ କହିଛନ୍ତି । ଯଦି ସ୍ଥିତିରେ ସୁଧାର ନ ଆସିବ ତା ହେଲେ ଆସନ୍ତା ୧୭ ତାରିଖରୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।
ଅନ୍ୟପଟେ ଏହି ଘଟଣାର ପ୍ରତିବାଦରେ ଆସନ୍ତା ୧୭ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଅଯାଇଛି । ଦିଲ୍ଲୀ ମେଡ଼ିକାଳ ଆସୋସିଏସନ ଓ ଇଣ୍ଡିଆନ ମେଡ଼ିକାଲ ଆସୋସିଏସନର ମିଳିତ ଉଦ୍ୟମରେ ଦେଶବ୍ୟାପୀ ଆନ୍ଦୋଳନ କରାଯିବାକୁ ନିଷ୍ପତି ନିଆଯାଇଛି । କେନ୍ଦ୍ରୀୟ ହସ୍ପିଟାଲ ସୁରକ୍ଷା ଆଇନ କରି ସାରା ଦେଶରେ ଲାଗୁ କରିବାକୁ ସଂଘ ସରକାରକୁ ଚିଠି ଲେଖି ଦାବି କରିଛି । ଏଥିସହ ସଂଘ ପକ୍ଷରୁ କୁହାଯାଇଛି କି, ଯଦି ଦାବି ପୂରଣ ନ ହେବ ତାହେଲେ ସୋମବାର ସାରା ଦେଶରେ ଆନ୍ଦୋଳନ ହେବାକୁ ଚେତାବନୀ ଦିଆଯାଇଛି ।
ସେପଟେ ହିଂସାକୁ ବିରୋଧ କରି ସହସ୍ରାଧିକ ଡାକ୍ତର ଇସ୍ତଫା ଦେଇ ସାରିଲେଣି । କେବଳ ପଶ୍ଚିମବଂଗରୁ ପାଖାପାଖି ୭ ଶହ ଡାକ୍ତର ଚାକିରି ଛାଡି ଦେଇଥିବା ଜଣା ପଡିଛି । ଅନ୍ୟ କିଛି ରାଜ୍ୟରେ କଳା ପଟି ବାନ୍ଧି ବିରୋଧ ସ୍ୱରୂପ ରୋଗୀଙ୍କ ସେବା କରୁଛନ୍ତି । ହେଲେ ଡାକ୍ତରଙ୍କ ଆନ୍ଦୋଳନ ଲାଗି ପ୍ରଭାବ ସିଧା ରୋଗୀ ସେବା ଉପରେ ପଡୁଛି । ପ୍ରଦର୍ଶନ ଜାରି ରହିଛି । ଏନେଇ ଡାକ୍ତରଙ୍କୁ ମନାଇବାକୁ ସୋଶାଲ ମିଡ଼ିଆରେ ଭାବୁକ ପୋଷ୍ଟ କରୁଛନ୍ତି ମମତା ବାନାର୍ଜୀ । ମମତା ମାଫି ମାଗିବା ସହ ୬ଟି ସର୍ତ ପୂରଣ କଲେ ଡାକ୍ତରମାନେ ଆନ୍ଦୋଳନରୁ ଓହରିବାକୁ କହିଛନ୍ତି ।
ଗତ ସୋମବାର କୋଲକତାର ଏନଆରଏସ ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ ଅବହେଳା ଲାଗି ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଜୁନିୟର ଡାକ୍ତରଙ୍କୁ ମାରପିଟ କରିଥିଲେ । ଏଥିରେ କିଛି ଡାକ୍ତର ଗୁରୁତର ଆହତ ହୋଇଥିଲେ । ଏହାପରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଦୀର୍ଘ ୪ ଦିନ ହେଲା ଆନ୍ଦୋଳନ ଜାରି ରହିଥିବାରୁ ମେଡ଼ିକାଲରେ ରୋଗୀସେବା ବ୍ୟାହତ ହୋଇଛି ।
ପଶ୍ଚିମବଂଗରେ ଡାକ୍ତରଙ୍କ ଆନ୍ଦୋଳନ ଜାରି, ସିଏମଙ୍କୁ ୪୮ ଘଂଟାର ଅଲଟିମେଟମ
