ଜୁନ ମାସ ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ନିଯୁକ୍ତି: ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପରବର୍ତ୍ତୀ ଅଧ୍ୟକ୍ଷ କିଏ? ବିକାଶ ପରିଷଦରେ କାହାକୁ ଥଇଥାନ କରିବେ ମୁଖିଆ! ରେସରେ ପଶ୍ଚିମ ଓଡ଼ିଶାର ଅନେକ ନେତା। ଅଧ୍ୟକ୍ଷ ପଦ ହାତେଇବା ପାଇଁ ଜୋର ସୋର ଉଦ୍ୟମ ଆରମ୍ଭ ହୋଇଯାଇଛି। ତେବେ କାହା ମୁଣ୍ଡରେ ମୁଖିଆ ସୁନା କଳସ ଢାଲିବେ ତାହା ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନିଷ୍ପତି ଉପରେ ଭରସା ରହିଥିବା ଚର୍ଚ୍ଚା ଚାଲିଛି। ସୁଶାନ୍ତ ହେଉଛନ୍ତି ଡିସିଜନ୍ ମେକର୍। ସେ ଯାହା ନା ରେକମେଣ୍ଟ କରିବେ ସେହି ନେତାଙ୍କ ନାଁରେ ମୋହର ମାରିବେ ମୁଖିଆ। ତେବେ ଏନେଇ ମୁହଁ ଖୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ଗ୍ରାମ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ। ସେ କହିଛନ୍ତି ଯେ, ମହାବିପତ୍ତି କରୋନା ମୁକାବିଲା ପାଇଁ ଜୁନ ମାସ ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏ ସମୟରେ ରାଜ୍ୟ ସରକାର ବ୍ୟସ୍ତ ଥିବାରୁ ବିକାଶ ପରିଷଦ ଅଧ୍ୟକ୍ଷ ନିଯୁକ୍ତିକୁ ଟାଳି ଦିଆ ଯାଇଛି।

ତେବେ ଜୁନ ମାସ ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦ ନିଯୁକ୍ତି ହେବ ବୋଲି ସେ କହିଛନ୍ତି। ଏଥିସହ ପରିଷଦର ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ପଶ୍ଚିମ ଓଡ଼ିଶାକୁ ସ୍ଥାନାନ୍ତରିତ ହେବ ବୋଲି ସେ କହିଛନ୍ତି। ଏନେଇ ଗତ ବିଧାନସଭା ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିବା କହିଛନ୍ତି ସୁଶାନ୍ତ ସିଂ। ବିକାଶ ପରିଷଦ କାର୍ଯ୍ୟାଳୟ ସ୍ଥାନାନ୍ତରଣ ପାଇଁ ପଶ୍ଚିମ ଓଡ଼ିଶାର ୩୫ ବିଧାୟକ ମଧ୍ୟରୁ ଅଧିକାଂଶ ନେତା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ସୁଶାନ୍ତ ଦୃଢତାର ସହ କହିଛନ୍ତି ଯେ ପରିଷଦ ଅଧ୍ୟକ୍ଷ ନିଯୁକ୍ତି ସହ ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ପଶ୍ଚିମ ଓଡ଼ିଶାକୁ ସ୍ଥନ୍ତାତରିତ ହେବ। ତେବେ ପଶ୍ଚିମ ଓଡ଼ିଶାର କେଉଁ ଥକୁ ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତରଣ କରାଯିବ ତାହା ସ୍ପଷ୍ଟ କରି ନାହାନ୍ତି।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଅନେକ ନେତା ଦାବିଦାର ଅଛନ୍ତି। ଗତ ସାଧାରଣ ନିର୍ବାଚନରେ ନିର୍ବାଚନ ଲଢି ପରାଜିତ ହୋଇଥିବା ପୁଷ୍ପେନ୍ଦ୍ର ସିଂହଦେଓ, କଳିକେଶ ନାରାୟଣ ସିଂହଦେଓ, ନଳିନୀ ପ୍ରଧାନ ଓ ରାସେଶ୍ୱରୀ ପାଣିଗ୍ରାହୀଙ୍କ ଚର୍ଚ୍ଚାରେ ରହିଛି। ତେବେ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ନାଁ ସବୁଠୁ ଆଗରେ ରହିଥିବା କୁହାଯାଉଛି। ଅନିଚ୍ଛା ସତ୍ତ୍ଵେ ଲୋକସଭା ନିର୍ବାଚନ ଲଢୁଥିବା ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଥାଇଥାଇ କରାଯିବା ନେଇ ଜୋରସୋର ଚର୍ଚ୍ଚା ଚାଲିଛି। ଏଥିସହ ପୂର୍ବତନ ସାଂସଦ ପ୍ରଭାସ ସିଂଙ୍କ ନା ମଧ୍ୟ ଚର୍ଚ୍ଚା ଚାଲିଛି। ତେବେ ୨୦୧୪ ନିର୍ବାଚନରେ ପ୍ରଥମ କରି ରାଜନୀତିକୁ ପାଦ ଥାପୁ ଥାପୁ ସାଂସଦ ହୋଇଥିଲେ ପ୍ରଭାସ। ହେଲେ ବିଜୟୀ ହେବା ପରେ ନିଜ ଲୋକସଭା କ୍ଷେତ୍ରରେ ନିଜର ଲୋକପ୍ରିୟତା ବଜାୟ ରଖି ପାରିଲେ ନାହିଁ। ତେଣୁ ଗତ ନିର୍ବାଚନରେ ତାଙ୍କ ଟିକେଟ ମଧ୍ୟ କଟା ଗଲା। ଏହି କାରଣରୁ ତାଙ୍କୁ ପରିଷଦ ଅଧ୍ୟକ୍ଷ ନିଯୁକ୍ତି ଦିଆଯିବା ଆଶା ଖୁବ୍ କମ୍। ଏହାବ୍ୟତୀତ ଜଣେ ଅଣ ରାଜନୈତିକ ବ୍ୟକ୍ତିଙ୍କୁ ମଧ୍ୟ ଏହି ପଦବୀରେ ନିଯୁକ୍ତି ଦିଆଯିବା ଯଥେଷ୍ଟ ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ, ସୁବାସ ଚୌହାନଙ୍କ ଦେହାନ୍ତ ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦବୀ ଖାଲି ପଡ଼ିଛି।

Leave a Reply