୩୦ ଲକ୍ଷ ଓ ପରିବାରର ଜଣଙ୍କୁ ଚାକିରି ପ୍ରତିଶୃତି ପରେ ହଟିଲା ଆନ୍ଦୋଳନ

ଓଡ଼ିଶାବଡ଼ ଖବରସ୍ପେଶାଲ

ନବନୀତା,ଭୁବନେଶ୍ୱର: ଶେଷରେ ହଟିଲା ଆନ୍ଦୋଳନ। ଅନୁଗୋଳ ଭରତପୁର mcl କୋଇଲା ଖଣି ଦୁର୍ଘଟଣା ନେଇ ଜାରି ରହିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଅନୁକମ୍ପା ରାଶି ଘୋଷଣା ପରେ ଆନ୍ଦୋଳନରୁ ଓହ୍ଲାଇଛନ୍ତି ମୃତକଙ୍କ ପରିବାର ଲୋକେ। ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପାଇଁ MCLକୁ କୋଲ୍ ଇଣ୍ଡିଆ ସୁପାରିଶ କରିଥିବା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ଦୀର୍ଘ ୧୨ ଦିନ ଧରି ବନ୍ଦ ପଡ଼ିଥିବା ଖଣି ସମସ୍ୟାର ସମାଧାନ ଲାଗି ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତ୍ରିସ୍ତରୀୟ ବୈଠକ ବସିଥିଲା। ତେବେ ବୈଠକ ସଫଳ ହୋଇଥିବା ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏଥିସହ ତାଳଚେରର ସମସ୍ତ ଖଣି କାର୍ଯ୍ୟ ସ୍ଵାଭାବିକ ହୋଇଛି।

MCL ଭରତପୁର ଖଣିରେ ଦୁର୍ଘଟଣା ଯୋଗୁଁ ଗତ ମାସ ୨୪ ତାରିଖରୁ ୯ ଟି ଖଣିରୁ ଉତ୍ତୋଳନ ଓ ପରିବହନ କାର୍ଯ୍ୟ ବନ୍ଦ ରହିଥିଲା। ମୃତକଙ୍କ ପରିବାରକୁ ୩ କୋଟି ଟଙ୍କା କ୍ଷତିପୂରଣ ଓ ସ୍ଥାୟୀ ନିଯୁକ୍ତି ଦାବିରେ ଖଣି ବନ୍ଦ ଆନ୍ଦୋଳନ ଚାଲିଥିଲା। ଏହାର ପ୍ରଭାବ ସିଧା ରାଷ୍ଟ୍ରାୟତ କଂପାନୀ ଉପରେ ପଡିଥିଲା। କୋଇଲା ଅଭାବ ଯୋଗୁଁ NTPCର ୬ ରୁ ୪ ୟୁନିଟ୍ ଓ TTPSର ୬ ରୁ ୫ଟି ୟୁନିଟ୍ ବନ୍ଦ ରହିଥିଲା। ଖଣି କାର୍ଯ୍ୟ ସ୍ଵାଭାବିକ କରିବା ପାଇଁ ପ୍ରଶାସନ ପକ୍ଷରୁ ବୈଠକ ଡାକିଥିଲେ ମଧ୍ୟ କୌଣସି ନିର୍ଯାସ ବାହାରି ପାରିନଥିଲା।

ଖଣିର ପରିସ୍ଥିତିକୁ ଦୃଷ୍ଟିରେ ରଖି ମଙ୍ଗଳବାର ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖଣି କର୍ତ୍ତୃପକ୍ଷ, ଆନ୍ଦୋଳନକାରୀ ଓ ସ୍ଥାନୀୟ ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ସହ ଆଲୋଚନା ହୋଇଥିଲା। ମୃତକଙ୍କ ପରିବାରକୁ ୩ କୋଟି କ୍ଷତିପୂରଣ ଓ ଜଣଙ୍କୁ ସ୍ଥାୟୀ ଚାକିରୀ ଉପରେ ଘମାଘୋଟ ଆଲୋଚନା ହୋଇଥିଲା। ଶେଷରେ ମୃତକଙ୍କ ପରିବାରକୁ ୩୦ ଲକ୍ଷ କ୍ଷତିପୂରଣ ଓ HPC କମ୍ପାନୀରେ ଚାକିରୀ ଦେଇ ପରେ ସ୍ଥାୟୀ କରାଯିବାକୁ ପ୍ରତଶ୍ରୁତି ଦେବା ପରେ ଆନ୍ଦୋନକାରୀମାନେ ଖଣି ବନ୍ଦ ଆନ୍ଦୋଳନରୁ ଓହରି ଯାଇଥିଲେ।

ଗତ ଜୁଲାଇ ୨୩ ତାରିଖରେ MCL ଭରତପୁର୍ କୋଇଲା ଖଣିରେ ବ୍ଲାଷ୍ଟିଂ ଯୋଗୁଁ ଦୁର୍ଘଟଣା ଘଟି ୪ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଏବଂ ଘଟଣାରେ ଗୁରୁତର ୯ ଜଣଙ୍କୁ ତାଳଚେର ସେଣ୍ଟ୍ରାଲ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଘଟଣାର ଆରଦିନ ଦୁଇ ଜଣଙ୍କ ମୃତଦେହ ଓ ତ ପରଦିନ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପରେ ଖଣ୍ଡ ବିଖଣ୍ଡିତ ଗୋଡ଼ ହାତ ଉଦ୍ଧାର କରାଯିବ ସହ ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ହେଲେ ତାର ପରିଚୟ ମିଳିନଥିବା ବେଳେ ନିଖୋଜ ଜଣଙ୍କ ଏବେ ବି କୌଣସି ଖୋଜଖବର ମିଳିନାହିଁ। ଅନ୍ୟପଟେ ଉଦ୍ଧାର କାର୍ଯ୍ୟରେ ଅବହେଳା ଲାଗି ଭରତପୁର୍ ocpଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି MCL CMD।