ନାଲକୋ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି, ପ୍ରତିବାଦରେ ଆନ୍ଦୋଳନ

ଓଡ଼ିଶାବଡ଼ ଖବର

ନବନୀତା, ଭୁବନେଶ୍ୱର: ନାଲକୋ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ। କଟକରେ ଏକ ଘରୋଇ ହସ୍ପିଟାଲରେ ଚକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ରଜନୀକାନ୍ତ ପରିଡ଼ା, ଘର ବନ୍ତପୁର ବୋଲି ଜଣାପଡିଛି। ମୃତ ରଜନୀକାନ୍ତ ନାଲକୋର ଟ୍ରେନିଂ ଛାତ୍ର ଭାବେ କାର୍ଯ୍ୟ କରୁଥିଲେ। ଏହା ପୂର୍ବରୁ ଗୁରୁତର ମିଥୁନ ନାଥଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ମିଶାଇ ନାଲକୋ ସ୍ମେଲଟର ପ୍ଲାଣ୍ଟ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨ ରେ ପହଞ୍ଚିଛି।

ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ପ୍ରତିବାଦରେ ଅନୁଗୋଳ ନାଲକୋ ସ୍ମେଲଟର ଫାଟକ ଆଗରେ ଉତ୍ତ୍ୟକ୍ତ ଲୋକେ ଆନ୍ଦୋଳନ କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ନିଯୁକ୍ତି ଦାବିରେ ଟ୍ରେନିଂ ଛାତ୍ରଛାତ୍ରୀ ଓ ମୃତକଙ୍କ ପରିବାର ପକ୍ଷରୁ ଆନ୍ଦୋଳନ କରାଯାଇଛି। ସେପଟେ ନାଲକୋ CMD ତପନ କୁମାର ଚାନ୍ଦ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ତାସହ ଶୋକସନ୍ତପ୍ତ ପରିବାରକୁ ନାଲକୋ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି। ମୃତକଙ୍କ ପରିବାର, ଗ୍ରାମବାସୀ ଓ ବିଶିଷ୍ଟ ବ୍ୟକ୍ତିଙ୍କ ପକ୍ଷରୁ ଉପସ୍ଥାପିତ ଦାବିକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇଛି। ଏହାବାଦ ମୃତକଙ୍କ ପରିବାରର ଜଣକୁ ନାଲକୋର ଯେକୌଣସି ଠିକା ସଂସ୍ଥାରେ ଚାକିରି ଦେବାକୁ ନାଲକୋ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।

ଗତ ମାସ ୨୩ ତାରିଖରେ ନାଲକୋ ସ୍ମେଲଟର ପ୍ଲାଣ୍ଟ କାଷ୍ଟ୍ ହାଉସ୍- ବିରେ ଦୁର୍ଘଟଣା ଘଟିଥିଲା। ଏଥିରେ ୪ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗତ ୧ ତାରିଖରେ ମିଥୁନ ନାଥଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ରଜନୀକାନ୍ତ ପରିଡ଼ାଙ୍କ ମୃତ୍ୟୁ ଘଟିଛି।