ନବନୀତା, ଭୁବନେଶ୍ୱର । ବିଶିଷ୍ଟ ସାରସ୍ୱତ ସାଧକ ପଦ୍ମଶ୍ରୀ ମନୋଜ ଦାସଙ୍କ ସାହିତ୍ୟ କୃତିକୁ ନେଇ ସଂଗୃହୀତ କବିତା ଗ୍ରନ୍ଥ ‘ବାକି ଥିବା ପାଦଚିହ୍ନ’ ଲୋକାର୍ପିତ ହୋଇଛି । ଭୁବନେଶ୍ୱର ନାଲକୋନଗର ଅଡ଼ିଟୋରିୟମଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି କବିତା ଗ୍ରନ୍ଥ ଲୋକାର୍ପଣ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସମ୍ବାଦର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଯୋଗ ଦେଇ ପୁସ୍ତକକୁ ଲୋକାର୍ପଣ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପଦ୍ମଭୂଷଣ ରମାକାନ୍ତ ରଥ, କଥାଶିଳ୍ପୀ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ, କଥାଶିଳ୍ପୀ ଅର୍ଚ୍ଚନା ନାୟକ ଓ ସୁସାହିତ୍ୟିକା ତଥା କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷା ପ୍ରୀତି ରାୟ ଅତିଥି ଭାବରେ ଯୋଗ ଦେଇଥିଲେ । ପୁସ୍ତକରେ ମନୋଜ ଦାସଙ୍କ ସମଗ୍ର ସାହିତ୍ୟ କୃତି, ଗଳ୍ପ ଉପନ୍ୟାସର ପ୍ରତିଟି ଚରିତ୍ରକୁ ସୁନ୍ଦର ଭାବେ ଚିତ୍ରଣ କରିଛନ୍ତି କବି ଅରୁଣ କୁମାର ସାହୁ । ଏ ଅବସରରେ କବି ଭାଗ୍ୟଲିପି ମଲ୍ଲ ଓ ମନୁଆ ଦାସ ପୁସ୍ତକରେ ପ୍ରକାଶିତ ଦୁଇଟି କବିତା ଆବୃତି କରିଥିଲେ । ତେବେ ପୁସ୍ତକଟି ମନୋଜ ପ୍ରେମୀ ପାଠକ ମହଲରେ ଉଚ୍ଚ ପ୍ରଶଂସିତ ହେବ ବୋଲି କହିଛନ୍ତି ପ୍ରକାଶକ ବନୋଜ ତ୍ରିପାଠୀ । କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ସାହିତ୍ୟିକ, ମନୋଜ ପ୍ରେମୀ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ ।
ସାହିତ୍ୟିକ ମନୋଜ ଦାସଙ୍କ ସାହିତ୍ୟ କୃତିକୁ ନେଇ ସଂଗୃହୀତ କବିତା ଗ୍ରନ୍ଥ ‘ବାକି ଥିବା ପାଦଚିହ୍ନ’ ଲୋକାର୍ପିତ
