ଖଣି ଶୀଘ୍ର ଚାଲୁକର, ନଚେତ୍ ଭୟାବହ ଆନ୍ଦୋଳନ!

ଓଡ଼ିଶାବଡ଼ ଖବର

ନବନୀତା, ଭୁବନେଶ୍ୱର: ଦୀର୍ଘ ୧୨ ଦିନ ହେଲା ତାଳଚେର ଖଣି ବନ୍ଦ। ଖଣିରୁ କୋଇଲା ଉତ୍ପାଦନ ଓ ପରିବହନ ସମ୍ପୂର୍ଣ୍ଣ ଠପ୍। ଅନୁଗୋଳ MCL ଭରତପୁର କୋଇଲା ଖଣି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ସ୍ଥାୟୀ ନିଯୁକ୍ତି ଦାବିରେ ୧୨ ଦିନ ହେଲା ଖଣି ବନ୍ଦ କରି ଆନ୍ଦୋଳନ ଚଳାଇଛନ୍ତି ସ୍ଥାନୀୟ ଲୋକ। ଏ ନେଇ ପ୍ରଶାସନ, ଆନ୍ଦୋଳନକାରୀ ଓ ଖଣି କର୍ତ୍ତୃପକ୍ଷଙ୍କ ମଧ୍ୟରେ ତ୍ରିପାକ୍ଷିକ ବୈଠକ ବସି ଆଲୋଚନା କରାଯାଇଛି । ହେଲେ ନିର୍ଯାସ ବାହାରି ପାରୁନି। ଫଳରେ ତାଳଚେରର ସମସ୍ତ ଖଣିରେ କୋଇଲା ଉତ୍ତୋଳନ ଓ ପରିବହନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।

ଅନ୍ୟପଟେ ଏ ସମସ୍ୟାର ସମାଧାନ ଲାଗି ହେସଁମୂଳ ପଞ୍ଚାୟତବାସୀ ପକ୍ଷରୁ ଉପ-ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ଅଭିଯୋଗ, ଦୀର୍ଘ ଦିନ ହେଲା ଖଣି ବନ୍ଦ ଯୋଗୁଁ ଖଣିରେ କାର୍ଯ୍ୟରତ ଡ୍ରାଇଭର , ପାଲଭିଡା ଶ୍ରମିକ , ଖଣି ଶ୍ରମିକ, ଟ୍ରକ ମାଲିକ ଓ ଖଣି ସମ୍ବନ୍ଧୀୟ ବ୍ୟବସାୟରେ ଜଡିତ ସାଧାରଣ ଲୋକ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିସହ କୋଇଲା ଅଭାବ ଯୋଗୁଁ NTPC ରେ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ୬ ରୁ ୪ ୟୁନିଟ୍ ବନ୍ଦ ହୋଇଯାଇଛି। କେବଳ ଏତିକି ନୁହେଁ ଖଣି ବନ୍ଦ ଲାଗି MCL କୋଟି କୋଟି ଟଙ୍କାର କ୍ଷତି ସହିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟ ଶହ ଶହ କୋଟି ଟଙ୍କାର ରାଜସ୍ବ ହାନି ହେଉଛି। ତେଣୁ ଖଣି ବନ୍ଦ ଆନ୍ଦୋଳନର ସମାଧାନ କରାନଗଲେ ଆନ୍ଦୋଳନ ଆହୁରି ତୀବ୍ରତର କରିବାକୁ ପଞ୍ଚାୟତ ବାସି ଚେତାବନୀ ଦେଇଛନ୍ତି।

ଗତ ମାସ ୨୩ ତାରିଖରେ ଭରତପୁର ଖଣିରେ ଦୁର୍ଘଟଣା ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯ ଜଣ ଗୁରୁତର ଆହତ ହୋଇଥିଲେ। ଘଟଣା ପର ଦିନ ଠାରୁ କ୍ଷତିପୂରଣ ଓ ସ୍ଥାୟୀ ନିଯୁକ୍ତି ଦାବିରେ ଖଣି ବନ୍ଦ୍ ଆନ୍ଦୋଳନ ଚାଲିଛି।