ଏନ୍ଏନ୍ ବ୍ୟୁରୋ। କୋମଳମତି ପିଲାଙ୍କ ଜୀବନ ସହ ଖେଳ। ମଧ୍ୟାହ୍ନ ଭୋଜନରେ ବାହାରିଲା ପଚାଅଣ୍ଡା ଓ ପଚା ପନିପରିବା। ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟଠାରୁ ମାତ୍ର ଶହେ ମିଟର ଭିତରେ ଥିବା ସରକାରୀ ପ୍ରାକ୍ଟିସିଂ ପ୍ରାଥମିକ ବିଦ୍ୟାଳୟରୁ। ଗାନ୍ଧୀନଗର ପଡାରେ ପ୍ରାଥମିକ ବିଦ୍ୟାଳୟ ଥିଲେ ମଧ୍ୟ ରାମେଶ୍ବରନଗରର ମୁସ୍କାନ ଏସଏଚଜି ଗ୍ରୁପକୁ ମଧ୍ୟାହ୍ନ ଭୋଜନ ଦାୟିତ୍ଵ ଦିଆଯାଇଛି। ଦୀର୍ଘ ଏକ ବର୍ଷ ହେଲା ଏହି ମୁସ୍କାନ ଏସଏଚଜି ବଲାଙ୍ଗିର ଗାନ୍ଧୀନଗରପଡାରେ ଥିବା ପ୍ରାକ୍ଟିସିଂ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଚା ପନିପରିବା ଦେଇ ଆସୁଥିଲା। ଏନେଇ ପ୍ରାଧାନ ଶିକ୍ଷୟତ୍ରୀ ଓ ଏସଏଚଜି ଗ୍ରୁପ ମଧ୍ୟରେ ବାରମ୍ବାର କଥା କଟାକଟି ମଧ୍ୟ ହେଉଥିଲେ। ହେଲେ ବୁଧବାର ବିଦ୍ୟାଳୟରେ ୧୪୬ ଛାତ୍ରଛାତ୍ରୀ ମଧ୍ୟରୁ ୭୭ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଥିଲା। ସେ ହିସାବରେ ମୁସ୍କାନ ଏସଏଚଜି ଗ୍ରୁପ ୭୭ଟି ଅଣ୍ଡା ସ୍କୁଲକୁ ଦେଇଥିଲେ। କିନ୍ତୁ ସେଥିମଧ୍ୟରୁ ୧୭ଟି ଅଣ୍ଡା ପଚା ବାହାରିଥିଲା।
କେବଳ ଏତିକି ନୁହେଁ, ସକାଳେ ଦେଇଥିବା ପନିପରିବା ପୋକରା ଥିବା ବେଳେ ତାକୁ ଗାଇ ବଳଦ ମଧ୍ୟ ଖାଇବେ ନାହିଁ। ଏହାକୁ ନେଇ ପ୍ରଧାନ ଶିକ୍ଷୟତ୍ରୀ ଶିକ୍ଷା ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ହେଲେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ଅନତି ଦୂରରେ ଥିବା ବିଦ୍ୟାଳୟରେ ଏପରି ଚରମ ଅବ୍ୟବସ୍ଥା ହେଉଥିଲେ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀ କେମିତି ଚୁପ୍ ରହିଛନ୍ତି ତାକୁ ନେଇ ଅନେକ ପ୍ରଶ୍ନ ଛିଡା ହୋଇଛି। ସେପଟେ ଏନେଇ ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ କହିଛନ୍ତି ଘଟଣାରେ ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
