ଆରମ୍ଭରୁ ବିବାଦ, ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା! ପୁଣି ଭୁବନେଶ୍ୱର କଂସ

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଏଥର ଆରମ୍ଭରୁ ବିବାଦ ଦେଖାଦେଇଛି। କଳାକାର ଚୟନକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା। ତେବେ ଏହାର ଘୋର ବିରୋଧ ହେବା ପରେ ଚୟନ ପ୍ରକ୍ରିୟାକୁ ବାତିଲ କରାଯାଇଛି। ଭୁବନେଶ୍ୱର ପ୍ରଧାନ ପୁଣି ଥରେ କଂସ ଭୂମିକାରେ ଅବତୀର୍ଣ୍ଣ ହେବା ସୁନିଶ୍ଚିତ ହୋଇଯାଇଛି।

କଣ ପାଇଁ ଦେଖାଦେଇଥିଲା ବିବାଦ

କଳାକାର ଚୟନ ପ୍ରକ୍ରିୟା ପ୍ରତି ତିନି ବର୍ଷରେ ଥରେ କରାଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ହେଲେ ତିନି ବର୍ଷ ନ ପୂରିବା ଆଗରୁ ଜିଲ୍ଲା ପ୍ରଶାସନ ପୁଣି ଥରେ କଳାକାର ଚୟନ କରାଯିବା ନେଇ ଘୋଷଣା କରାଯାଇଥିଲା। ଯାହାକୁ ନେଇ ବିବାଦର ମୁଣ୍ଡ ଟେକି ଥିଲା। ଏପରିକି କଳାକାରମାନେ ଏହାର ପ୍ରବଳ ବିରୋଧ କରିଥିଲେ। ଦିନେ କି ଅଧେ ନୁହଁ, ଦୀର୍ଘ ୧୨ ଦିନ ଧରି ଚାଲିଥିଲା ବିବାଦ। ଶେଷରେ ଜିଲ୍ଲା ପ୍ରଶାସନ କଳାକାର ନିକଟରେ ମୁଣ୍ଡ ନୁଆଁଇବା ପରେ ବିବାଦର ଅନ୍ତ ଘଟିଛି।

କେମିତି ହେଲା ସମାଧାନ!

କଂସ ଚୟନକୁ ନେଇ ୧୨ ଦିନ ଧରି ବାଦ ବିବାଦ ଚାଲିଥିଲା। ଏହାର ସମାଧାନ ପାଇଁ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଧନଯାତ୍ରା କାର୍ଯ୍ୟକାରୀ କମିଟିର ବୈଠକ ବସିଥିଲା। ଚଳିତ ବର୍ଷ କଂସ ଓ ଅନ୍ୟ କଳାକାର ଚୟନ କରାଯିବା ନାହିଁ ବୋଲି ବୈଠକରେ ନିଷ୍ପତ୍ତି କରାଯାଇଥିଲା। ଫଳରେ ବିବାଦର ସମାଧାନ ହେବା ସହ ତୃତୀୟ ବର୍ଷ ଲାଗି ଭୁବନେଶ୍ୱର ପ୍ରଧାନ କଂସ ଭୂମିକାରେ ଅବତୀର୍ଣ୍ଣ ହେବା ନେଇ ନିଶ୍ଚିତ ହୋଇଯାଇଛି।

ଡିସେମ୍ବର ୩୧ ରୁ ଧନୁଯାତ୍ରା

ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଆସନ୍ତା ଡ଼ିସେମ୍ବର ୩୧ ରୁ ଆରମ୍ଭ ହୋଇ ଜାନୁୟାରୀ ୧୦, ୨୦୨୦ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଚାଲିବ। ସହରର ୧୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ପରିବେଷଣ ହେବ ଏହି ମହାନାଟକ। ବରଗଡ ମଥୁରା ନଗର ସାଜୁଥିବା ବେଳେ ଆମ୍ବାପାଲି ସାଜିବ ଗୋପପୁର। ବିନା ପାଣ୍ଡୁଲିପିରେ କଳାକାରମାନେ ନିଖୁଣ ଅଭିନୟ କରନ୍ତି। ଏ ସମୟରେ ବନି ଯାଆନ୍ତି ଜଣେ ଜଣେ କଳାକାର। ଦୀର୍ଘ ୧୧ ଦିନର ରାଜା ସାଜୁଥିବା କଂସଙ୍କ ହୁକୁମରେ ଥରହର ହୋଇଯାଆନ୍ତି ମଥୁରାବାସୀ। ତେଣୁ ଏ ସମୟରେ ସମସ୍ତେ କଂସଙ୍କ ହୁକୁମ ମାନି ଚଲିଥାନ୍ତି।