ଏନ୍ଏନ୍ ବ୍ୟୁରୋ। କିଲର ରେସଲର୍ । କୁସ୍ତି ଯୋଦ୍ଧାର କୁକର୍ମ। ସାଙ୍ଗକୁ ନିର୍ମମ ହତ୍ୟା କରି ନାଳରେ ପୋତି ଦେଲା। ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ। ଜଣେ ବଡିବିଲ୍ଡରକୁ ସାଙ୍ଗର ହତ୍ୟା ଅଭିଯୋଗରେ ଗିରଫ କରିଛି ପୋଲିସ। ତାସହ ଘଟଣାରେ ସଂପୃକ୍ତ ତାର ଦୁଇ ସହଯୋଗୀକୁ ମଧ୍ୟ ପୋଲିସ ଗିରଫ କରିଛି। ତେବେ ନିଜ ବନ୍ଧୁକୁ ହତ୍ୟା କରି ପୋତି ଦେବା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ମୃତକ ଜଣକ ହେଲେ ଟିଟିଲାଗଡ ଦେଓବନ୍ଧ ପଡ଼ାର ଉମାକାନ୍ତ କାଣ୍ଡ। ହତ୍ୟାକାରୀ ଟିଟିଲାଗଡର ବଡିବିଲ୍ଡର୍ ରୁମାନ ବଗର୍ତ୍ତି ଦୀର୍ଘ ଦିନରୁ ବଡି ବିଲଡିଁ କରି ଆସୁଥିବା ବେଳେ ନିକଟରେ ସେ ମିଷ୍ଟର ଓଡ଼ିଶା ଟାଇଟଲ ଜିତିଥିଲେ । ଏବଂ ଜାତୀୟସ୍ତରର ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଚଳାଇଥିଲେ। ହେଲେ ଏବେ ନିଜ ସାଙ୍ଗକୁ ହତ୍ୟା ଅଭିଯୋଗରେ ସେ ଜେଲ ଯାଇଛି।
ଅଭିଯୋଗ ଅନୁସାରେ ଟିଟିଲାଗଡ ଦେଓବନ୍ଧ ପଡା ନିବାସୀ ଉମାକାନ୍ତ କାଣ୍ଡ ବଡି ବିଲଡର ରୁମାନ୍ ବଗର୍ତ୍ତିର ସାଙ୍ଗଥିଲେ। ଏବଂ ଗତ ମେ ମାସ ୩ ତାରିଖରେ ବଡି ବିଲଡର ରୂମାନ ବଗର୍ତ୍ତି ତାଙ୍କୁ ରାୟଗଡ଼ା ସ୍ଥିତ ତାଙ୍କ ବଡ ଭଉଣୀ ଘରକୁ ଯିବା କହି ଉମାକାନ୍ତ କାଣ୍ଡକୁ ସାଙ୍ଗରେ ନେଇ ଯାଇଥିଲା। ହେଲେ କିଛି ଦିନ ପରେ ରୁମାନ ଏକା ଘରକୁ ଫେରିଥିବା ବେଳେ ତା ସାଙ୍ଗ ନିଖୋଜ ହୋଇ ଯାଇଥିବାର କହିଥିଲା। ସେପଟେ ଉମାକାନ୍ତ କାଣ୍ଡଙ୍କ ପରିବାର ଲୋକେ ଏହାକୁ ନେଇ ଟିଟିଲାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ୍ ବଡିବିଲ୍ଡର୍ ରୁମାନ ବଗର୍ତ୍ତିଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା। ଏବଂ ତଦନ୍ତ ପରେ ଉମାକାନ୍ତ କାଣ୍ଡକୁ ହତ୍ୟା କରାଯାଇଥିବା ସୁରାକ ପାଇ ପୋଲିସ୍ ତାର ତଦନ୍ତ ଜାରି ରଖିଥିଲା। ଟିଟିଲାଗଡ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଏହା ଉପରେ ତଦନ୍ତ କରିଥିବା ବେଳେ ରାୟଗଡ଼ା ଜିଲ୍ଲାକୁ ଯାଇ ପହଞ୍ଚିଥିଲେ। ସେଠିକାର ପୋଲିସ ସହାୟତାରେ ରାୟଗଡ଼ା ଥେରୁବାଲି ପାଇକପଡ଼ାର ଏକ ନାଳରୁ ଉମାକାନ୍ତ କାଣ୍ଡର ଗଳିତ ଶବ ଉଦ୍ଧାର କରିଥିଲା। ହେଲେ ତଦନ୍ତ ପରେ ବଡି ବିଲଡର ରୁମାନ ବଗର୍ତ୍ତି ଓ ତାର ଦୁଇ ସହଯୋଗୀ ପ୍ରଶାନ୍ତ ବଗର୍ତ୍ତି ଓ ବିକାଶ ଭଟ୍ଟ ଏହି କାଣ୍ଡ ଭିଆଇଥିବାରୁ ପୋଲିସ୍ ଏହି ୩ ଜଣକୁ ଗିରଫ କରିଛି।
ହେଲେ ହତ୍ୟାକାଣ୍ଡର କାରଣ ଜଣା ପଡ଼ିନାହିଁ। କାହିଁକି ଓ କିଭଳି ସ୍ଥିତିରେ ରୂମାନ ତା ସାଙ୍ଗକୁ ହତ୍ୟା କଲା ତାହା ସମସ୍ତଙ୍କୁ ଚକିତ କରିଛି। ତେବେ ସାଙ୍ଗକୁ ହତ୍ୟା କରିବା ଘଟଣା ରହସ୍ୟ ଘେରରେ ରହିଛି। ଏହାର ଖୁଲାସା କରିବା ପାଇଁ
ପୋଲିସ ଏ ଦିଗରେ ଅଧିକ ତଦନ୍ତ ଜାରି ରଖିଛି।
