ବୃଦ୍ଧଙ୍କୁ ନିଜ ଗାଡିରେ ବସାଇ ମେଡ଼ିକାଲ ନେଲେ ବିଧାୟକ

ବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। ବିଧାୟକଙ୍କ ମହତ୍ କାର୍ଯ୍ୟ। ମାନବିକତା ଦେଖାଇ ଅସହାୟ ବୃଦ୍ଧଙ୍କୁ ସହାୟତା କଲେ ବିଧାୟକ ମୁକେଶ ମହାଲିଙ୍ଗ। ରାସ୍ତାକଡ଼ରେ ଅସହାୟ ଅବସ୍ଥାରେ ପଡି ରହିଥିବା ଜଣେ ବୃଦ୍ଧଙ୍କୁ ନିଜ ଗାଡିରେ ବସାଇ ମେଡ଼ିକାଲ ପହଞ୍ଚାଇଲେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ। ତେବେ ବୃଦ୍ଧଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ଘର ବରଗଡ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରି ଗାଁର ବୋଲି ଜଣା ପଡିଛି।

ଘଟଣାଟି ଥିଲା ଏହିପରି। ଆଜି ସନ୍ଧ୍ୟାରେ ମହଖଣ୍ଡରୁ କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିଲେ ବିଧାୟକ ମୁକେଶ ମହାଲିଙ୍ଗ। ହେଲେ ଫେରିବା ବେଳେ ରାସ୍ତାରେ ଲାଉମୁଣ୍ଡା ଜନଗହଳି ପୂର୍ଣ୍ଣ ଛକରେ ଜଣେ ବୃଦ୍ଧ ଅସହାୟ ଅବସ୍ଥାରେ ପଡ଼ି ରହିଥିଲେ। ସେ ରାସ୍ତା ଦେଇ ଅନେକ ଲୋକ ଯାଉଥିଲେ ମଧ୍ୟ ବୃଦ୍ଧ ଜଣକ ଅପରିଷ୍କାର ଅବସ୍ଥାରେ ପଡ଼ି ରହି ଥିବାରୁ ସହାୟତା କରିବା ପାଇଁ ସମସ୍ତେ କୁଣ୍ଠାବୋଧ କରୁଥିଲେ। ହେଲେ ଜନଗହଳି ଛକରେ ବୃଦ୍ଧ ଜଣକ ଅସହାୟ ଅବସ୍ଥାରେ ପଡିଥିବା ଦେଖି ବିଧାୟକଙ୍କ ମନକୁ ବିଚଳିତ କରିଥିଲା।

ସଙ୍ଗେ ସଙ୍ଗେ ଗାଡିରୁ ଓହ୍ଲାଇ ବୃଦ୍ଧଙ୍କୁ ଶୌଚ କରାଇବା ପରେ ବିଧାୟକ ଗାଡିରୁ ନୂଆ ଧୋତି ଓ ଟୱେଲ ବାହାର କରି ତାଙ୍କୁ ଦେଇଥିଲେ। ଏହାପରେ ନିଜ ଗାଡିରେ ବୃଦ୍ଧଙ୍କୁ ବସାଇ ଲାଉମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ଉପସ୍ଥିତ ନ ଥିବାରୁ କମ୍ପାଉଣ୍ଡର ଚିକିତ୍ସା ଦ୍ବାରା ଚିକିତ୍ସା କରାଇଥିଲେ। ଏବେ ବୃଦ୍ଧଙ୍କ ଅବସ୍ଥା ଠିକ୍ ଠାକ୍ ଥିବା ଜଣା ପଡ଼ିଛି। ବିଧାୟକଙ୍କ ଏଭଳି ମହତ୍ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

Leave a Reply