ସୁକତେଲ ବ୍ରିଜ ଭୁସୁଡ଼ିବା ଘଟଣା: ତଦନ୍ତ ଆଳରେ କହାକୁ ଟାର୍ଗେଟ କଲେ କଳିକେଶ, ପଢନ୍ତୁ

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ବଲାଙ୍ଗିର ପାଟଣାଗଡରେ ସୁକତେଲ ନଦୀ ଉପରେ ନିର୍ମାଣାଧୀନ ବ୍ରିଜ ଭୁସୁଡିବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ। ରାଜ୍ୟ ଓ କେନ୍ଦ୍ରୀୟ ଟିମ୍ ଆସି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି। ତେବେ କିଭଳି ସ୍ଥିତିରେ ଏପରି ଅଘଟଣ ଘଟିଲା ତାହା ସ୍ପଷ୍ଟ ଜଣା ପଡ଼ିନଥିଲେ ମଧ୍ୟ ବୈଷୟିକ ତ୍ରୁଟି ଯୋଗୁଁ ବ୍ରିଜ ଭୁସୁଡିଥିବା କୁହାଯାଉଛି।

ଅନ୍ୟପଟେ ଏନେଇ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ଘଟଣାର ତଦନ୍ତ ପାଇଁ କରିଥିବା ଟୁଇଟ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଆଶା ରଖିଛନ୍ତି ଘଟଣାର ସଠିକ ତଦନ୍ତ ହେବା ସହ ଦୋଷୀ ଦଣ୍ଡ ପାଇବ। ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ତ୍ତ ବିଭାଗ, ବଲାଙ୍ଗିର ଜିଲ୍ଲାପାଳ, ଏସପି ଓ ଡିଅାଇଜିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ଏହା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଆସୁଥିଲେ ମଧ୍ୟ ସେ ପୂର୍ତ୍ତ ବିଭାଗର ଦୃଷ୍ଟି ଆକର୍ଷଣ କଲେ କାହିଁକି? ବିଭାଗୀୟ ନା ନ ନେଇ ପରୋକ୍ଷରେ ଟାର୍ଗେଟ କରୁ ନାହାନ୍ତି ତ? କଳିକେଶ ସାଂସଦ ଥିବା ସମୟରେ ଏହି ବ୍ରିଜର କାମ ଆରମ୍ଭ ଓ ଶେଷ ହୋଇଥିଲା। ତେବେ ସେ କେଉଁ ବିଭାଗ ଅଧୀନରେ ଏହି କାର୍ଯ୍ୟ ହେଉଥିଲା ତାହା ଜାଣି ପାରିଲେନି କେମିତି? ଯଦି ଜାଣିଥିଲେ ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗ ବଦଳରେ ପୂର୍ତ୍ତ ବିଭାଗର ଦୃଷ୍ଟି ଆକର୍ଷଣ କଲେ କାହିଁକି? ଏମିତି ଏନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି।
ଗତ ସାଧାରଣ ନିର୍ବାଚନରେ ବଲାଙ୍ଗିର ଲୋକସଭା ଆସନରୁ ଶୋଚନୀୟ ପରାଜୟ ସହ ପରବର୍ତ୍ତୀ ସମୟରେ ଜିଲ୍ଲା ସଭାପତି ପଦ ମଧ୍ୟ ହାତରୁ ଖସି ଗଲା। ମନ୍ତ୍ରୀ ଟୁକୁନି ସାହୁଙ୍କୁ ଏହି ଗୁରୁ ଦାୟିତ୍ଵ ଦେବା ସହ ଜିଲ୍ଲାରେ ପ୍ରଥମ କରି ଜଣେ ମହିଳା ନେତ୍ରୀଙ୍କ ଉପରେ ଆସ୍ଥା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ। ତେବେ ଏହାରି ପଛରେ ପଶ୍ଚିମ ଓଡ଼ିଶାର ଜଣେ ଶକ୍ତଶାଳୀ ନେତାଙ୍କ ପ୍ରଚ୍ଛନ୍ନ ହାତ ଥିବା କୁହାଯାଉଛି। ସଂପୃକ୍ତ ନେତା ଜଣକ ବଲାଙ୍ଗିର ରାଜନୀତିରେ ମୁଣ୍ଡ ଖେଳାଇବା ପରେ ବିଜେଡ଼ି ରାଜ ଉଆସ ଅଧିନରୁ ମୁକ୍ତ ହୋଇଛି। ଏସବୁ ସତ୍ତ୍ଵେ ରାଜ ପରିବାର ସଦସ୍ୟ କାହା ଉପରେ ଦୋଷାରୋପ କରି ନାହାନ୍ତି। ବରଂ ଲୋକଙ୍କଠୁ ସାମାଜିକ ଦୂରତ୍ବ ଅବଲମ୍ବନ କରି ଚାଲିଛନ୍ତି।
ତେବେ ଗୁରୁବାର କଳିକେଶ ସୁକତେଲ ନଦୀ ଉପରେ ନିର୍ମାଣାଧୀନ ବ୍ରିଜ ଭୁସୁଡିବା ଘଟଣାର ତଦନ୍ତ ପାଇଁ ଟୁଇଟ ଜୋରସୋର ଚର୍ଚ୍ଚା ଚାଲିଛି। ସେ ବିଭାଗର ନାମ ନ ନେଇ ପରୋକ୍ଷରେ ଟାର୍ଗେଟ କରି ନାହାନ୍ତି ତ! ଏଥିରୁ ବାରି ହୋଇ ପଡ଼ୁଛି ଯେ, ବଲାଙ୍ଗିର ରାଜନୀତିରେ ମୁଣ୍ଡ ପୁରାଉଥିବା ନେତାଙ୍କ ଉପରେ ଏହା ଈସାରା କରୁଛି ନିଶ୍ଚିତ। ଦେଖା ଯାଉ ଏହି ଶୀତଳ ଯୁଦ୍ଧ ଆଗାମୀ ଦିନରେ କି ରୂପ ନେଉଛି।
ସେପଟେ କଳିକେଶଙ୍କ ଟୁଇଟ ନେଇ ପ୍ରତିକ୍ରିୟା ରଖିଛି ପୂର୍ତ୍ତ ବିଭାଗ। ଏହା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଆସୁଥିବା କହିଛି ପୂର୍ତ୍ତ ବିଭାଗ। ତେବେ ବ୍ରିଜ ଭୁସୁଡିବା ଘଟଣା ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।

Leave a Reply