ନବନୀତା, ଭୁବନେଶ୍ୱର/ଦିଲ୍ଲୀ । ଜମ୍ମୁ କାଶ୍ମୀରରେ ୧୪ ଦିନ ପରେ ଖୋଲିଲା ସ୍କୁଲ । ସୋମବାର ଶ୍ରୀନଗରର ୧୯୦ଟି ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇଛି । ଏଥିସହ ଗତ କିଛି ଦିନ ହେଲା ଘରେ ବନ୍ଦ ଥିବା ଛାତ୍ରଛାତ୍ରୀମାନେ ଏବେ ମୁକ୍ତ ହୋଇ ସ୍କୁଲ ଯାଇଛନ୍ତି । ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ସମସ୍ତ ସ୍ୁଲ କଲେଜ ବନ୍ଦ ରଖାଯାଇଥିଲା । ହେଲେ ସୋମବାରରୁ କେବଳ ପ୍ରାଥମିକ ବିଦ୍ୟାଳୟ ଖୋଲା ଯାଇଛି । ଶ୍ରୀନଗରରେ ଖୋଲା ଯାଇଥିବା ସ୍କୁଲଗୁଡ଼ିକ ହେଲା ଲାସଜାନ, ସାଗରୀ, ପଥଚୌକ, ନୌକାମ, ରାଜବାଗ, ଜବାହରନଗର, ଗଗରିବଲ, ଧାରା, ଥିଡ, ବାଟମାଳୁ ଓ ଶାଲଟିଂ ।
ପ୍ରଶାସନିକ ସୂଚନା ଅନୁସାରେ, ସ୍ଥିତି ସ୍ୱାଭାବିକ ହେବା ପରେ ଧୀରେ ଧୀରେ ଅନ୍ୟ ଅଂଚଳର ସ୍କୁଲରେ ମଧ୍ୟ ପାଠପଢ଼ା ଆରମ୍ଭ ହେବ । ହେଲେ ସମୀକ୍ଷା ପରେ ଅନ୍ୟ ଶ୍ରେଣୀର ସ୍କୁଲ ଖୋଲିପାରେ । ଏସବୁ ଭିତରେ ପରିସ୍ଥିତିର ସାମନା କରିବାକୁ ସୈନିକ ସହ ଅନ୍ୟ ସୁରକ୍ଷା ବଳଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି ।
ଅନ୍ୟପଟେ ଜମ୍ମୁରେ କିଛି ସମୟ ମୋବାଇଲ ସେବା ଆରମ୍ଭ ହେବା ପରେ ପୁଣି ବନ୍ଦ ହୋଇଯାଇଛି । ଜମ୍ମୁ, ସାଂବା, କଠୁଆ, ଉଧମପୁର ଜିଲ୍ଲାରେ ଅସ୍ଥାୟୀ ଭାବେ ମୋବାଇଲ ଇଂଟରନେଟ୍ ସେବା ବନ୍ଦ କରାଯାଇଛି । ଆଇଜି ମୁକେଶ ସିଂହଙ୍କ କହିବା ଅନୁସାରେ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୨ଜି ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି । ତେବେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବା ନେଇ ସୂଚନା ମିଳିଛି । ଏଥିସହ ଘାଟିରେ ଲଗାଯାଇଥିବା ପ୍ରତିବନ୍ଧକକୁ କୋହଳ କରାଯାଇଛି । ମୋଟ ୫୦ ଥାନା ଅଂଚଳରେ ବିଶେଷ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି । ଶନିବାର ହିଂସା ଘଟଣା ଆଶଂକାକୁ ନେଇ ରବିବାର ସହରର କେତେ ଅଂଚଳରେ କଡ଼ା ପ୍ରତିବନ୍ଧକ ଲଗା ଯାଇଥିଲା ।
