ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ଜିଲ୍ଲାରେ ଧରା ପଡିଲା ବେଆଇନ୍ ଚିତାବାଘ ଛାଲ ବ୍ୟାପାର। ଡ଼ିଲ ବେଳେ ମାଡ଼ି ବସିଲା ଏସଟିଏଫ୍। ସଇଁତଳା ଟିକ୍ରାପଡ଼ା ରାସ୍ତାରେ ବାଘଛାଲ ବିକ୍ରି ବେଳେ ବେପାରୀକୁ ଧରିଛି ଏସଟିଏଫ । କଲରାପତରିଆ ଚିତାବାଘ ଛାଲ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ସଇଁତଳା ଟିକ୍ରାପଡ଼ା ରାସ୍ତାରେ ଜଣେ ବ୍ୟକ୍ତି ଏହି ଛାଲ ବିକ୍ରି ପାଇଁ ଯୋଜନା କରୁଥିଲା। ହେଲେ କୌଣସି ସୂତ୍ରରୁ ଖବର ପାଇ ସେଠାରେ ଏସଟିଏଫ ଚଢାଉ କରିଥିଲା। ଏବଂ ଅଭିଯୁକ୍ତଠାରୁ ଗୋଟିଏ କଲରାପତରିଆ ଚିତାବାଘର ଚମଡା ଜବତ କରିଥିଲା । ଗିରଫ ଅଭିଯୁକ୍ତ ଜଣକ ଆଦିକାନ୍ତ ଘିୱାଲା ବୋଲି ଜଣାପଡିଛି। ସେ ବଲାଙ୍ଗୀର ଦୁକେଲ ଗାଁର ହୋଇଥିବା ବେଳେ କେବେଠୁ ଓ କିଭଳି ଭାବରେ ଏହି ବେଆଇନ୍ କାରବାର ଚଳାଇଥିଲା ତାର ଖୋଳତାଡ଼ କରୁଛି ବନ ବିଭାଗ।
ବଲାଙ୍ଗିର ବନ ବିଭାଗର ନାକ ତଳେ ଏହି ବେଆଇନ୍ କାରବାର ଚାଳୁଥିଲେ ବି ବିଭାଗ ଧରି ପାରି ନଥିଲା। କିନ୍ତୁ ଏସଟିଏଫ୍ ଆସି ଚିତା ବାଘ ଛାଲ ବେପାରୀକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏହା ପୂର୍ବରୁ ବଲାଙ୍ଗିର ସହରରୁ ୬ ଟି ହାତୀ ଦାନ୍ତ ଜବତ୍ ସହ ଜଣକୁ ଗିରଫ କରିଥିଲା ଏସଟିଏଫ୍। ହେଲେ ଏନେଇ ବନ ବିଭାଗ ଅଧିକାରୀ କେମିତି ଜାଣି ପାରିଲେ ନାହିଁ ସେନେଇ ସନ୍ଦେହ ସୃଷ୍ଟି ହେଉଛି। ତେବେ ଏହି ବେଆଇନ୍ କାରବାର ପଛରେ ବ୍ୟାପାରିଙ୍କ ସହ ବନ ବିଭାଗ ଅଧିକାରୀଙ୍କ ଭିତିରି ସଲାସୁତୁରା ନୁହେଁ ତ! ଯଦି ଭିତିରି ବୁଝାମଣା ନାହିଁ ତାହେଲେ କାହିଁକି ଧରି ପାରିଲେ ନାହିଁ ବନ ଅଧିକାରୀ। ଦେଖାଯାଉ ଆଗକୁ ବନ ବିଭାଗ ଚେତୁଛି ନା ଜାଣିଶୁଣି ଚୁପ୍ ବସୁଛି।
