ଏନ୍ଏନ୍ ନ୍ୟୁଜ୍। ବଲାଙ୍ଗିର ଜିଲ୍ଲାରେ ଥମୁନି ଦାଦନ ଚାଲାଣ। ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଚାଲାଣ ହୋଇଥାନ୍ତି। ହେଲେ ଚାଲାଣ ବେଳେ ପୋଲିସ ଉଦ୍ଧାର କରି ଘରକୁ ପଠାଉଛି। ଘରେ ରହି ନ ପାରି ଦାନା ପାଇଁ ଘରୁ ଗୋଡ଼ କାଢ଼ୁଛି ଶ୍ରମିକ। ଚାଲାଣ ବେଳେ ପୋଲିସ ହାବୁଡ଼ରେ ପଡ଼ି ଦାଦନ ଉଦ୍ଧାର ବାହାନାରେ ପୁଣି ସେମାନଙ୍କୁ ଘରକୁ ପଠେଇ ଦିଆଯାଉଛି। ପେଟ ପାଇଁ ସେମାନେ ନା ଘରେ ରହି ପାରୁଛନ୍ତି ନା ପ୍ରଶାସନର ରୋକ୍ ଲାଗି ବାହାର ରାଜ୍ୟକୁ ଯାଇ ପାରୁଛନ୍ତି। ଏଠି କାମ ମିଳୁନି କି କାମ କରିବା ପାଇଁ ଯିବାକୁ ବି ଦିଆଯାଉ ନାହିଁ। ଏଭଳି ସ୍ଥିତିରେ ପରିବାର ଚଳାଇବା ଚିନ୍ତାରେ ଘାରି ହେଉଛି ବିଚରା ଶ୍ରମିକ। ସେପଟେ ଶ୍ରମିକଙ୍କୁ କାମ ଯୋଗାଇବାକୁ ସମ୍ପୂର୍ଣ୍ଣ ଫେଲ ମାରିଛି ଜିଲ୍ଲା ପ୍ରଶାସନ।
ରାଜ୍ୟ ବାହାରକୁ ଯିବା ପାଇଁ ସର୍ଦ୍ଦାରଠାରୁ ବଇନା ଟଙ୍କା ଆଣିଥିବା ଶ୍ରମିକଙ୍କୁ ଚାଲାଣ କରାଯାଉଥିଲା। ହେଲେ ପୋଲିସ ଖବର ପାଇ ଯିବାରୁ ସବୁ ଫସର୍ ଫଟି ଗଲା। ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ସଇଁନ୍ତଲା ବ୍ଲକ କୁମ୍ଭାରି ପଞ୍ଚାୟତ କୁମ୍ଭେକେଲା ଗାଁର ପାଖାପାଖି ୧୦ ପରିବାର ହାଇଦ୍ରାବାଦକୁ ଦାଦନ ଖଟି ଯାଉଥିଲେ। ଦାଦନ ଦଲାଲ ସହାୟତାରେ ସେମାନେ କଣ୍ଟାବାଞ୍ଜି ଯାଉଥିବା ବେଳେ ପୋଲିସ ଖବର ପାଇ ବେଆଇନ ଦାଦନ ଚାଲାଣକୁ ରୋକିଥିଲା। ପିକପ ଗାଡ଼ି (ଓଡି ୦୩ଏଚ ୩୩୪୮)କୁ ଅଟକାଇ ୨୮ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ସମସ୍ତଙ୍କୁ ସେମାନଙ୍କ ଗାଁରେ ଛାଡି ଦେଇଥିଲା। ଉଦ୍ଧାର ଶ୍ରମିକମାନଙ୍କ ମଧ୍ୟରେ ୧୦ ଜଣ ପୁରୁଷ ୮ ଜଣ ମହିଳା ଓ ୧୦ ଜଣ ଶିଶୁ ଥିବା ଜଣା ପଡିଛି। ତେବେ କଣ୍ଟାବାଞ୍ଜି ଅଞ୍ଚଲରେ ଦାଦନ ସର୍ଦ୍ଦାର ଆଡ୍ଡା ଜମାଇ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ଥିବା ସୂଚନା ମିଳିଛି। ହେଲେ ବେଆଇନ ଦାଦନ ଚାଲାଣକୁ ରୋକିବାରେ ପ୍ରଶାସନ ସଂପୂର୍ଣ୍ଣ ବିଫଳ ହୋଇଛି।
