ଏନ୍ଏନ ବ୍ୟୁରୋ। ଦିବ୍ୟ ସିଂଭୋଇ ହତ୍ୟା ଘଟଣାରେ ସ୍ତ୍ରୀ ଯଶୋଦାକୁ ପୋଲିସ ଗିରଫ କରିଛି। ସେ ପୋଲିସ ଆଗରେ ନିଜ ଦୋଷ ସ୍ବୀକାର କରିଥିବା ପୋଲିସ କହିଛି। କିନ୍ତୁ ସାତ ଜନମର ସାଥୀ ପାଇଁ ହାତ ଧରିଥିବା ସ୍ୱାମୀକୁ ଯେ ସ୍ତ୍ରୀ ଏମିତି ନୃଶଂସ ହତ୍ୟା କରିବ ଯେକେହି ବି ବିଶ୍ୱାସ କରି ପାରୁ ନାହାନ୍ତି। ଦିବ୍ୟକୁ ସ୍ତ୍ରୀ ଯଶୋଦା ମାରିଛି ନା ଏହା ପଛରେ ଅନ୍ୟ କାହାର ଷଡ଼ଯନ୍ତ୍ର ରହିଛି। କାହିଁକି ନା ଯଶୋଦା ହତ୍ୟା କରିଥିବା କେହି ଦେଖି ନାହାନ୍ତି। ମାନେ ଘଟଣାର ପ୍ରତ୍ୟକ୍ଷଦର୍ଶୀ ନାହିଁ। କେବଳ ପରିବାର ଲୋକେ ତାକୁ ବାହାରକୁ ଯିବା ବେଳେ ଦେଖିଛନ୍ତି। କିନ୍ତୁ ଘଟଣା ନେଇ ପରିବାର ଲୋକେ ସ୍ଥାନୀୟ ଜଣେ ମିଲ ମାଲିକର ନାଁ ନେଇଛନ୍ତି। ପୋଲିସ ସେ ଦିଗକୁ ତଦନ୍ତ କରିବ ନା ପତ୍ନୀକୁ ହତ୍ୟାକାରୀ ଦେଖାଇ ଫାଇଲ ବନ୍ଦ ହୋଇ ଯିବ।
ସୂଚନା ଅନୁସାରେ, ଦୀର୍ଘ ବର୍ଷ ହେଲା ମହିପୁରରେ ଦିବ୍ୟ ଓ ଜଣେ ମିଲ ମାଲିକ ମଧ୍ୟରେ ଜମି ବିବାଦ ଲାଗି ରହିଥିଲା। ଦିବ୍ୟର ଦୁଇଟି ଖାତାର ଏକର ଏକର ଜମିକୁ ସଂପୃକ୍ତ ମିଲ ମାଲିକ ଜାଳିଆତି କରି ହଡ଼ପ କରି ନେଇଥିବା ଅଭିଯୋଗ ମଧ୍ୟ ହୋଇଛି। ଏପରିକି ଦିବ୍ୟ ଦୀର୍ଘ ୧୭ ବର୍ଷ ହେଲା ନ୍ୟାୟ ପାଇଁ ଲଢେଇ କରୁଥିଲେ। ଏନେଇ ଥାନାରେ ଅଭିଯୋଗ କରିଥିଲେ ବି ପୋଲିସ ମିଲ ମାଲିକର ଚାପରେ ଘଟଣାକୁ ଚପାଇ ଦେଉଥିଲେ। ଏନେଇ ମୃତ୍ୟୁ ପୂର୍ବରୁ ଦିବ୍ୟ ନିଜେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ମଧ୍ୟ ରଖିଥିଲେ।
ଜମି ବିବାଦ ସମାଧାନ ହୋଇନଥିବା ବେଳେ ଏବେ ଦିବ୍ୟ ସିଂଭୋଇକୁ ହତ୍ୟା କରା ଯାଇଛି। ହତ୍ୟା ଅଭିଯୋଗରେ ସ୍ତ୍ରୀ ଯଶୋଦାକୁ ଗିରଫ କରାଯାଇଛି। କିନ୍ତୁ ପ୍ରକୃତରେ ଯଶୋଦା ହତ୍ୟାକାରୀ ନା ଏ ଘଟଣା ଷଡ଼ଯନ୍ତ୍ର ପଛରେ ମିଲ ମାଲିକର ସଂପୃକ୍ତି ରହିଛି। ଯେହେତୁ ଜମି ବିବାଦ ନେଇ ଦୀର୍ଘ ବର୍ଷ ହେଲା ଝମେଲା ଲାଗି ରହିଥିଲା ତେଣୁ ପୋଲିସ ଏ ଦିଗରେ ତଦନ୍ତ କରିବ କି? ହତ୍ୟା ପୂର୍ବରୁ ଯଶୋଦା ସଂପୃକ୍ତ ମିଲ ମାଲିକ ଘରକୁ ନିୟମିତ ଯିବା ଆସିବା କରୁଥିବା ଚର୍ଚ୍ଚା ହେଉଛି। ଯେହେତୁ ଯଶୋଦା ଜଣେ ମାନସିକ ରୋଗୀ। ତେଣୁ ତାକୁ ମୋହରା କରି ରାସ୍ତାରୁ ହଟାଇବା ପାଇଁ ମିଲ ମାଲିକ ଷଡଯନ୍ତ୍ର ରଚି ନାହିଁ ତ! ଏଭଳି ଅନେକ ଅସମାହିତ ପ୍ରଶ୍ନ ଉଙ୍କି ମାରୁଛି। ଦେଖାଯାଉ ପୋଲିସ ଏଦିଗରେ ତଦନ୍ତ କରୁଛି ନା ପୂର୍ବ ଭଳି ମିଲ ମାଲିକ ଚାପରେ ଚାପି ହେଇ ଯାଉଛି।
