ନବନୀତା ବ୍ୟୁରୋ। ଲାଂଚ ଅଭିଯୋଗରେ ଜେଲ୍ ଯାଇଥିବା ନିଲମ୍ବିତ ଆଇଏଏସ ବିଜୟକେତନ ଉପାଧ୍ୟାୟ ଜେଲରୁ ବାହାରିଛନ୍ତି। ଜେଲରୁ ବାହାରିବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି ମାମଲା ଏବେ କୋର୍ଟରେ ବିଚାରଧୀନ ରହିଛି। ତେବେ ଅଦାଲତ ଯାହା ନିଷ୍ପତି ନେବେ ମୁଁ ଗ୍ରହଣ କରିବି ବୋଲି କହିଛନ୍ତି ନିଲମ୍ବିତ ଆଇଏଏସ ବିଜୟ କେତନ ଉପାଧ୍ୟାୟ।
ସୋମବାର ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ପାଇଥିଲେ ବିଜୟ କେତନ। ମଙ୍ଗଳବାର ଝାରପଡ଼ା ଜେଲରୁ ମୁକୁଳିଛନ୍ତି। ଲକ୍ଷେ ଟଙ୍କା ଲାଞ୍ଚ ଅଭିଯୋଗରେ ଭିଲିଲାନ୍ସ ଜାଲରେ ଛନ୍ଦି ହୋଇ ଜେଲ ଯିବା ସହ ଚାକିରୀରୁ ନିଲମ୍ବିତ ହୋଇଛନ୍ତି ବିଜୟ କେତନ।
ସୂଚନାଯୋଗ୍ୟ ଯେ, ବିଲ ପାସ କରାଇବା ପାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ବିଜୟ କେତନ ଉପାଧ୍ୟାୟ। ଏହାପରେ ସରକାର ତାଙ୍କୁ ନିଲମ୍ବନ କରିବା ସହ ଗିରଫ କରିଥିଲେ। ତାସହ ଏହି ଘଟଣାରେ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଘଟଣା ନେଇ ଭିଜିଲାନ୍ସ ଅଧିକାରୀ ଅଧିକ ପଚରା ଉଚୁରା କରିବା ପରେ ଜେଲ୍ ଯାଇଥିଲେ ବିଜୟ କେତନ। ତେବେ ସୋମବାର ସର୍ତ୍ତ ମୂଳକ ଜାମିନ ପାଇବା ପରେ ମଙ୍ଗଳବାର ଝାରପଡ଼ା ଜେଲରୁ ମୁକୁଳିଛନ୍ତି ବିଜୟ କେତନ।
