ନବନୀତା ବ୍ୟୁରୋ। ୨୦୨୪ ସୁଦ୍ଧା ରିଫାଇନିଂ, ପାଇପ ଲାଇନ ଏବଂ ଗ୍ୟାସ ଟର୍ମିନାଲରେ ୧୦୦ ବିଲିୟନ ପୁଞ୍ଜିନିବେଶ କରିବାକୁ ଲକ୍ଷ୍ୟ ରଖିଛି ଭାରତ। ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ଭାରତ ଉକୃଷ୍ଟ ସ୍ଥାନ ବୋଲି ଆବୁଧାବୀ ଅନ୍ତର୍ଜାତୀୟ ପେଟ୍ରୋଲିୟମ ପ୍ରଦର୍ଶନୀ ଓ ସମ୍ମିଳନୀରେ (ଆଡିପେକ-୨୦୧୯) କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ୟୁଏଇ ମନ୍ତ୍ରୀ ସୁଲତାନ ଅଲ୍ ଜାବେରଙ୍କ ଭାରତ ପ୍ୟାଭିଲିୟନକୁ ମଧ୍ୟ ଉଦଘାଟନ କରିଛନ୍ତି । ଭାରତକୁ କମ୍ କାର୍ବନ ନିଗର୍ମନ ଅର୍ଥ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାର ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥନୀତି କରିବା ଲାଗି ଯୋଜନାବଦ୍ଧ ଉଦ୍ୟମ ଜାରି ରଖିଥିବା ଧର୍ମେନ୍ଦ୍ର ପ୍ରଧାନ କହଛନ୍ତି ।

୨୦୩୦ ସୁଦ୍ଧା ଗ୍ୟାସର ସେୟାରକୁ ୧୫ ପ୍ରତିଶତ ବୃଦ୍ଧି କରିବା ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିବା ଧର୍ମେନ୍ଦ୍ର କହିଛନ୍ତି। ଏପରିକି ୨୦୨୦ ମଧ୍ୟଭାଗ ସୁଦ୍ଧା ଉର୍ଜା କ୍ଷେତ୍ରରେ ଭାରତ ବୃହତ ବଜାର ହେବା ନେଇ ଆଶା ରଖିଛି । ତେଣୁ ବିଶ୍ୱ ଶକ୍ତି ଯୋଗାଣ ଏବଂ ଶକ୍ତି ବ୍ୟବହାରରେ ଭାରତ ମଧ୍ୟଭାଗରେ ଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥବ୍ୟବସ୍ଥା କରିବା ଲାଗି ୬୦ ନିୟୁତ ଆମେରିକୀୟ ଡଲାର ବ୍ୟୟ ବରାଦରେ ଗ୍ୟାସ୍ ପାଇପ୍ ଲାଇନ୍ , ଟର୍ମିନାଲ , ସିଟି ଗ୍ୟାସ୍ ବିତରଣ ବ୍ୟବସ୍ଥା ଭଳି ବିଭିନ୍ନ କାର୍ଯ୍ୟ ତ୍ଵରାନିତ ଚାଲିଛି । ଆଗାମୀ ଦଶକରେ ଭାରତ ବିଶ୍ୱ ଶକ୍ତି ଚାହିଦାର କେନ୍ଦ୍ର ବିନ୍ଦୁ ପଲଟିବ ବୋଲି ସେ କହିଛନ୍ତି ।
