ନବନୀତା ବ୍ୟୁରୋ। ଉଦଘାଟିତ ହେଲା ଐତିହାସିକ କଟକ ବାଲିଯାତ୍ରା। ଏହାକୁ ଉଦଘାଟନ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ମଙ୍ଗଳବାରଠାରୁ ମହାନଦୀ ପଠାରେ ଆରମ୍ଭ ହୋଇଥିବା ବାଲିଯାତ୍ରା ଦୀର୍ଘ ଆଠ ଦିନ ଧରି ଚାଲିବ। ଏଥିରେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଯୋଗ ଦେଇଛନ୍ତି। ତାସହ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା, ସ୍ଥାନୀୟ ସାଂସଦ ଭର୍ତୃହରି ମହତାବ ଓ କଟକର ସମସ୍ତ ବିଧାୟକ ଉପସ୍ଥିତ ଥିଲେ।
ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ଐତିହ୍ୟ ଓ ସ୍ମୃତି ବହନ କରୁଥିବା ଐତିହାସିକ ବାଲିଯାତ୍ରା ଏବର୍ଷ ୪ ଟି ମଞ୍ଚରେ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି। ବାଲିଯାତ୍ରା ପଡ଼ିଆରେ ଏଥର ପ୍ରାୟ ୧୭୦୦ରୁ ଅଧିକ ଷ୍ଟଲ୍ ଲାଗିଛି। ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ଲାଗି ପ୍ରଶାସନ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତେବେ ପ୍ରଥମ କରି ବାଲିଯାତ୍ରାରେ ଆୟୋଜିତ ହେବାକୁ ଥିବା ପଥଉତ୍ସବରେ ସ୍ଥାନୀୟ କଳାକାରମାନେ ନାଚଗୀତ ପରିବେଷଣ କରିବା କାର୍ଯ୍ୟକ୍ରମ ରହିଛି। ତାସହ ସୋନା ମହାପାତ୍ର, ୠତୁରାଜ୍ ମହାନ୍ତି, ଦଲେର ମେହେନ୍ଦି, ଇରା ମହାନ୍ତି, ହ୍ୟୁମାନ ସାଗର, ଅସୀମା ପଣ୍ଡା, ରତିକାନ୍ତ ମହାପାତ୍ର, ଗୁଡଲି ରଥଙ୍କ ଭଳି କଣ୍ଠଶିଳ୍ପୀ ମଧ୍ୟ ଉପସ୍ଥିତ ରହି ବାଲିଯାତ୍ରା ଉତ୍ସବକୁ ଆହୁରି ରଙ୍ଗୀନ କରିବା କାର୍ଯ୍ୟକ୍ରମ ରହିଛି।
ଐତିହାସିକ ବାଲିଯାତ୍ରାର ଐତିହ୍ୟ, ପରମ୍ପରା ଓ ସଂସ୍କୃତି ବାବଦରେ ଆଲୋଚନା ଲାଗି ମୋ କଟକ ପାଭିଲିଆନ୍ ସ୍ଥାପନ କରାଯାଇଛି। ପରିବେଶ ସଂପର୍କରେ ସଚେତନତା ପାଇଁ ମୋ ରିକ୍ସା ଓ ମୋ ସାଇକଲ କାର୍ଯ୍ୟକ୍ରମ ହାତକୁ ନେଇଛି ପ୍ରଶାସନ।
