ଏନ୍ଏନ୍ ବ୍ୟୁରୋ। ବଣ ଭିତରେ ମଦର ବନ୍ୟା। ବଲାଙ୍ଗିର ସହର ଉପକଣ୍ଠ ବିଜାଖମନ ଜଙ୍ଗଲରେ ବିପୁଳ ପରିମାଣର ଦେଶୀ ମଦ ନଷ୍ଟ କରାଯାଇଛି। ବଲାଙ୍ଗିର ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ୭ ହଜାର ଲିଟର ଦେଶୀ ମଦ ନଷ୍ଟ କରାଯାଇଛି। ଜିଲ୍ଲାର ୧୭ଟି ଥାନା ଅଧୀନରେ ହୋଇଥିବା ମୋଟ ୫୦୮ ମାମଲାରେ ଏହି ସବୁ ମଦ ଜବତ କରାଯାଇଥିଲା। ତେବେ ଆଇନଗତ ଭାବେ ଓଡ଼ିଶାରେ ପ୍ରଥମ ଥର ପାଇଁ ଜବତ ମଦ ନଷ୍ଟ କରାଯାଇଥିବା ଏସ୍ପି ନୀତିନ କୁଶଲକର ସୂଚନା ଦେଇଛନ୍ତି। ନଷ୍ଟ କରାଯାଇଥିବା ମଦର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଏସ୍ପି କହିଛନ୍ତି।
ମଦ ନଷ୍ଟ ପୂର୍ବରୁ ଜିଲ୍ଲାର ୧୭ଟି ଥାନାରେ ଜବତ ଦେଶୀ ମଦକୁ ଜଙ୍ଗଲ ଭିତରେ ସାଇତି ରଖାଯାଇଥିଲା। ବଲାଙ୍ଗିର ଟାଉନ ଥାନା, ସଦର ଥାନା, ଦେଓଗାଁ, ଲୋଇସିଂହା, ପୁଇଁନ୍ତଲା, ଲାଠୋର, ଲରମ୍ଭା, ବଙ୍ଗୋମୁଣ୍ଡା, ମୁରିବାହାଲ, କଣ୍ଟାବାଞ୍ଜି, ସିନ୍ଧେକେଲା, ସଇଁନ୍ତଲା, ଟିଟିଲାଗଡ଼, ତୁରେକେଲା, ତୁଷୁରା ଓ ବେଲପଡ଼ା ଥାନାରେ ହୋଇଥିବା ୫୦୮ଟି ମାମଲାରେ ୭୦୦୦ ଲିଟରରୁ ଅଧିକ ଦେଶୀ ମଦ ଆଣି ପଡ଼ିଆରେ ରଖା ଯାଇଥିଲା। ଏସ୍ପି ସେଠାକୁ ଯାଇ ନିରୀକ୍ଷଣ କରିବା ପରେ ତାଙ୍କ ଉପସ୍ଥିତିରେ ଜେସିବି ସହାୟତାର ଦେଶୀ ମଦ ନଷ୍ଟ କରାଯାଇଥିଲା। ଏବଂ ଆଗାମୀ ଦିନରେ ମଧ୍ୟ ଏଭଳି ଦେଶୀ, ବିଦେଶୀ ମଦ ସହ ନିଶାଦ୍ରବ୍ୟକୁ ପରିତ୍ୟକ୍ତ ଜାଗାରେ ନଷ୍ଟ କରାଯିବାକୁ କହିଛନ୍ତି ଏସପି।
ତେବେ ମଦ ନଷ୍ଟ ପ୍ରକ୍ରିୟା ସମୟରେ ଏସପି ନୀତିନ କୁଶଲକରଙ୍କ ସହ ଅତିରିକ୍ତ ଏସ୍ପି ସୁରେଶ କୁମାର ନାଏକ, ଅବକାରୀ ଅଧୀକ୍ଷକ ସୀତାକାନ୍ତ ମୁଦୁଲି, ସଦର ଏସ୍ଡିପିଓ ତୋଫାନ ବାଗ, ବଲାଙ୍ଗିର ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡାଙ୍କ
ସହ ଜିଲ୍ଲାର ବିଭିନ୍ନ ଥାନାର ଆଇଆଇସି ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ହେଲେ ଆଗାମୀ ଦିନରେ ବି ଏଭଳି ପ୍ରକ୍ରିୟା ଜାରି ରଖିବାକୁ ଏସପି ସୂଚନା ଦେଇଛନ୍ତି। ଅନ୍ୟପଟେ ଗାଁ ସହ ଜଙ୍ଗଲରେ ଗଢି ଉଠିଥିବା କୁଟୀର ମଦ ଶିଳ୍ପ ଉପରେ ପଦକ୍ଷେପ ନିଆଯିବ ବୋଲି ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି।
