ଏନ୍ଏନ୍ ବ୍ୟୁରୋ। ମଦ ବିରୋଧରେ ତାତିଲେ ମହିଳା। ମଦ ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ପଞ୍ଚାୟତରେ ମଦ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ବ୍ଲକ ପିପିର୍ଡ଼ା ପଞ୍ଚାୟତରେ ମହିଳାମାନେ ମଦ ବନ୍ଦ ପାଇଁ ଅଣ୍ଟା ଭିଡିଛନ୍ତି। ପଞ୍ଚାୟତର ମୋଟ ୪୫ଟି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ଏକତ୍ରିତ ହୋଇ ମଦ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି। ଏସଏଚଜି ମହାସଂଘର ସଭାନେତ୍ରୀ ପୂଜା କଲେତ ଓ ସମ୍ପାଦିକା ଜ୍ୟୋତ୍ସ୍ନାମୟୀ ପଣ୍ଡାଙ୍କ ନେତୃତ୍ଵରେ ଅନୁଷ୍ଠିତ ବୈଠକରେ ବିଡିସିସି ସଭାପତି ତଥା ସ୍ଥାନୀୟ ସମିତି ସଭ୍ୟ ସ୍ମାରକ ମିଶ୍ର ଯୋଗ ଦେଇ ମହିଳାଙ୍କ ମଦ ବିରୋଧୀ ଅଭିଯାନକୁ ସମର୍ଥନ କରିଥିଲେ। ଏବଂ ଆଗାମୀ ଦିନରେ ମଦ ବନ୍ଦ ନହେଲେ ବ୍ୟାପକ ଆନ୍ଦୋଳନ ହେବ ବୋଲି ସ୍ମାରକ ଚେତାବନୀ ଦେଇଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ରୁବି ବାବୁ ଓ କୃଷି ସମବାୟ ସମିତିର ସଭାପତି ମନୋରଂଜନ ତ୍ରିପାଠୀ ଯୋଗ ଦେଇ ମଦ ବିରୋଧୀ ଅଭିଯାନକୁ ସହଯୋଗ କରିବା ସହ ପଞ୍ଚାୟତରେ ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ ବୋଲି କହିଥିଲେ। ପରେ ମଦ ବିରୋଧରେ ଲୋକଙ୍କୁ ସଚେତନ କରାଯାଇଥିଲା। ଏଥିରେ ଏସ୍ଏଚଜି ଗ୍ରୁପର ଶହ ଶହ ମହିଳା ସାମିଲ ହୋଇଥିଲେ। ପ୍ରଥମେ ପିପିର୍ଡା ପଞ୍ଚାୟତର ପିପିର୍ଡା ଗାଁରେ ବିଶାଳ ଶୋଭାଯାତ୍ରା କରିବା ପରେ ରାଣିକଟା ଓ ରାକ୍ସିମୁଣ୍ଡାରେ ମଦ ବିରୋଧରେ ଲୋକଙ୍କୁ ସଚେତନ କରାଯାଇଥିଲା। ପଞ୍ଚାୟତରେ ମଦ ବିକ୍ରି ବନ୍ଦ କରି ମଦ ମୁକ୍ତ ଅଂଚଳ କରିବା ଲକ୍ଷ୍ୟରେ ମହିଳାମାନେ ଅଣ୍ଟା ଭିଡିଛନ୍ତି। ହେଲେ ମଦ ବିକ୍ରି ବନ୍ଦ ନହେଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି।
