ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ବିଜେଡ଼ିର ଗୁଣ୍ଡାଗର୍ଦି। ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ ସହ କର୍ମୀଙ୍କୁ ଆକ୍ରମଣ ଅଭିଯୋଗ। ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ବିଜେଡ଼ି ନେତା ଓ କର୍ମୀ ଅଣ୍ଡାମାଡ କରିବା ସହ ବିଜେପି କର୍ମୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ବିଜେପି ପକ୍ଷରୁ ପୁଇନ୍ତଲା ଥାନାରେ ଏତଲା ଦିଆଯାଇଛି। ତେବେ ଘଟଣାରେ ସଂପୃକ୍ତ ବିଜେଡ଼ି ଜିଲ୍ଲା ଉପସଭାପତି ସୁରେଶ ନାଏକ ଓ ପୁଇନ୍ତଲା ବ୍ଲକ୍ ବିଜେଡ଼ି ସଭାପତି ବିଷ୍ଣୁ ପଟେଲଙ୍କୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି।

ସୂଚନା ଅନୁସାରେ, ମଙ୍ଗଳବାର ବିଧାୟକ ମୁକେଶ ମହାଲିଙ୍ଗ ପୁଇନ୍ତଲା ବ୍ଲକର ବିଭିନ୍ନ ମଣ୍ଡି ପରିଦର୍ଶନ କାର୍ଯ୍ୟକ୍ରମ ରହିଥିଲା। ପୂର୍ବାହ୍ନରେ ମଣ୍ଡି ଗସ୍ତ ବେଳେ ଭାଲେରଠାରେ ବିଧାୟକଙ୍କୁ ବିଜେଡ଼ି କର୍ମୀ କଳା ପତାକା ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ପ୍ରତିବାଦ କରିବାରୁ ବିଜେଡ଼ି – ବିଜେପି କର୍ମୀ ମଧ୍ୟରେ ଧସ୍ତାଧୁସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ହେଲେ ସନ୍ଧ୍ୟାରେ ବ୍ଲକର ବିଭିନ୍ନ ମଣ୍ଡି ପରିଦର୍ଶନ କରି ପୁଇନ୍ତଲା ମଣ୍ଡିକୁ ପ୍ରବେଶ କରିବା ପୂର୍ବରୁ ଅଭାବନୀୟ ପରିସ୍ଥିତି ଉପୁଜିଥିଲା। ମଣ୍ଡିକୁ ପରିଦର୍ଶନ ପାଇଁ ବିରୋଧ କରିବା ସହ ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିଥିଲେ ବିଜେଡ଼ି କର୍ମୀ। ହେଲେ ଏହାକୁ ବିଜେପି କର୍ମୀ ପ୍ରତିବାଦ କରିବାରୁ ପରିସ୍ଥିତି ଆହୁରି ସଙ୍ଗୀନ ହୋଇଥିଲା। ବିଜେପି ବିଜେଡ଼ି କର୍ମୀ ମଧ୍ୟରେ ଧସ୍ତାଧୁସ୍ତି ହୋଇଥିଲା। ଏପରିକି ବିଜେପିର ଜଣେ କର୍ମୀ ବିବେକାନନ୍ଦ ପଟେଲ ଓ ଦ୍ଵିତିକୃଷ୍ଣ ସେଲମାଙ୍କୁ ମୁଥ ମାରି ଆକ୍ରମଣ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ତାସହ ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ଗାଡ଼ିକୁ ଅଣ୍ଡାମାଡ କରିଥିଲେ ବିଜେଡ଼ି କର୍ମୀ। ହେଲେ ଆଶ୍ଚର୍ଯ୍ୟର ଘଟଣା ଏସବୁ କାର୍ଯ୍ୟ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଘଟୁଥିଲା। ପୋଲିସ ଗଣ୍ଡଗୋଳ ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରିଥିଲେ ବି ଫେଲ ମାରିଥିଲେ।

ଘଟଣା ନେଇ କର୍ମୀଙ୍କ ସହ ବିଧାୟକ ପୁଇନ୍ତଲା ଥାନାକୁ ଯାଇଥିଲେ। ବିଜେଡି କର୍ମୀ ଦ୍ଵାରା ଆକ୍ରମଣର ଶିକାର ହୋଇଥିବା ବିବେକାନନ୍ଦ ପଟେଲ ଥାନାରେ ଏତଲା ଦେଇଥିଲେ। ଜିଲ୍ଲା ବିଜେଡ଼ି ଉପସଭାପତି ସୁରେଶ ନାଏକ, ପୁଇନ୍ତଲା ବ୍ଲକ୍ ବିଜେଡ଼ି ସଭାପତି ବିଷ୍ଣୁ ପଟେଲ, ଭାଗିରଥି ସେଠ୍, ଜ୍ଞାନରଞ୍ଜନ ଷଡ଼ଙ୍ଗୀ, ଅରୁଣ ନାଏକଙ୍କ ସହ ଅନେକ ବିଜେଡ଼ି ନେତା ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ତେଣୁ ଘଟଣାରେ ସଂପୃକ୍ତ ବିଜେଡ଼ି ନେତା କର୍ମୀଙ୍କୁ ଗିରଫ କରିବାକୁ ଦାବି କରିଥାନ୍ତି ବିଧାୟକ। ସେପଟେ ପୋଲିସ ଘଟଣାକୁ ଗୁରୁତର ଭାବେ ନେବା ସହ ଛାନଭିନ ଚଳାଇଛି। ଏବଂ ଘଟଣାରେ ସଂପୃକ୍ତ ବ୍ୟକ୍ତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ ତୁଫାନ ବାଗ ସୂଚନା ଦେଇଛନ୍ତି। ସେପଟେ ଅଭିଯୋଗ ନେଇ ବିଜେଡ଼ି ପକ୍ଷରୁ କାହାରି ପ୍ରତିକ୍ରିୟା ମିଳି ପାରି ନାହିଁ। ଏଠି ପ୍ରଶ୍ନ ଉଠୁଛି, ଯେଉଁଠି ବିଧାୟକ ନିଜକୁ ଅସୁରକ୍ଷିତ ମଣୁଛନ୍ତି ସେଠାରେ ସାଧାରଣ ଜନତା କିଭଳି ପରିସ୍ଥିତିରେ ଥିବେ ତାହା ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଦେଖାଯାଉ ପୋଲିସ ଦୋଷୀକୁ ଗିରଫ କରି କୋର୍ଟ ଚାଲାଣ କରୁଛି ନା ଶାସକ ଦଳ ନେତାଙ୍କ ଚାପରେ ଚାପି ହୋଇ ଯାଉଛି?
