ଏମିତି ଢଙ୍ଗରେ ଖର୍ଚ୍ଚ ହେଉଛି ସରକାରୀ ତହବିଲର ଟଙ୍କା!

ଓଡ଼ିଶାବଡ଼ ଖବରସ୍ପେଶାଲ

ନବନୀତା ବ୍ୟୁରୋ। ଗୋଚର୍ ଜମିରେ ବେଆଇନ୍ କଲ୍ୟାଣ ମଣ୍ଡପ ନିର୍ମାଣ। ତାହା ପୁଣି ପଞ୍ଚାୟତ ମଧ୍ୟରେ। ନିର୍ମାଣ ଆରମ୍ଭରୁ ଲୋକଙ୍କ ବିରୋଧ ସତ୍ତ୍ଵେ ଚାଲିଛି ବେଆଇନ୍ କଲ୍ୟାଣ ମଣ୍ଡପ ନିର୍ମାଣ। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ କୁରୂଲ୍ ଗ୍ରାମ ପଞ୍ଚାୟତରୁ। ତେବେ ଆଶ୍ଚର୍ଯ୍ୟର ବିଷୟ ଏହି ବେଆଇନ୍ କଲ୍ୟାଣ ମଣ୍ଡପ ନିର୍ମାଣ ନେଇ ବିଡିଓ ରବି ନାରାୟଣ ଆଚାର୍ଯ୍ୟଙ୍କ ପାଖରେ କୌଣସି ସୂଚନା ନାହିଁ।

କୁରୁଲ୍ ପଞ୍ଚାୟତ ଭିତରେ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟକୁ ଗ୍ରାମବାସୀ ବିରୋଧ କରି ଆସୁଛନ୍ତି । କାରଣ, କଲ୍ୟାଣ ମଣ୍ଡପ ଶ୍ମଶାନ ଘାଟ ସମ୍ମୁଖରେ ନିର୍ମାଣ ହୋଇଛି। ଶ୍ମଶାନ ଘାଟରେ ଶବ ଦାହ ସମୟରେ ଯଦି କାହାର ବିବାହ ବା ଶୁଦ୍ଧି କ୍ରିୟା ହୁଏ ତାହେଲେ ସେତେବେଳର ଦୃଶ୍ୟ ବର୍ତ୍ତମାନର ସରପଞ୍ଚ ସେତିକି ବେଳେ ସମସ୍ୟା ସମାଧାନ କରିପାରିବେ କିି ? ଏଥିସହ ଉକ୍ତ ସ୍ଥାନରେ ଏକ ୧,୫୦,୦୦୦ ଲିଟର ପାଣି ଟ୍ୟାଙ୍କ ରହିଛି। କେବଳ ଏତିକି ନୁହେଁ, ସ୍କୁଲକୁ ଲାଗି ପଞ୍ଚାୟତ ଏବଂ ପଞ୍ଚାୟତ ପରିସରରେ କଲ୍ୟାଣ ମଣ୍ଡପ ନିର୍ମାଣ ହେଉଥିବାରୁ ପାଠ ପଢାରେ ଅସୁବିଧା ଉପୁଜିବା ଆଶଙ୍କା ରହିଛି। ଏପରିକି ମଣ୍ଡପ ଆଗରେ ପାର୍କିଂ ସୁବିଧା ବି ନ ଥିବା ଅଭିଯୋଗ ହୋଇଛି।

ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁଯାୟୀ କୁରୁଲ ଗ୍ରାମ ପଞ୍ଚାୟତ ଗୋଚର ଜମିରେ ନିର୍ମିତ ହୋଇଛି, ଯାହାର କୌଣସି ଡକ୍ୟୁମେଣ୍ଟ ପଞ୍ଚାୟତରେ ଉପଲବ୍ଧ ନାହିଁ । ତେବେ ଚତୁର୍ଥ ଅର୍ଥ କମିଶନ ପାଣ୍ଠିରୁ ମିଳିଥିବା ୧୦ ଲକ୍ଷ ଟଙ୍କା ଡକ୍ୟୁମେଣ୍ଟ ନଥିବା ଗୋଚର ଜମିରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ମଞ୍ଜୁରୀ ହେଲା କିପରି। ସଂପୃକ୍ତ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଭୋଇ ଏହାର ଲେଆଉଟ୍ ଦେଲେ କେମିତି! ଦଲିଲ ନଥିବା ଜାଗାରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଜେଇ କିଭଳି ଭାବେ ଲେଆଉଟ୍ ଦେଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକୁ ସ୍ଥାନୀୟ ଲୋକେ ବିରୋଧ କରିବା ପରେ ମଧ୍ୟ ସେଠାରେ ବେଆଇନ୍ ନିର୍ମାଣ ଚାଲିଛି। ସରପଞ୍ଚ ଓ ବିଭାଗୀୟ ଅଧିକାରୀଙ୍କ ସଲସୁତୁରାରେ ଏଭଳି କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇଛି।

କଲ୍ୟାଣ ମଣ୍ଡପ ନିର୍ମାଣ ନେଇ ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା।

୧. କଲ୍ୟାଣ ମଣ୍ଡପ ଶ୍ମଶାନ ଘାଟ ସମ୍ମୁଖ ରେ ହେବା ଆଇନ୍ ସମ୍ମତ ନୁହେଁ ବୋଲି କହିଛନ୍ତି ଗାଁର ଅସିତ୍ ରଞ୍ଜନ ପଟ୍ଟନାୟକ। ଗୋଟିଏ ପଟେ ଶବ ସତ୍କାର ସହ ଅନ୍ୟ ପଟେ ଭୋଜିଭାତ ମଉଜ ମଜଲିସ୍ ହେବା ଅନୁଚିତ। ବିଶେଷ କରି ବସ୍ତି ଠାରୁ କଲ୍ୟାଣ ମଣ୍ଡପ ପ୍ରାୟ ୧/୨ କିଲୋମିଟର ଦୂରରେ ଥିବାରୁ ଗରିବ ଲୋକ ଉପକୃତ ହେବେ ନାହିଁ। ଯଦି ପ୍ରଶାସନ ନିର୍ମାଣ କାମ ବନ୍ଦ ନ କରନ୍ତି ଆମ୍ଭେ ଜନସ୍ବାର୍ଥ ମାମଲା କରିବା ପାଇଁ ବାଧ୍ୟ ହେବୁ ବୋଲି ସେ କହିଛନ୍ତି।
୨. କଲ୍ୟାଣ ମଣ୍ଡପ ନିର୍ମାଣକୁ ପ୍ରଥମରୁ ବିରୋଧ କରି ଆସୁଥିବା ସତ୍ତ୍ଵେ ବି ସରପଞ୍ଚ ନିଜେ ଠିକାଦାର ସାଜି ବେଖାତିର ଭାବେ ପ୍ରତିକୂଳ ସ୍ଥାନରେ ନିର୍ମାଣ କରିବା ଠିକ୍ ନୁହେଁ ବୋଲି କହିଛନ୍ତି ୪ ନମ୍ବର୍ ୱାର୍ଡର ସଭ୍ୟ ମାନିକା ମହାନନ୍ଦ।
୩. କଲ୍ୟାଣ ମଣ୍ଡପ ନିର୍ମାଣକୁ ବିରୋଧ କରୁନାହିଁ ବୋଲି କହିଛନ୍ତି ବିଆର୍ ଆମ୍ବେଦକର କ୍ଲବର ସଭାପତି ଶଙ୍କର ନନ୍ଦ। ହେଲେ ଦୁଃଖର କଥା ସରପଞ୍ଚ ନିର୍ମାଣ ପୂର୍ବରୁ ଜନମତ ନେବା ଆବଶ୍ୟକ। ସେ କୁରୁଲ ଗ୍ରାମ ପଞ୍ଚାୟତର ସମସ୍ତ ନିର୍ମାଣ କାମକୁ ମନମୁଖୀ କରିଥାନ୍ତି।ସ୍ଥାନଟି ସମ୍ପୂର୍ଣ୍ଣ ଅଯୋଗ୍ୟ ବୋଲି ସେ କହିଛନ୍ତି।
୪. ପଲ୍ଲୀସଭା ଓ ଗ୍ରାମସଭା ମାଧ୍ୟମରେ ହୋଇଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ଗାଁର ଅନ୍ୟ ଜଣେ ବ୍ୟକ୍ତି ଲକ୍ଷ୍ମଣ ନନ୍ଦ। ଗାଁ ମୁଣ୍ଡରେ ୧୪ ଡିସିମିଲ ପରିମିତ ସ୍ଥାନ ରହି ମଧ୍ୟ ସେଠାରେ ନିର୍ମିତ ହେବା ଦୁଃଖର ବିଷୟ ବୋଲି କହିଛନ୍ତି ଲକ୍ଷ୍ମଣ ନନ୍ଦ।
ତେବେ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ଓ
ଡକ୍ୟୁମେଣ୍ଟ ନଥିବା ସ୍ଥାନରେ ସରକାରୀ ଟଙ୍କା ବିନିଯୋଗକୁ ବିରୋଧ ତଥା ସୁରକ୍ଷିତ ସ୍ଥାନରେ ନିର୍ମାଣ କରିବାକୁ କୁରୁଲ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ବିହିତ ପଦକ୍ଷେପ ନେବାକୁ ବଲାଙ୍ଗିର ଜିଲ୍ଲାପାଳ , ତହସିଲଦାର, ପୁଇନ୍ତଲା ଗୋଷ୍ଟି ଉନ୍ନୟନ ଅଧିକାରୀ ଓ ଭାଲେର ଆରଆଇଙ୍କୁ ଲିଖିତ ଅଭିଯୋଗ କରିଛନ୍ତିି। ଯଦି ଜିଲ୍ଲା ପ୍ରଶାସନ ଏ ଉପରେ କୌଣସି ପଦକ୍ଷେପ ନ ନିଅନ୍ତି ତାହେଲେ ଗ୍ରାମବାସୀ ଆଇନ୍ ଅଦାଲତରେ ଜନସ୍ବାର୍ଥ ମାମଲା କରିବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।
ସେପଟେ ଏନେଇ ସ୍ଥାନୀୟ ସରପଞ୍ଚ ଓ ସଂପୃକ୍ତ ପଞ୍ଚାୟତ ଦାୟିତ୍ୱରେ ଥିବା ଜେଇ ଭୋଇଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଏନେଇ ବିଡିଓ ରବି ନାରାୟଣ ଆଚାର୍ଯ୍ୟଙ୍କ ପାଖରେ କିନ୍ତୁ କୌଣସି ସୂଚନା ନାହିଁ। ସେ କିଛି ନ ଜାଣିଲା ଭଳି ଏ ଉପରେ ପଚାରି ବୁଝିବି ବୋଲି କହି ଘଟଣାକୁ ଅତି ହାଲକା ହିସାବରେ ନେଇଥିଲେ। ଏଠି ପ୍ରଶ୍ନ ଉଠୁଛି ଯେ, ୧୦ ଲକ୍ଷ ଟଙ୍କାର କଲ୍ୟାଣ ମଣ୍ଡପ କାମ ଚାଲି ଥିଲେ ବି ଏନେଇ ବିଡିଓ ଜାଣି ପାରିଲେ ନି କେମିତି! ଯଦି ବିକାଶମୂଳକ କାର୍ଯ୍ୟ ଉପରେ ସେ ଅବଗତ ନୁହନ୍ତି, ତାହେଲେ ତାଙ୍କ ଅଜାଣତରେ କିଏ ବ୍ଲକର କାମ ବୁଝୁଛି। ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଦେଖାଯାଉ ଆଗାମୀ ଦିନରେ କି ପଦକ୍ଷେପ ଗ୍ରହଣ କରୁଛି ଜିଲ୍ଲା ପ୍ରଶାସନ।