ଏନ୍ଏନ୍ ବ୍ୟୁରୋ l ଜେଏସ୍ଏମ୍ କମର୍ସ ଡିଗ୍ରୀ କଲେଜ ପକ୍ଷରୁ ସ୍ନାତକ ଦିବସ ପାଳିତ ହୋଇଯାଇଛି l ସ୍ଥାନୀୟ ପତିତପାବନ ଏକାଡେମୀ ଠାରେ ଅୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ନିରଂଜନ ବିଶି ଯୋଗ ଦେଇଥିଲେ l ନମ୍ର, ଆତ୍ମବିଶ୍ୱାସ, କଠିନ ପରିଶ୍ରମ ଓ ଶିଖିବା କେବେ ବି ବନ୍ଦ କରନ୍ତୁ ନାହିଁ ବୋଲି ଛାତ୍ରଛାତ୍ରୀଙ୍କୁ ସେ ପରାମର୍ଶ ଦେଇଥିଲେ l ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ଇନକମ୍ ଟ୍ୟାକ୍ସ କମିଶନର ଶ୍ରୀକାନ୍ତ ଚାଟାର୍ଜୀ ଯୋଗ ଦେଇ ନିଜ ଜୀବନରେ ଲକ୍ଷ୍ୟ ପ୍ରତି ଏକାଗ୍ର ଓ ଦୃଢ଼ ହେବା ସହ ସଫଳତା ପାଇଁ ନିଜ ଭିତରେ ଥିବା ଜିଜ୍ଞାସାକୁ ବୃଦ୍ଧି କରିବା ଉପରେ ଜୋର୍ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ପ୍ରଫେସର ଡ.ମନୋଜ କୁମାର ନାଗ କମର୍ସ ପାଠ୍ୟକ୍ରମରେ ଶିକ୍ଷାର୍ଥୀମାନଙ୍କ କ୍ୟାରିୟର ସ୍ରୁଷ୍ଟି କରିବାର ଅନେକ ସୁଯୋଗ ରହିଥିବା ସହ ଅଧ୍ୟବସାୟ ଓ ନିଷ୍ଠା ବଳରେ ସଫଳତାର ଶିଖରକୁ ଛୁଇଁ ହେବ ବୋଲି କହିଥିଲେ l
କଲେଜର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସି.ଏ ଶ୍ରୀକାନ୍ତ ଶର୍ମାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ଡ. ମନସ୍ମିତା ମିଶ୍ର, ନିର୍ଦ୍ଦେଶକ ପୀତବାସ ପଣ୍ଡା, ମୁଖ୍ୟ ଉପଦେଷ୍ଟା ମନୋରଂଜନ ସାହୁ, ବାଣିଜ୍ୟ ବିଭାଗର ମୁଖ୍ୟ ଅଙ୍କିତା ମିଶ୍ର ପ୍ରମୁଖ ମଂଚାସୀନ ଥିଲେ । ଏଅବସରରେ ଜେଏସ୍ଏମ୍ କଲେଜରୁ ସଫଳତାର ସହ ଗ୍ରାଜୁଏସନ ସାର୍ଟିଫିକେଟ୍ ହାସଲ କରିଥିବା ୧୫ ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଡିଗ୍ରୀ, ପ୍ରଶଂସା ପତ୍ର ଓ ସ୍ମୃତିଚିହ୍ନ ପ୍ରଦାନ କରିଥିଲେ l ଜେଏସ୍ଏମ୍ କଲେଜର ବାଣିଜ୍ୟ ବିଭାଗର ଛାତ୍ର ଅର୍ଚିସ୍ମାନ ମିଶ୍ର ବାଣିଜ୍ୟ ପରୀକ୍ଷାରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ମଧ୍ୟ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଏହି ସମାରୋହରେ ଜେଏସ୍ଏମ୍ କଲେଜର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ, ଅଭିଭାବିକାମାନେ ଉପସ୍ଥିତ ଥିଲେ l
