ନବନୀତା ବ୍ୟୁରୋ, ଭୁବନେଶ୍ୱର। ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ମହାମାରୀ କରୋନା ଭୁତାଣୁ ଆକ୍ରାନ୍ତ ସଂଖ୍ୟା। କରୋନା ସଂକ୍ରମଣରେ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଶହରୁ ଊର୍ଦ୍ଧ୍ବ ଲୋକ ସଂକ୍ରମିତ ହୋଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବ୍ୟାପକ ସତର୍କତା ଓ ସଚେତନତା ସତ୍ତ୍ଵେ କରୋନା ସଂକ୍ରମଣ କମିବାର ନାଁ ନେଉନି। ଏହାର ମୁକାବିଲା କରିବା ପାଇଁ ପିଏମ୍ କେୟାରସ ଫଣ୍ଡକୁ ଦାନ ଲାଗି ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି। ତେବେ ପ୍ରଥମେ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ୨୫ କୋଟି ଟଙ୍କା ଦାନ କରିବା ପରେ ଏହି ପ୍ରକ୍ରିୟା ଜାରି ରହିଛି। ସାଂସଦ ମନ୍ତ୍ରୀ ମାସକର୍ ଦରମା ପ୍ରଦାନ କରିବା ସହ କିଛି ସାଂସଦ ଏମପି ଫଣ୍ଡରୁ କୋଟି କୋଟି ଟଙ୍କା ପ୍ରଦାନ କରୁଥିବା ଦେଖିବାକୁ ମିଳୁଛି। କେବଳ ସାଂସଦ, ମନ୍ତ୍ରୀ ନୁହେଁ, ପୂର୍ବତନ ସାଂସଦ ତଥା ବିଜେପି ନେତା ବୈଜୟନ୍ତ ପଣ୍ଡା ଆଜି ପିଏମ୍ କେୟାରସ ପାଣ୍ଠିକୁ ମଧ୍ୟ ଟଙ୍କା ଦାନ କରିଛନ୍ତି।

ପିଏମ୍ କେୟାରସ ଫଣ୍ଡକୁ ଦାନ ନେଇ ନିଜେ ଟୁଇଟ କରି ଜଣାଇଛନ୍ତି ବୈଜୟନ୍ତ ପଣ୍ଡା। ହେଲେ କେତେ ଟଙ୍କା ଦାନ କରିଛନ୍ତି ତାହା ଗୁପ୍ତ ରଖିଛନ୍ତି ଏହି କୋଟିପତି ନେତା। ତାଙ୍କ ବ୍ୟାଙ୍କ ଏକାଉଣ୍ଟରୁ ପିଏମ୍ କେୟାରସକୁ ଅନଲାଇନ୍ ମାଧ୍ୟମରେ ଟଙ୍କା ଦାନ କରିଥିବା ନିଜ ଟୁଇଟର ପେଜରେ ପୋଷ୍ଟ କରିବା ସହ ଦାନ ଟଙ୍କାର ସ୍ଲିପ୍ ମଧ୍ୟ ଛାଡିଛନ୍ତି। ହେଲେ ସ୍ଲିପରେ ଟଙ୍କା ଜାଗାରେ କଳା ସାହିରେ ଘୋରା ଯାଇଥିବାରୁ ସେ କେତେ ଟଙ୍କା ଦାନ କରିଛନ୍ତି ତାହା ଜଣା ପଡୁ ନାହିଁ। ଦାନ ଟଙ୍କା ଗୁପ୍ତ ରଖିବାକୁ ହେଉ କି ଲୋକଙ୍କୁ ଏନେଇ ଜଣାଇବାକୁ ଚାହୁଁ ନଥିବେ ବୈଜୟନ୍ତ ପଣ୍ଡା। କେତେ ଟଙ୍କା ଦାନ କଲେ ତାହା ଜଣାଇବା, ନ ଜଣାଇବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ହେଲେ ଟଙ୍କା ଦାନ ନେଇ ନିଜେ ଟୁଇଟ କରି ସୂଚନା ଦେବା ଓ ଟଙ୍କା ଜାଗାରେ କାଳି ସାହିରେ ଘୋରି ସ୍ଲିପ୍ ପୋଷ୍ଟ କରିବା ନେଇ ସାଧାରଣରେ ପ୍ରଶ୍ନ ଉଠିବା ସ୍ଵାଭାବିକ।

ସୂଚନାଯୋଗ୍ୟ ଯେ, ଗତ ସାଧାରଣ ନିର୍ବାଚନରେ ପ୍ରାୟ ୫୭ କୋଟି ଟଙ୍କାର ସମ୍ପତ୍ତି ଥିବା ନେଇ ସତ୍ୟପାଠରେ ଦର୍ଶାଇଥିଲେ ବୈଜୟନ୍ତ ପଣ୍ଡା। ତାଙ୍କ ସମ୍ପତ୍ତି ପରିମାଣକୁ ଦେଖି ଯେକେହି ବି କହିବ ଯେ, ନିଶ୍ଚିତ ଭାବରେ ସେ ଭଲ ରକମର ଡୋନେସନ୍ ଦେଇଥିବେ। ନହେଲେ ଦାନ ପରିମାଣ କମ ବି ହୋଇଥାଇ ପାରେ। ଯଦି ପରିମାଣ ଟଙ୍କା କମ୍ ହେଉ କି ଅଧିକ ଏହା ଲୋକଙ୍କୁ ଜଣାଇବାରେ ସଙ୍କୋଚ କାହିଁକି? ବୈଜୟନ୍ତ ପଣ୍ଡାଙ୍କୁ କେହି ତ ପଚାରି ନଥିଲେ ଯେ, ସେ କେତେ ଟଙ୍କା ପିଏମ୍ କେୟାରସକୁ ଦାନ କରିଛନ୍ତି। ବରଂ ସେ ନିଜେ ଦାନ ଦେଇଥିବା ନେଇ ଟୁଇଟର ପେଜରେ ପୋଷ୍ଟ କରି ପ୍ରଶ୍ନ ଘେରକୁ ଆସିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ଟୁଇଟର ମାଷ୍ଟର ବୈଜୟନ୍ତ ଆଗରୁ ସିଧାସଳଖ ପୋଷ୍ଟ କରୁଥିବା ବେଳେ ଏଥର ଗୁପ୍ତ ରଖିଲେ କାହିଁକି? ଉତ୍ତର ତାଙ୍କ ପାଖରେ। ଏପରିକି ଦାନ ଟଙ୍କା ଗୁପ୍ତ ରଖିବେ ନା ସର୍ବସାଧାରଣଙ୍କୁ ଜଣାଇବେ ତାହା ତାଙ୍କ ଉପରେ ନିର୍ଭର କରେ। ଦେଖାଯାଉ ଏନେଇ ବୈଜୟନ୍ତ ସ୍ପଷ୍ଟ କରୁଛନ୍ତି ନା ଅସ୍ପଷ୍ଟ ରଖୁଛନ୍ତି!
