ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ନିର୍ମାଣ ହେବ ୭ ମହଲା କୋଠା

ଓଡ଼ିଶାରାଜନୀତି

ନବନୀତା ବ୍ୟୁରୋ। ଭଙ୍ଗା ହେବ ବିଧାୟକ କ୍ୱାର୍ଟରସ।ନିର୍ମାଣ ହେବ ଅତ୍ୟାଧୁନିକ ଆପାରଟମେଣ୍ଟ। ୧୪୦ ବିଧାୟକଙ୍କ ରହିବା ପାଇଁ ପ୍ରାୟ ୧୦ ହଜାର ବର୍ଗ ଫୁଟ ଅଞ୍ଚଳରେ ଆଧୁନିକ ଶୈଳୀରେ କୋଠା ନିର୍ମାଣ ଲାଗି ରୋଡ ମ୍ୟାପ୍ ପ୍ରସ୍ତୁତ ହୋଇଛି। ଏହି ନିର୍ମାଣ କାର୍ଯ୍ୟ ଆସନ୍ତା ଜାନୁଆରୀ ମାସରୁ ଆରମ୍ଭ କରିବା ପାଇଁ ବିଧାନସଭା ସଚିବାଳୟ ପଦକ୍ଷେପ ନେଇଛି। ୪୦୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେବାକୁ ଥିବା ଏହି ୭ ମହଲା କୋଠାରେ କନଫରେନସ୍ ହଲ, ଜିମ୍, ମର୍ଣ୍ଣିଂ ୱାର୍କ ଲାଗି ଜାଗା ସହ କଲ୍ୟାଣ ମଣ୍ଡପ ରହିବ।

କମିଶରେଟ୍ ପୋଲିସ ଟ୍ରାଫିକ ଛକଠାରୁ ବିଧାନସଭା ନୂଆ ଅତିଥିଭବନ୍ ଯାଏ ଥିବା ସମସ୍ତ ବିଧାୟକ ଘର ଭାଙ୍ଗି ସେଠାରେ ଏହି କୋଠା ତିଆରି ହେବ। ଏଥିପାଇଁ ୩୫ ବିଧାୟକ ସହ ମୋଟ ୩୯ ଜଣଙ୍କୁ ସ୍ଥାନାନ୍ତର ଲାଗି ନୋଟିସ କରାଯିବା ନେଇ ସୂଚନା ମିଳିଛି। ଦିନେ ଦୁଇ ଦିନ ମଧ୍ୟରେ ବିଧାନସଭା ସଚିବାଳୟ ପକ୍ଷରୁ ଏମାନଙ୍କୁ ନୋଟିସ୍ କରାଯାଇପାରେ। ତେବେ ନୂଆ ବିଧାୟକଙ୍କୁ ଡି- ବ୍ଲକରେ ଖାଲିଥିବା ଘର ଆବଣ୍ଟନ କରାଯିବାକୁ ଥିବା ବେଳେ ବାକି ବିଧାୟକଙ୍କୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଘର ଯୋଗାଇ ଦିଆଯିବ।

ତେବେ ଘର ଛାଡ଼ିବାକୁ ଖୁବଶିଘ୍ର ନୋଟିସ୍ କରାଯିବ। ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ, ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଉପବାଚସ୍ପତି ରଜନୀକାନ୍ତ ସିଂହ,ବିଧାୟକ ବ୍ୟୋମକେଶ ରାୟ, ଲକ୍ଷ୍ମଣ ମୁଣ୍ଡା, ରୀତା ସାହୁ, ପ୍ରିତିରଞ୍ଜନ ଘଡ଼େଇ, ପ୍ରଶାନ୍ତ ବେହେରା, ପ୍ରଶାନ୍ତ ଜଗଦେବ୍, କେ. ନାରାୟଣ ରାଓ, ଶ୍ରୀକାନ୍ତ ସାହୁ, ଭାଗିରଥି ସେଠୀ, ସୁବାସ ପାଣିଗ୍ରାହୀ, ଭାସ୍କର ମଢେଇ, ସୁଶାନ୍ତ ରାଉତ, ସତ୍ୟ ନାରାୟଣ ପ୍ରଧାନ, ରମେଶ ଚନ୍ଦ୍ର ଜେନା, ଅଧିରଞ୍ଜନ୍ ପାଣିଗ୍ରାହୀ, ଦାଶରଥି ଗମାଙ୍ଗ, ବାସନ୍ତୀ ହେମ୍ବ୍ରମ, ବିଷ୍ଣୁ ସେଠୀ, ଧ୍ରୁବ ସାହୁ, ସୁବାସ ଚନ୍ଦ୍ର ବେହେରା, ସୂର୍ଯ୍ୟମଣି ବୈଦ୍ୟ, ମଞ୍ଜୁଳା ସ୍ୱାଇଁ, ମିନାକ୍ଷୀ ମହାନ୍ତ, ରମେଶ ଚନ୍ଦ୍ର ସାଏ, ସୁନନ୍ଦା ଦାସ୍, ସଞ୍ଜୀବ ମଲ୍ଲିକ, ଜୟନ୍ତ ଷଡ଼ଙ୍ଗୀ, ସାଲୁଗା ପ୍ରଧାନ, ରଘୁରାମ ପଡାଲ୍, ସୈାଭିକ୍ ବିଶ୍ଵାଳ ଓ ସୁଧୀର କୁମାର ସାମଲଙ୍କୁ ଘର ଛାଡ଼ିବାକୁ ନୋଟିସ୍ କରାଯିବ। ଏଥିସହ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ମାର୍ଶଲ ଦେବାଶିଷ ପଣ୍ଡା ଓ ଆରସି ପଣ୍ଡା ପ୍ରମୁଖଙ୍କୁ ନୋଟିସ୍ ଜାରି ହେବ।