୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। କୃଷି ବଜେଟ୍ ଓ ସାଧାରଣ ବଜେଟ ଉପସ୍ଥାପିତ କରାଯାଇଛି। ଏଥର ବଜେଟର ପରିମାଣ ରହିଛି ୧ ଲକ୍ଷ ୫୦ ହଜାର କୋଟି ଟଙ୍କା। ଆଇ ପ୍ୟାଡ ଜରିଆରେ ବଜେଟ ଉପସ୍ଥାପନ କରାଯାଇଥିବା ବେଳେ ଦେଶର ଇ-ବଜେଟ୍ ଉପସ୍ଥାପନାରେ ଓଡ଼ିଶା ହେଉଛି ଦ୍ୱିତୀୟ ରାଜ୍ୟ।

୨୦୨୦-୨୧ ପାଇଁ କୃଷି ବଜେଟ ୧୯ ହଜାର ୪ ଶହ ୮ କୋଟି ବ୍ୟୟ ବରାଦ କରାଯାଇଛି। କାଳିଆ ଯୋଜନା ପାଇଁ ୩ ହଜାର ୧ ଶହ ୯୫ କୋଟି ବ୍ୟୟବରାଦ କରାଯାଇଛି। ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ ପାଇଁ ୧୨ ହଜାର କୋଟି ଟଙ୍କା, ଜଳ ସଂରକ୍ଷଣ ପାଇଁ ୫ ବର୍ଷରେ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ତେବେ ସୁନ୍ଦରଗଡ଼, ମୟୂରଭଞ୍ଜ ଓ କୋରାପୁଟରେ ଜଳଛାୟା କ୍ଲଷ୍ଟର ହେବ। ଏହାର ଅଧୀନରେ ୧ ହଜାର ୨୦୨ଟି ଜଳ ଅମଳ ପ୍ରକଳ୍ପ ନିର୍ମାଣ ହେବ। ବିଭିନ୍ନ ଜଳସେଚନ ପ୍ରକଳ୍ପ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୨୨୦ କୋଟି ଟଙ୍କା ଖର୍ଚ୍ଚ ହେବ।

ଗୋପାଳନ ଉନ୍ନୟନ ଓ ପଶୁଧନ ପରିଚାଳନା ପାଇଁ ୧୦୦ କୋଟି, ଓମଫେଡ ଦ୍ବାରା ୫ ଲକ୍ଷ ଲିଟର କ୍ଷମତାର ଡାଇରି ପ୍ଲାଣ୍ଟ ପାଇଁ ୫୯ କୋଟି, ଚାଷୀଙ୍କୁ ଋଣ ଯୋଗାଣ ପାଇଁ ୧୫ ହଜାର କୋଟିର ବ୍ୟୟ ବରାଦ କରାଯାଇଛି। ବ୍ୟାଙ୍କଗୁଡ଼ିକୁ ସାଧାରଣ ଅଂଶ ସହାୟତା ପାଇଁ ୪୦ କୋଟି ଟଙ୍କା, ସମବାୟ ସଂସ୍ଥାକୁ ଆର୍ଥିକ ସହାୟତା ପାଇଁ ୨୪ କୋଟି ବ୍ୟୟ ବରାଦ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ 5T ଓ ମୋ ସରକାର ପ୍ରେରଣା ଯୋଗାଇଥିବା ବେଳେ ପ୍ରାଶାସନିକ ବ୍ୟୟ ପାଇଁ ୬୫୬୫୫ କୋଟି ଓ କାର୍ଯ୍ୟକ୍ରମ ବ୍ୟୟ ପାଇଁ ୭୪ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। କର୍ମଚାରୀ ରାଜ୍ୟ ବୀମା ପାଇଁ ୪୭ କୋଟି ଟଙ୍କା, ମମତା ଯୋଜନା ପାଇଁ ୩୦୫ କୋଟି, ମିଶନ ଶକ୍ତି ପାଇଁ ୩୧୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏକାମ୍ର ପ୍ଲାନ ପାଇଁ ବଜେଟ୍‌ରେ ବ୍ୟୟ ବରାଦ କରାଯାଇଛି ୭୦୦ କୋଟି ଟଙ୍କା। ଲିଙ୍ଗରାଜ ମନ୍ଦିର ସହ ଅନ୍ୟ ଐତିହ୍ୟ ସ୍ଥଳର ବିକାଶ ହେବ। ଏଥିପାଇଁ ଚଳିତ ବର୍ଷ ଖର୍ଚ୍ଚ ହେବ ୧୫୦ କୋଟି ଟଙ୍କା। ପୁରୀର ବିକାଶ ପାଇଁ ଅବଢା ଯୋଜନାରେ ୩ ହଜାର ୨୦୮ କୋଟି ଟଙ୍କା ଖର୍ଚ୍ଚ କରାଯିବ। ବିପର୍ଯ୍ୟୟ ପ୍ରଶମନ ପାଇଁ ୩୨୦୦ କୋଟି, ମଧ୍ୟାହ୍ନ ଭୋଜନରେ ଗ୍ୟାସ୍‌ ସଂଯୋଗ ପାଇଁ ୮ କୋଟି, ମଧ୍ୟାହ୍ନ ଭୋଜନ ପାଇଁ ୮୦୦ କୋଟି, ବିଶ୍ବ ବ୍ୟାଙ୍କ ମାଧ୍ୟମରେ ଉଚ୍ଚଶିକ୍ଷା ପାଇଁ ୧୩୦ କୋଟି, ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ୧୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର ଯୋଜନା ପାଇଁ ୩ ହଜାର ୯୬୨ କୋଟି, ବିଧାୟକ ପାଣ୍ଠି ୧ କୋଟିରୁ ୩ କୋଟି ଟଙ୍କାକୁ ବଢାଇଲେ ରାଜ୍ୟ ସରକାର। ୨ କୋଟି ସାଧାରଣ ଉନ୍ନୟନ ଲାଗି ଖର୍ଚ୍ଚ କରା ଯାଇପାରିବ। ୫୦ ଲକ୍ଷ ଟଙ୍କା ରାସ୍ତା କାମ ପାଇଁ ଖର୍ଚ୍ଚ ଓ ବାକି ୫୦ ଲକ୍ଷ ଶିକ୍ଷା ସମ୍ବନ୍ଧୀୟ ଉନ୍ନୟନ କାର୍ଯ୍ୟରେ ଖର୍ଚ୍ଚ କରାଯିବ। ଦିବ୍ୟାଙ୍ଗ ସଶକ୍ତିକରଣ ପାଇଁ ୮୧ କୋଟି, ବୃଦ୍ଧାଶ୍ରମ ପାଇଁ ୧୮୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ଖୋର୍ଦ୍ଧା, ବଲାଙ୍ଗିର, ଜୟପୁର ,ମାଲକାନଗିରି , ଜୟପୁର ଓ ନବରଙ୍ଗପୁରରେ ନୂତନ ରେଳ ପଥ ପାଇଁ ୪୦୦ କୋଟି ବ୍ୟୟ ବରାଦ କରାଯାଇଛି।ରାସ୍ତା ଓ ସେତୁର ଉନ୍ନତି ପାଇଁ ୫୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ପୂର୍ତ୍ତ ବିଭାଗ ୬ ହଜାର କୋଟି ଟଙ୍କାରେ ୨ ହଜାର କିମି ରାସ୍ତା, ୫୦ଟି ସେତୁ ଓ ୫ଟି ରେଲୱେ ଓଭରବ୍ରିଜ ନିର୍ମାଣ କରିବ।

ଓଡ଼ିଶା ଖାଦ୍ୟ ଯୋଗାଣ ନିଗମ ପାଇଁ ୬୩୧ କୋଟି, ଖାଦ୍ୟ ନିରାପତ୍ତା ସୁନିଶ୍ଚିତ ପାଇଁ ୧,୦୩୮ କୋଟି ଟଙ୍କାର ପ୍ରସ୍ତାବ ରହିଥିବା ବେଳେ ୨୦୨୦ରେ ଆୟୋଜିତ ହେବାକୁ ଥିବା ମେକ୍ ଇନ୍ ଓଡିଶା କନକ୍ଲେଭ୍ ପାଇଁ IPICOL କୁ ୭୦ କୋଟି ଯୋଗାଇ ଦିଆଯାଇଛି। କ୍ରୀଡ଼ା ଓ ଯୁବସେବା ପାଇଁ ୩୦୧ କୋଟି, କ୍ରୀଡ଼ା ଶିକ୍ଷା ପାଇଁ ୯୧ କୋଟି ଓ କ୍ରୀଡ଼ା ଭିତ୍ତିଭୂମି ପାଇଁ ୧୪୦ କୋଟି ବ୍ୟୟ ବରାଦ କରାଯାଇଛି।

ଏଥିସହ ଗ୍ରୀନ ମହାନଦୀ ମିଶନ ପାଇଁ ୩୧ କୋଟି, ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୪୦୧ କୋଟି, ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ ୧୬୨ କୋଟି, ବିପର୍ଯ୍ୟୟ ପରିଚାଳନା ପାଇଁ ୩୨୦୦ କୋଟି, ବିଧାୟକ ଉନ୍ନୟନ ପାଣ୍ଠି ପାଇଁ ୪୪୧ କୋଟି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ୮୦ କୋଟି ବ୍ୟୟବରାଦ କରାଯାଇଛି।