ନବନୀତା ବ୍ୟୁରୋ। ସୁନ୍ଦରଗଡ ଜିଲ୍ଲାରେ ପୁଣି ହାତୀ ଉତ୍ପାତ। ଜିଲ୍ଲାର କୋଇଡା ରେଞ୍ଜ ପାଟମୁଣ୍ଡା ପଞ୍ଚାୟତର ଗହ୍ମେଇନାଳୀ ବସ୍ତିରେ ହାତୀ ଆତଙ୍କ । ବଣୁଆ ହାତୀ ଉପଦ୍ରବ ଯୋଗୁଁ ୫ ଟି ପରିବାର ବେଘର ହୋଇ ଯାଇଛନ୍ତି। ତେବେ ବାରମ୍ବାର ଏ ଅଞ୍ଚଳରେ ହାତୀ ମାତି ଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।
ପର୍ବତ ଶିଖରରେ ଥିବା ଏଇ ବସ୍ତିରେ ରାତ୍ରୀ ହେଲେ କି ଚାଲେ ବଣୁଆ ହାତୀଙ୍କ ରାଜ। ବସ୍ତିକୁ ଲାଗି ରହିଛି ସାନ ପଟୁଳି ସରକ୍ଷିତ ଜଙ୍ଗଲ। ଏ ବସ୍ତିକୁ ଯିବାକୁ ହେଲେ ପଥୁରିଆ ଘାଟି ରାସ୍ତା ହିଁ ଏକମାତ୍ର ଭରସା। ଗହ୍ମେଇନାଳି ବସ୍ତି ବନ ବିଭାଗ ଅଫିସ ଠାରୁ ମାତ୍ର ୧୦ କିମି ଦୂରରେ ଥିଲେ ବି ବିଭାଗୀୟ କର୍ମଚାରୀ ହାତୀ ପଲକୁ ଘଉଡାଇ ବାରେ ଅସମର୍ଥ।
ଏହି ବସ୍ତିରେ ୧୫ ରୁ ୧୭ ଆଦିବାସୀ ପରିବାର ବସବାସ କରନ୍ତି। କିନ୍ତୁ ଗୋଟିଏ ମାସ ହେବ ଗୋଠଛଡା ହାତୀ ପ୍ରତି ଦିନ ବସ୍ତିକୁ ଆସି ଲୋକଙ୍କ ନିଦ ହଜାଇ ଦେଲାଣି। ଘର ଭାଙ୍ଗି ଧାନ ଚାଉଳ ନଷ୍ଟ କରି ଦେଉଛନ୍ତି। ତେବେ ଗ୍ରାମର ସମସ୍ତ ପରିବାର ଦିନ ମଜୁରିଆ ଭାବେ କାମ କରି ନିଜର ପରିବାର ପ୍ରତିପୋଷଣ କରୁଥିବା ବେଳେ ପାଞ୍ଚଟି ପରିବାର ଘରରୁ ବେଘର ହୋଇଯାଇଛନ୍ତି। ଏନେଇ ବନ ବିଭାଗକୁ ଜଣାଇଲେ ସୁଧା ଦିନେ ଦୁଇ ଦିନ ଆସି ହାତୀ ଘୋଉଡାଇବା ପରେ ଅଚିନ୍ତା ନିଦରେ ବନ ବିଭାଗ ସୋଇଥିବା ଅଭିଯୋଗ ହୋଇଛି। ଫଳରେ ଗ୍ରାମର ପିଲା ଠୁ ବୁଢା ଯାଏ ସମସ୍ତେ ରାତି ହେଲେ ବସ୍ତିକୁ ଜଗି ରହି ହାତୀକୁ ଯେତେ ଘଉଡାଇଲେ ବି ପୁଣି ଆସି ଉପଦ୍ରବ ଚଳାଇଛନ୍ତି। ଗାଁର ବୁଧୁରାମ ମୁଣ୍ଡା, ସୋମା ମୁଣ୍ଡା, ବାବୁଲୁ ମୁଣ୍ଡା, ଡାଙ୍ଗୁଆ ମୁଣ୍ଡା, ଶ୍ରୀଦଲ ମୁଣ୍ଡାଙ୍କ ଘର ସମ୍ପୁର୍ଣ୍ଣ ଭାଙ୍ଗି ଦେଇଛନ୍ତି ହାତୀ ପଲ । ଫଳରେ ନିରୁପାୟ ହୋଇ ଏହି ପରିବାର ବାସହୀନ ହୋଇ ଦିନରେ ଗଛ ମୂଳେ ଏବଂ ରାତିରେ ପର ବାରଣ୍ଡାରେ ଦିନ କାଟୁଛନ୍ତି।
କେବଳ ଏତିକି ନୁହେଁ, ଆଠଦିନ ପର୍ବରୁ ସେହି ହାତୀ ଘୋଉଡାଇବାକୁ ଯାଇ ମଙ୍ଗଲ ମୁଣ୍ଡା ନାମକ ଜଣେ ଯୁବକ ଗାତରେ ପଡିଯିବାରୁ ଆଣ୍ଟାରେ ଶକ୍ତ ଆଘାତ ଯୋଗୁଁ ଏବେ ବିଛଣାରେ ପଡି ରହିଛନ୍ତି । ଯଦି ଯଥାଶୀଘ୍ର ଚିକିତ୍ସା କରାନଯାଏ ତାହେଲେ ମଙ୍ଗଲ ମୁଣ୍ଡା ଆଗାମୀ ଦିନରେ ଚାଲିପାରିବ କି ନାହିଁ ତାହା କହିବା ଅସମ୍ଭବ। ମଙ୍ଗଲର ଦୁଇଟି ଛୋଟ ଶିଶୁ ସହିତ ସ୍ତ୍ରୀଙ୍କୁ ଦାନା ମୁଠେ ଯୋଗାଡ କରିବା ଅସମ୍ଭବ ହେବ ବୋଲି ସେ କହିଛନ୍ତି। ବନ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଏହାର ତଦନ୍ତ କରି ଯଥା ଶିଘ୍ର ଏମାନଙ୍କୁ ଏ ବିପଦରୁ ଉଦ୍ଧାର କରିବା ସହ କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ଘର ସହିତ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ ବସ୍ତି ବାସିନ୍ଦା ଦାବି କରିଛନ୍ତି।
