ମାଛ ମାରିବାକୁ ଯାଇ ଜଣକ ଜୀବନ ଗଲା, ଜଣେ ନିଖୋଜ, ଅନ୍ୟ ଜଣେ ଉଦ୍ଧାର

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ I ମାଛଧାରା ହେଲା କାଳ I ନାଳରେ ପ୍ରଖର ସ୍ରୋତ ଯୋଗୁ ତିନି ଜଣ ଭାସି ଗଲେ I ଅନ୍ୟକୁ ବଞ୍ଚାଇବାକୁ ଯାଇ ଜଣକ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଏବେବି ନିଖୋଜ ଅଛନ୍ତି I ହେଲେ ସୌଭାଗ୍ୟବଶତଃ ଆଉ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି I ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ଭରସୁଜା ଗାଁରେ I ସୂଚନା ଅନୁସାରେ ପିପିଲିପାଲି ଗାଁ ପୋଢ଼ ପରିବାରର ତିନି ଜଣ ଭରସୁଜା କୁଲ୍ହାରୀ ନାଳକୁ ମାଛ ଧରିବାକୁ ଯାଇଥିଲେ l ହେଲେ ପ୍ରବଳ ବର୍ଷା ଯୋଗୁଁ ନାଳରେ ହଠାତ ଅଧିକ ପାଣି ଆସି ତିନି ଜଣଙ୍କୁ ଭସାଇ ନେଇଥିଲା I ଖବର ପାଇ ଆଗଲପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ରଜନୀ ପୋଢ଼ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା I କିନ୍ତୁ ଗୁଲେକ ପୋଢ଼ଙ୍କର ପାଣି ଭିତରେ ମୃତ୍ୟୁ ହୋଇ ସାରିଥିଲା I ଅଗ୍ନିଶମ ବାହିନୀ ତାଙ୍କ ଶବ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଛି I ତେବେ ପ୍ରମୋଦ ପୋଢ଼ ନାମକ ଆଉ ଜଣେ ବ୍ୟକ୍ତି ପାଣିରେ ଭାସିଯାଇ ଏବେବି ନିଖୋଜ ଅଛନ୍ତି I ନିଖୋଜ ପ୍ରମୋଦଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି I

ଖବର ପାଇ ଆଗଲପୁର ତହସିଲଦାର, ଆଗଲପୁର ଥାନା ଅଧିକାରୀ, ବିଜେଡି ଯୁବ ନେତା ନିହାର ରଞ୍ଜନ ବେହେରା ଓ ସ୍ଥାନୀୟ ଯୁବକମାନେ ଘଟଣାସ୍ଥଳକୁ ଯାଇଥିଲେ I ଆଉ ଦିନ କେଇଟା ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଆସୁଥିବା ବେଳେ ଏହି ଦୁଃଖଦ ଘଟଣା ପିପିଲିପାଲିରେ ଶୋକର ଛାୟା ଖେଳିଯାଇଛି I ସେପଟେ ଘଟଣାରେ ଯୁବ ବିଜେଡ଼ି ନେତା ନିହାର ରଞ୍ଜନ ବେହେରା ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି I