ଦିଶା’ ବୈଠକ: ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ l ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବଲାଙ୍ଗିର ଜିଲ୍ଲା ଉନ୍ନୟନ ସମନ୍ନୟ ଏବଂ ପର୍ଯ୍ୟାଲୋଚନା କମିଟି (ଦିଶା)ର ବୈଠକ ଅନୁଷ୍ଠିତ ହୋଇଯାଇଛି l ଦିଶା’ର ଅଧ୍ୟକ୍ଷା ତଥା ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତରଣି ସୁନା ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ଆଲୋଚ୍ୟ ବିଷୟ ଉପସ୍ଥାପନା କରିଥିଲେ । ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ ହେଉଥିବା ରାସ୍ତା ଗୁଡିକର ସ୍ଥିତି ସମ୍ପର୍କରେ ସମୀକ୍ଷା କରି ଅସମ୍ପୂର୍ଣ୍ଣ ରାସ୍ତା ଗୁଡିକର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସଂପୂର୍ଣ୍ଣ କରିବା ଏବଂ ଧାର୍ଯ୍ୟ ମାନଦଣ୍ଡକୁ ବଜାୟ ରଖି ଗୁଣବତ୍ତାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ l

ସେହିପରି ପୋଲ ନିର୍ମାଣ, ରୂପାନ୍ତରିତ ହେଉଥିବା ରେଳ ଷ୍ଟେସନର କାର୍ଯ୍ୟର ଅଗ୍ରଗତି, ଆମ୍ବୁଲାନ୍ସ ସେବା, ଜାତୀୟ ସ୍ୱାସ୍ଥ୍ୟ ମିଶନର ବିଭିନ୍ନ ଯୋଜନା ମାଧ୍ୟମରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉନ୍ନତି, କୃଷି, ମୃତ୍ତିକା ସଂରକ୍ଷଣ ତଥା ଜୈବିକ ପଦ୍ଧତ୍ତିରେ ଚାଷ, ଜଳସେଚନ, ଶିକ୍ଷା, ଗୋପାଳନ, ଗୋଶାଳା ନିର୍ମାଣ, ସମବାୟ ସମିତି ସମ୍ପର୍କରେ, ତୁଷୁରା ବିମାନ ଅବତରଣ ସ୍ଥଳ / ବିମାନବନ୍ଦର ତଥା ବିଭିନ୍ନ ପରିଯୋଜନାରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା ହୋଇଥିଲା । ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଓ ସମୃଦ୍ଧି ସକାଶେ ବିଭାଗୀୟ ଅଧିକାରୀମାନେ ଉତ୍ତମ ସମନ୍ନୟ ରଖି ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପାଦନ କରିବା ସହ ଯୋଜନାଗୁଡିକ ଯେପରି ତୃଣମୂଳ ସ୍ତରରେ ପହଞ୍ଚିପାରିବ, ସେଥିପ୍ରତି ଯତ୍ନବାନ ହେବାକୁ ସଙ୍ଗୀତା ସିଂହଦେଓ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ବୈଠକରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର , ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ପାଟଣାଗଡ ଉପଜିଲ୍ଲାପାଳ ସୁନୀଲ କୁମାର ମେହେର, ବିଧାୟକମାନଙ୍କ ପ୍ରତିନିଧି, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଦିଶା କମିଟିର ମନୋନୀତ ସଦସ୍ୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରମେଶ ସାହୁ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଞ୍ଜନ ପଣ୍ଡା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧୀରେନ ସିଂ ବରିହା, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ସୁଦେଶ କୁମାର ଚୌଧୁରୀ, ଡିଆରସିଏସ ପ୍ରମୋଦ କୁମାର ବରିହାଙ୍କ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।