ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲାସ୍ତରୀୟ ଟେବଲ ଟପ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ଓ ମରୁଡିର ମୁକାବିଲା ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀ ସଜାଗ ଓ ପ୍ରସ୍ତୁତ ହୋଇ ରହିବା ସହ ସମସ୍ତ ବିଭାଗ ଉତ୍ତମ ସମନ୍ଵୟ ରଖି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ସେ ପରାମର୍ଶ ଦେଇଥିଲେ।
ଏଥିରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସୁଶାନ୍ତ କୁମାର ସିଂ ଓ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସୁଦର୍ଶନ ସୋଏ ଉପସ୍ଥିତ ଥିଲେ। ଏଥିସହ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇ ନିଜ ନିଜ ବିଭାଗର ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଓ ସୁପରିଚାଳନା ପାଇଁ ଜିଲ୍ଲାସ୍ତରରେ ପ୍ରାକ ପ୍ରସ୍ତୁତି ତଥା ବିପର୍ଯ୍ୟୟକାଳୀନ ଓ ବିପର୍ଯ୍ୟୟ ପରବର୍ତ୍ତୀ ପଦକ୍ଷେପ ଉପରେ ଆଲୋଚନା କରିଥିଲେ।
ଜିଲ୍ଲାରେ ସମ୍ଭାବ୍ୟ ମରୁଡି ଓ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ରହି କିଭଳି ଭାବରେ କ୍ଷୟକ୍ଷତି ହ୍ରାସ ସହ ସଠିକ ସମୟରେ କିଭଳି ସଠିକ ପଦକ୍ଷେପ ଗ୍ରହଣ କରି ପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା କୃଷି ବିଭାଗ, ସ୍ୱାସ୍ଥ୍ୟ ବିଭାଗ , ପ୍ରାଣୀ ସମ୍ପଦ ବିଭାଗ ଓ ଜଳ ସେଚନ ବିଭାଗ ଜିଲ୍ଲାର ସମ୍ଭାବ୍ୟ ମରୁଡି ମୁକାବିଲା ଉପରେ ତାଙ୍କ ବିଭାଗର ଭୂମିକା ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ। ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରୀନା କୁମାରୀ ନାଏକ ବିପର୍ଯ୍ୟୟ ପରିଚାଳନା ପାଇଁ ଟେବଲ ଟପ କର୍ମଶାଳାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ଏଥିରେ ଅଗ୍ନିଶମ, ପୋଲିସ ଓ ଓଡ୍ରାଫର କର୍ମଚାରୀମାନେ ଯୋଗଦାନ କରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତାଙ୍କର ଭୂମିକା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
ସେହିପରି ଜିଲ୍ଲାର ସମସ୍ତ ୧୪ଟି ବ୍ଲକରେ ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ବ୍ଲକ ସ୍ତରୀୟ ଟେବଲ ଟପ କର୍ମଶାଳା ଆୟୋଜିତ ହୋଇଛି। ବ୍ଲକସ୍ତରୀୟ କର୍ମଶାଳାର ତଦାରଖ କରିବା ପାଇଁ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ଦାୟିତ୍ଵ ପ୍ରଦାନ କରଯାଇଥିଲା।
