କରୋନାକୁ ନେଇ ଲେଖକ ତନ୍ମୟ ସାହୁଙ୍କ ମନଛୁଆଁ ଗପ ଲାଇଫ୍ ଡ୍ୟୁରିଙ୍ଗ ଲକ୍ ଡାଉନ୍, ପଢନ୍ତୁ

ଓଡ଼ିଶାସାହିତ୍ୟ ଓ ସଂସ୍କୃତି

ନବନୀତା ବ୍ୟୁରୋ, ଭୁବନେଶ୍ୱର। ଓହୋ କି ଖରାରେ !!! କୋରୋନା ରେ ଜୀବନ ଯାଉ କି ନଯାଉ, ଅଂଶୁ ଘାତ ରେ ଏ ମଣିଷ ମରିଯିବ!! ତମେ କାହିଁକି ବାହାରକୁ ଯାଉଛ କି? ଦିନେ ପାନ ନଖାଇଲେ ପାଗଳ ଭଳିଆ ହଉଛ। ଅତି ହେଇ ଯାଉଛ!!ସରକାର କହି କହି ଥକି ଗଲେଣି, ଅଫିସ ଵାଲା ଛୁଟି ଦେଇଛନ୍ତି ଘରେ ବସିବା ପାଇଁ, କିନ୍ତୁ ତମେ ?? ତମେ ପ୍ରକୃତରେ ଗୋଟେ ନଛୋଡବନ୍ଧା, ନିଜେ ବି ମରିବ ଆଉ ଆମକୁ ହଇରାଣ କରି ମାରିଵ !! ରାଗ ଥମଥମ ହେଇ କିଚେନ କୁ ଚାଲିଗଲେ ସୁପ୍ରିୟା !! ସ୍ତ୍ରୀର ରାଗ ରେ ଭୟଭୀତ ପତିଦେବ ଆଲୋକ ବାବୁ ଅନ୍ୟୁନ୍ୟ ଉପାୟ ହୋଇ ସ୍ତ୍ରୀ ପଛେ ପଛେ କିଚେନ କୁ ପଶି ବାସନ ଧୋଇବା ଆରମ୍ଭ କରିଦେଲେ। ସୁପ୍ରିୟା ଅନ୍ୟ ଆଡକୁ ଚାହିଁ ଅତି ଧୀର ସ୍ୱରରେ କହିଗଲେ “ଏ କାଚ ବାସନ କୁ ଟିକେ ହୁସିଆରୀ” ।

କୋରୋନା ପାଇଁ ଲକଡାଉନ ରେ ଗୁରୁବାରୀ ସାତ ଦିନ ହେଲାଣି ଛୁଟି । ଘର ସବୁ କାମ ଏବେ ସୁପ୍ରିୟା ଉପରେ ତା ସାଙ୍ଗକୁ ଆଲୋକ ବାବୁ ଓ ପୁଅ ଗୁଡ଼ଡୁ ର ତୁହାକୁ ତୁହା ଖାଇବା ବରାଦ। ବାହାହେଲା ବେଳେ କୁଆଡେ ସୁପ୍ରିୟା ଅତ୍ୟନ୍ତ କାମିକା ଵୋହୂ ଥିଲେ ବୋଲି ସମସ୍ତେ କୁହନ୍ତି କିନ୍ତୁ ଏଇ କିଛି ବର୍ଷ ହେଲାଣି ଘର କାମ କରିବା ରେ ଆଉ ତାଙ୍କର ମନ ନାହିଁ। ଫେସବୂକ, ଟିକଟକ ୱାଟସଆପ ରୁ ବି ଅବଶ୍ୟ ସମୟ ମିଳେନି। ତେଣୁ ଗୁରୁବାରୀ ଉପରେ ପୁରାମାତ୍ରାରେ ନିର୍ଭରଶୀଳ ହୋଇପଡିଛନ୍ତି ସୁପ୍ରିୟା। ଲକଡାଉନ କଟକଣା, ସ୍ୱାମୀ ଓ ପୁଅ ପୁରା ଘରେ ରହିବା ଓ ତାହାସହ ଗୁରୁବାରୀ ର ଅନୁପସ୍ଥିତି ପାଇଁ ଖାଲି ସୁପ୍ରିୟା ନୁହଁ ପୁରା ଘରର ବାଲାନ୍ସକୁ ବିଗାଡି ଦେଇଛି।

ଗୁଡ଼ଡୁ ର ବାହାରକୁ ଯିବା ଓ ସାଙ୍ଗ ମାନଙ୍କ ସାଙ୍ଗେ ଖେଳିବା ପୁରା ବନ୍ଦ। ସ୍କୁଲ ବନ୍ଦ କୁ ପାଠ ପଢା ବନ୍ଦ। କେତେବା ଟିଭି ଦେଖିବ କି ମୋବାଇଲ ଖେଳିବ। ବୋର ହେଇଯାଉଛି ଛୁଆଟା। ତେଣୁ ବାପା ସହିତ ମିଶି ଖାଇବା ଉପରେ ଵିଶେଷ ଧ୍ୟାନ ଦେଉଛି। ନୂଆ ନୂଆ ଆଇଟମ ଖାଇବା ପାଇଁ ଜିଦି କରୁଛି। ୟାର ପ୍ରଭାବ ମାଁ ଉପରେ କ’ଣ ପଡୁଛି ବାପା ତ ଜାଣୁନାହାନ୍ତି ଛୁଆ ବା କେମିତି ଜାଣିବ।

ଅଲୋକବାବୁଙ୍କର କୋଡିଏ ବର୍ଷ ଚାକିରୀ ଜୀବନ ରେ ପ୍ରଥମ ଥର ପାଇଁ ଏଭଳିଆ ଗୋଟେ ଲମ୍ବା ୱାର୍କ ଫ୍ରମ ହୋମ ମିଳିଛି। ନାଁ ସିନା ୱାର୍କ ଫ୍ରମ ହୋମ କିନ୍ତୁ ୟାକୁ ଛୁଟି କହିଲେ ଅତ୍ୟୁକ୍ତି ହେବ ନାହିଁ। ତାପରେ ଲକଡାଉନ ପାଇଁ ଘରର କୌଣସି କାମ ପାଇଁ ବାହାରକୁ ଯିବାର ନାହିଁ। ଗୋଟେପ୍ରକାର ବିଲେଇ କପାଳକୁ ଶିକା ଛିଣ୍ଡିଲା ପରି ପରିସ୍ଥିତି। ଉପରେ ଉପରେ ପରିସ୍ଥିତି ଉପରେ ରାଗୁଛନ୍ତି ସତ, କିନ୍ତୁ ମନ ଭିତରେ ବହୁତ ଖୁସି। “ମଳୁ ଖୋଜୁଥିଲା କାକର ପାଣି ବଇଦ କହିଲା ଦିଅ ତୋରାଣି”। ବଡ଼ ଆରାମ ଦାୟକ ହେଇ ଯାଇଛି ଜୀବନ। ସକାଳ 9 ଟା ରେ ଲାପଟପ ଟା ଖୋଲି ଲଗ ଇନ କରିଦେଲେ ଅଫିସ ଷ୍ଟାର୍ଟ। ତାପରେ ମୋବାଇଲ ଧରି ବସିପଡିଲେ,ଖାଇଲେ, ଶୋଇଲେ ସନ୍ଧ୍ୟା 6 ଟା ରେ ଲାପଟପ ଲଗ ଆଉଟ ସହିତ ଅଫିସ ଓଭର।

ସୁପ୍ରିୟା କିନ୍ତୁ ବରାବର ନଜର ରଖଛନ୍ତି ଆଲୋକ ବାବୁ ଉପରେ। ମନେ ମନେ ଆଲୋକ ବାବୁଙ୍କୁ ଗୁରୁବାରୀ ର ରିପ୍ଲେସମେଣ୍ଟ ବୋଲି ଭାବିବା ଆରମ୍ଭ କରିଦେଇଛନ୍ତି। ଆଲୋକ ବାବୁ କିନ୍ତୁ ଏହାର ଆଭାସ ପାଇଲା ପରେ କାଳେ ୱାର୍କ ଫ୍ରମ ହୋମ ୱାର୍କ ଏଟ ହୋମ ରେ ବଦଳିଯିବ, କାମ ଥାଉ ନ ଥାଉ ଲାପଟପ କୁ ଖୁଡୁ ଖୁଡୁ କରୁଛନ୍ତି ଓ ନିଜକୁ ବ୍ୟସ୍ତ ବୋଲି ପ୍ରମାଣ କରିବାକୁ ଚାହୁଁଛନ୍ତି। ଏବେ କିନ୍ତୁ ଆଲୋକ ବାବୁଙ୍କର ଗୋଟେ ବଡ଼ ସମସ୍ୟା ହେଲା ସେ ପାନ କେମିତି ଖାଇବେ। ଅଫିସ ଗଲା ପରେ ସେହି 8 ଘଣ୍ଟା ରେ ମନମୁତାବକ ପାନ ଖାଇଲେ କେହି କହିବାର ନାହିଁ। ଘରେ କିନ୍ତୁ ସେଇ ପାଠ ଚଳିବ ନାହିଁ। ମାଁ ପୁଅ ଜଗି କି ବସିଛନ୍ତି । କେତେବେଳେ କମିତି ଜୀବନ କୁ ପାଣି ଛଡେଇ ଗୋଟେ ୱାକ ବାହାନା ରେ ଚାଲିଯାଉଛନ୍ତି ପାନ ଖାଇବା ପାଇଁ। କିନ୍ତୁ ଘରକୁ ଫେରିବା ବେଳେ ହନୁମାନ ଚାଲିଶା ପାଠ କରି କରି ଆସିବାକୁ ପଡୁଛି। ସ୍ତ୍ରୀ କୁ ରାଗମୁକ୍ତ କରିବା ପାଇଁ ଟିକେ ୱାର୍କ ଏଟ ହୋମ ମଧ୍ୟ କରିବାକୁ ପଡୁଛି।

ଆଲୋକ ବାବୁ ବାସନ ଧୁଆ କାମ ସାରି ଲାପଟପ ଆଡ଼କୁ ମୁହଁଉଛନ୍ତି। ସୁପ୍ରିୟା ଅତିଖୁସି ରେ ନାଚି ନାଚି ଆଲୋକ ବାବୁ ଙ୍କୁ ଆନନ୍ଦ ରେ କୁଣ୍ଢାଇ ପକାଇଲେ। କାରଣ ପଚାରିବାରୁ କହିଲେ, ମୁଁ ଗୋଟେ ୱାଟସାପ ଭିଡିଓ ପଠେଇଛି ଦେଖ। ଆଲୋକ କିଛି ବୁଝିପାରିଲେନି । ଆରେ ନବୀନ ସରକାର ବାଗଚୀ ସାରଙ୍କର ହାତରେ ମେସେଜ ପଠାଇଛନ୍ତି। ଲକଡାଉନ ସମୟରେ ସବୁ ଘର କାମ ମହିଳା ମାନଙ୍କ ଉପରେ ଲଦି ଦେବେନି, ପୁରୁଷ ମାନେ ଘର କାମରେ ସାହାଯ୍ୟ କରିବେ। ଦୀର୍ଘ ନିଶ୍ଵାସ ଛାଡି ସରୁ କଣ୍ଠ ରେ କହିଲେ ବଂଚିଗଲା ମଣିଷ। ଗୁରୁବାରୀ ଏବେ ଆସୁ କି ନଆସୁ, ମୋର କିଛି ଅସୁବିଧା ନାହିଁ। କାଲା ଠାର କାଲା ମାଁ ବୁଝିଲା ଭଳି ନବୀନ ବାବୁ ଠିକ ସୁପ୍ରିୟା କଥା ବୁଝି ପାରିଛନ୍ତି !!

ଆଲୋକ ବାବୁ ମୁଣ୍ଡରେ ହାତଦେଲେ। ତାଙ୍କର ଲାଇଫ ଡ୍ୟୁରିଙ୍ଗ ଲକଡାଉନ ଖୁସି ଏବେ ଦୁଃଖ ରେ ବଦଳି ଗଲା। ଏବେ ସେ ୱାର୍କ ଏଟ ଅଫିସ କେବେ ହେବ ସେଇ ଚିନ୍ତା ରେ ଅଛନ୍ତି।

Leave a Reply