ନବନୀତା ବ୍ୟୁରୋ, ଭୁବନେଶ୍ୱର। ମହାମାରୀ କରୋନା ଯୋଗୁଁ ଏବେ ସାରା ଦେଶରେ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ଏହାର ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଛି ନାଲକୋ। କରୋନା ମୁକାବିଲା ଲାଗି ୧୦.୨ କୋଟି ଟଙ୍କା ଦାନ କରିଛି ଏହି ନବରତ୍ନ କମ୍ପାନୀ।
ନାଲକୋ ପକ୍ଷରୁ ୫ କୋଟି ଓ କର୍ମଚାରୀଙ୍କ ଗୋଟିଏ ଦିନର ଦରମା ୨.୬ କୋଟି ଟଙ୍କା ପ୍ରଧାନମନ୍ତ୍ରୀ କେୟାରସ ପାଣ୍ଠିକୁ ଦାନ କରାଯାଇଛି। ସେହିପରି କର୍ମଚାରୀମାନେ ଆଉ ଗୋଟିଏ ଦିନର ଦରମା ୨.୬ କୋଟି ଟଙ୍କା ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ଜାତୀୟ ଓ ରାଜ୍ୟରେ କରୋନା ମୁକାବିଲା ଲଢେଇରେ ସାମିଲ୍ ହୋଇଛି ନାଲକୋ।
ଏଥିସହ କରୋନା ପ୍ରତିରୋଧ ପାଇଁ ନାଲକୋ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। କଣ କରିବେ କଣ ନ କରିବେ ସେନେଇ ଅଫିସ୍ ଓ ସହରରେ ସଚେତନତା କରାଯାଉଛି। ଏହାବ୍ୟତୀତ ଆଇସୋଲେସନ୍ ୱାର୍ଡ କରିବା ସହ କରୋନା ସନ୍ଦିଗ୍ଧ ଓ ଆକ୍ରାନ୍ତଙ୍କୁ କମ୍ପାନୀ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା କରାଯାଇଛି। କେବଳ ଏତିକି ନୁହେଁ, କାରଖାନା ଓ ସହର ଅଞ୍ଚଳ ବିଶୋଧନ କରିବା ସହ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି।
କରୋନା ମୁକାବିଲା ପାଇଁ ନାଲକୋ ଦାନ କଲା ୧୦.୨ କୋଟି ଟଙ୍କା
