ନବନୀତା ବ୍ୟୁରୋ। ରାଜ୍ୟର ଶିକ୍ଷା ପ୍ରଣାଳୀର ସମସ୍ତ ସ୍ତରରେ ଉତ୍କୃଷ୍ଟମାନର ଶିକ୍ଷାରେ ପରିଣତ କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବିଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ କଥା କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଉତ୍କଳ ବିଶ୍ୱବିଦ୍ୟାଳୟ ରାଷ୍ଟ୍ରୀୟ ସର୍ବୋଚ୍ଚ ଶିକ୍ଷା ମାନଚିତ୍ରରେ ପରିପୂର୍ଣ୍ଣ। ତେଣୁ ଉତ୍କୃଷ୍ଟତା ହାସଲ କରି ରାଜ୍ୟର ଶୈକ୍ଷିକ ଆକାଂକ୍ଷାକୁ ଆହୁରି ଆଗକୁ ନେବାକୁ ସରକାର ଦାୟିତ୍ଵ ନେଇଛନ୍ତି।
ଏ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହେ କୋଟି ଟଙ୍କା ଘୋଷଣା କରିଛନ୍ତି। ବିଶ୍ବବିଦ୍ୟାଳୟରେ ୬ଟି ଉତ୍କୃଷ୍ଟତା କେନ୍ଦ୍ର ଖୋଲିବା ପାଇଁ ଏହି ଶହେ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏପରିକି ଚାଳିତ ଶିକ୍ଷା ବର୍ଷରେ ବିଶ୍ଵବିଦ୍ୟାଳୟକୁ ୪୦ କୋଟି ଟଙ୍କା ପୂର୍ବରୁ ମିଳିସାରିଛି। ଏହା ବ୍ୟତୀତ ବିଶ୍ଵବିଦ୍ୟାଳୟକୁ ମୌଳିକ ଢାଞ୍ଚାରେ ବିକାଶ କରିବା ପାଇଁ ମଧ୍ୟ ଆର୍ଥିକ ବ୍ୟବସ୍ଥା କରାଯାଇଛି। ତେବେ ଏହି ବୌଦ୍ଧିକ ସଂସାଧନକୁ ପଞ୍ଜିକରଣ କଳ୍ପନା କରିଥିବା ମହାନ୍ ବ୍ୟକ୍ତି ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି, ପଣ୍ଡିତ ନୀଳକଣ୍ଠ ଦାସ ଓ ପଣ୍ଡିତ ଗୋଦାବରୀଶ ମିଶ୍ର ସ୍ମୃତି ଚାରଣ କରିଥିଲେ।

ମୁଖ୍ୟମନ୍ତ୍ରୀ ବିଶ୍ଵବିଦ୍ୟାଳୟର ସେଣ୍ଟ୍ରାଲ ଇଷ୍ଟ୍ରୁମେଣ୍ଟେଶନ୍ କେନ୍ଦ୍ର ଓ ଡିଜିଟାଲ ଲାଇବ୍ରେରୀ କୋଠାର ମଧ୍ୟ ଉଦଘାଟନ କରିଛନ୍ତି। ତା ସହ ବାଉଣ୍ଡରି ୱାଲ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି ନବୀନ।
ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବିଲି କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଓଡ଼ିଶା ଦକ୍ଷତା ବିକାଶର ଅଧ୍ୟକ୍ଷ ସୁବ୍ରତ ବାଗଚୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆଜିଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୨୭ ତାରିଖ ଯାଏ ଚାଲିବ।
