୧୫ରେ ପୁରୁଣା ପେନସନ ଦାବି ନେଇ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବ୍ଲକ ଘେରାଉ

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ରାଧାରମଣ ହାଇସ୍କୁଲରେ ବଲାଙ୍ଗିର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର (ଏନ୍‌ପିଏସ୍‌) ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭ୍ୟ/ ସଭ୍ୟା ସରକାରଙ୍କର ନୂତନ ପେନସନ ଯୋଜନାକୁ ବିରୋଧ କରିବା ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ଓ ପର୍ଯ୍ୟାଲୋଚନା କରି ବିଭିନ୍ନ ମତ ରଖାଯାଇଥିଲା। ଏଥିରେ ସମସ୍ତ ସଭ୍ୟ / ସଭ୍ୟାଙ୍କ ସହମତି ଅନୁସାରେ ଜିଲ୍ଲା ସଂଘର ନିର୍ଦ୍ଦେଶ କ୍ରମେ ପୁରୁଣା ପେନସନ ଲାଗୁ କରିବା ଦାବି ନେଇ ବ୍ଲକ ଶିକ୍ଷାଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀଙ୍କୁ ଦାବି ପତ୍ର ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ସରକାର ନୂତନ ପେନସନ ସ୍କିମ ଲାଗୁ କରିବା ଫଳରେ ସରକାରଙ୍କ କର୍ମଚାରୀ ଶୋଷଣ ନୀତି ସ୍ପଷ୍ଟ ହୋଇଯାଇଛି। ନିଜ ରାଜ୍ୟସ୍ୱକୁ ବଳକା କରିବା ଆଳରେ ରାଜ୍ୟ କର୍ମଚାରୀମାନଙ୍କ ପେନସନକୁ ବନ୍ଦ କରିଦିଆଯାଇଛି।ସରକାରୀ କର୍ମଚାରୀଙ୍କ ପେନସନ ହକ୍ ବୋଲି କୁହାଯାଉଥିବା ବେଳେ ପେନସନକୁ ବନ୍ଦ କରିବା, କର୍ମଚାରୀଙ୍କ ଅଧିକାର କ୍ଷୁର୍ଣ୍ଣ ହେଉଥିବା ବେଳେ ଅବସର ସମୟରେ କର୍ମଚାରୀମାନେ କେମିତି ଚଳିବେ ସଂଘ କର୍ମକର୍ତ୍ତାମାନେ ପ୍ରଶ୍ନ କରିଛନ୍ତି। ନିକଟ ଅତୀତରେ ଅବସର ଗ୍ରହଣ କରିଥିବା ଶିକ୍ଷକମାନେ ୬୦୦ ଟଙ୍କାରୁ ୧୮୦୦ ଟଙ୍କା ମଧ୍ୟରେ ପେନସନ ପାଇଥିବା ନଜିର ଅଛି। ଏହି ପେନସନ ଦେଇ ସରକାର କର୍ମଚାରୀଙ୍କ ସମାଜିକ ରକ୍ଷଣାବେକ୍ଷଣରୁ ଓହରି ଯିବା ଦୁର୍ଭାଗ୍ୟଜନକ ବୋଲି ସଂଘ ପ୍ରକାଶ କରିଛି।
୨୦୦୫ ପୂର୍ବରୁ ନିଯୁକ୍ତ ସରକାରୀ କର୍ମଚାରୀ ପେନସନ ପାଇବା ପାଇଁ ହକ୍‌ଦାର ଥିବା ବେଳେ ହଠାତ୍ ସରକାର ୨୦୦୫ ପରେ ଚାକିରି କରୁଥିବା ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ନୂତନ ପେନସନ ଯୋଜନା କାର୍ଯ୍ୟକାରୀ କରିବା ଦୁର୍ଭାଗ୍ୟଜନକ ବୋଲି ବୈଠକରେ ମତପ୍ରକାଶ ପାଇଥିଲା।

ଭାରତବର୍ଷର ବିଭିନ୍ନ ରାଜ୍ୟ ଯଥା ରାଜସ୍ଥାନ, ଛତିଶଗଡ, ଝାରଖଣ୍ଡ, ପଂଜାବ କର୍ମଚାରୀଙ୍କ ଆବେଗକୁ ବିଚାର କରି ନୂତନ ପେନସନ ଯୋଜନାକୁ ଉଚ୍ଛେଦ କରି ପୁରଣା ପେନସନ ଯୋଜନା ଲାଗୁ କରିଛନ୍ତି। ସରକାରୀ କର୍ମଚାରୀ ସରକାରର ଗୋଟିଏ ଅଙ୍ଗ। ପେନସନ ସେମାନଙ୍କର ଅଧିକାର। ପୁରୁଣା ପେନସନରୁ ସେମାନଙ୍କୁ ବଂଚିତ କରି ନୂତନ ପେନସନ ଯୋଜନା ପ୍ରଚଳନ ସରକାରଙ୍କ ଏକ ଷଡଯନ୍ତ୍ର ଅଟେ। ନୂତନ ପେନସନ ଯୋଜନା କର୍ମଚାରୀଙ୍କ ପାଇଁ ଏକ ଲଲିପପ୍ ବୋଲି ଚର୍ଚ୍ଚା ହେଉଛି। ନୂତନ ପେନସନ ଯୋଜନାରେ ଅବସରପ୍ରାପ୍ତ କର୍ମଚାରୀ ନିଜର ଗଚ୍ଛିତ ଟଙ୍କା ଯୋଗୁଁ ମାତ୍ର ୬୦୦ ରୁ ୧୮୦୦ ଟଙ୍କା ପାଇବା କେତେ ଦୂର ଯୁକ୍ତିଯୁକ୍ତ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

୨୦୦୫ ପରେ ସରକାରୀ କର୍ମଚାରୀଙ୍କୁ ହତୋତ୍ସାହିତ କରିବା ସହିତ ସରକାର ପୁରୁଣା ପେନସନ ନ ଦେଲେ ଆନ୍ଦୋଳନକୁ ଜୋରଦାର ଓ ବ୍ୟାପକ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏ ପରିପ୍ରେକ୍ଷୀରେ ବ୍ଲକର ସମସ୍ତ ପ୍ରାଥମିକ ଶିକ୍ଷକ ( ଏନ,ପି, ଏସ୍ ଶିକ୍ଷକ,ଏକ୍ସ କେଡର ଶିକ୍ଷକ,କନିଷ୍ଠ ଶିକ୍ଷକ ) ଆସନ୍ତା ୧୫ରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ଆଇନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବା କୁ ନିଷ୍ପତ୍ତି ହୋଇଛି। ଏବଂ ୨୯ରେ ଜିଲ୍ଲାରେ ବ୍ଲକର ସମସ୍ତ ଶିକ୍ଷକ ଯୋଗ ଦେବା ପାଇଁ ସଂଘର ସଭାପତି କାମଳ ଲୋଚନ ସାହୁ, ସଂପାଦକ ବିଷ୍ଣୁ ଚରଣ ସାହୁ, ଏକ୍ସ କେଡରର ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତ୍ରିଲୋକ ସିଂ, ସମ୍ପାଦକ ମହେଶ ମଲ୍ଲିକ ମହାଦେବ ମେଶ୍ୱା, ଲମ୍ବୋଦର ପୃଷ୍ଟି, ଗଣେଶ ପଣ୍ଡା, ହେମନ୍ତ ବେହେରା , ପ୍ରଜ୍ଞାପରମିତା ବହିଦାର, ଅଞ୍ଜଳି ନାଏକ, ବିଶ୍ଵାମିତ୍ର ନାଗ, ନରେଶ ମେହେର, ଗନ୍ଧର୍ପ ପାତ୍ରଙ୍କ ସହ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ।