ବାପାର ଆଶୀର୍ବାଦ, ପୁଅର କୋପଦୃଷ୍ଟି !

ଓଡ଼ିଶାବଡ଼ ଖବରରାଜନୀତିସ୍ପେଶାଲ

ବନୀତା,ଭୁବନେଶ୍ୱର୍: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଆଶୀର୍ବାଦରେ ବିଜୟ ମହାପାତ୍ର କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ। ୧୯୯୦-୯୫ ବିଜୁ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ଜଳସେଚନ ମନ୍ତ୍ରୀ ଥିଲେ ବିଜୟ ମହାପାତ୍ର। ସେ ସମୟରେ ବିଜୟ କ୍ଷମତାଶାଳୀ ମନ୍ତ୍ରୀ ଥିବାରୁ ତାଙ୍କୁ ସୁପର ଚିଫ୍ ମିନିଷ୍ଟର ବୋଲି କୁହାଯାଉଥିଲା। ପାଟକୁରା ନିର୍ବାଚନ ମଣ୍ଡଳୀରୁ ଚାରି ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୧୯୮୦,୧୯୮୫,୧୯୯୦ ଓ ୧୯୯୫ ରେ କ୍ରମାଗତ ଭାବେ ନିର୍ବାଚିତ ହୋଇଥିଲେ।

ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ୧୯୯୭ ରେ ବିଜୁ ଜନତା ଦଳ ଗଠନ କରିବାରେ ବିଜୟ ମହାପାତ୍ରଙ୍କ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ବିଜୟ ଦଳର ପ୍ରତିଷ୍ଠାତା ସଦସ୍ୟ ଥିବା ସହ ଦଳର ଜଣେ କ୍ଷମତାଶାଳୀ ନେତା ଥିଲେ। ଏପରିକି ସେ ସଂସଦୀୟ ବ୍ୟାପାର କମିଟିର ଅଧ୍ୟକ୍ଷ ଥିଲେ। ସେ ଦଳରେ ନେତାଙ୍କ ଗ୍ରୁପ୍ ଲିଡର ଥିବାରୁ ସଭାପତି ନବୀନ ପଟ୍ଟନାୟକଙ୍କ ଅନେକ ନିଷ୍ପତ୍ତିକୁ ବିରୋଧ କରିଥିଲେ। ଏହା ପରେ ବିଜୁଙ୍କ ସୁପୁତ୍ର ନବୀନଙ୍କ କୋପ ଦୃଷ୍ଟି ପଡ଼ିଲା ବିଜୟ ମହାପାତ୍ର ଉପରେ। ୨୦୦୨ ମସିହାରେ ବିଜୟଙ୍କ ଟିକେଟ କାଟି ଦେଲ ନବୀନ। ଦିନେ ଯିଏ ପିତାଙ୍କ ଆଶୀର୍ବାଦରେ କ୍ଷମତାଶାଳୀ ଥିଲେ ପରେ ସେ ତାଙ୍କ ପୁତ୍ର ନବୀନଙ୍କ କୋପ ଯୋଗୁଁ ବିଜୟ ଶକ୍ତିହୀନ ହୋଇଗଲେ। କେବଳ ଏତିକି ନୁହେଁ ବିଜୟଙ୍କୁ ଆଉ ବିଧାନସଭା ପାଦ ମଡାଇ ଦେଉ ନାହାନ୍ତି ନବୀନ।

ଏବେ ନଜର ପକାଇବା ବହୁଚର୍ଚ୍ଚିତ ପାଟକୁରା ବିଧାନସଭା ନିର୍ବାଚନ ଉପରେ। ଏଠି ବିଜେଡି- ବିଜେପି ନୁହଁ, ଲଢ଼େଇ ଚାଲିଥିଲା ବିଜୟ ବନାମ ନବୀନ ପଟ୍ଟନାୟକ ମଧ୍ୟରେ। ବିଜେଡିର ମାଳ ମାଳ ନେତା, ମନ୍ତ୍ରୀ ସେଠାରେ ଡେରା ପକାଇଥିଲେ। ଟାର୍ଗେଟ୍ ଥିଲା ବିଜୟ ମହାପାତ୍ରଙ୍କୁ ବିଧାନସଭା ପୁରାଇ ନା ଦେବା। ଏଥିପାଇଁ ଦଳ, ବଳ, କଳ, କୌଶଳ ପ୍ରୟୋଗ କରା ଯାଇଥିଲା ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ। ଏପରିକି ଦଳର ଜଣେ ମହିଳା ନେତ୍ରୀ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଟଙ୍କା ମଧ୍ୟ ଦେଉଥିବା ଫଟୋ ସୋଶାଲ ମିଡ଼ିଆରେ ଘୂରି ବୁଲୁଥିଲା। ବିଜୟଙ୍କୁ ହରାଇବା ପାଇଁ ସମସ୍ତେ ପ୍ରଣମୂର୍ଚ୍ଛା ଉଦ୍ୟମ ଚଳାଇଥିଲେ। ତେବେ ବିଜୟ ମହାପାତ୍ରଙ୍କୁ କଣ ପାଇଁ ଏତେ ଭୟ କରୁଛନ୍ତି ନବୀନ। ବିଧାନସଭା ଆସିଗଲେ କାଳେ ସେ ସରକାରକୁ ଅଡ଼ୁଆ ପରିସ୍ଥିତିରେ ପକାଇଦେବେ । କାରଣ ବିଜୟ ମହାପାତ୍ର ହେଉଛନ୍ତି ଜଣେ ସାଲିସ ବିହୀନ ନେତା। ତେଣୁ ସେ ଭୟରେ ବିଜୟଙ୍କୁ ବିଧାନସଭା ପାଦ ମଡାଇ ଦେଉ ନାହାନ୍ତି ନବୀନ।

ଦୀର୍ଘ ୨୦ ବର୍ଷ ହେଲା ଓଡ଼ିଶାରେ କ୍ଷମତାରେ ଅଛି ବିଜେଡି। ସାରା ଦେଶରେ ମୋଦୀ ହାୱା ସତ୍ତ୍ଵେ ଓଡ଼ିଶାରେ ପୁଣି ସରକାର ଗଠନ କରିବାରେ ସଫଳ ହେଲା। ବିକାଶମୂଳକ କାର୍ଯ୍ୟ ଓ ନବୀନଙ୍କ ଲୋକପ୍ରିୟତା ଯୋଗୁଁ ସରକାର ଗଠନ କରିଥିବା ଦଳର ଦାବି କରୁଛି। ହେଲେ ପାଟକୁରା ନିର୍ବାଚନରେ ନବୀନଙ୍କ ଲୋକପ୍ରିୟତା ଗଲା କୁଆଡେ଼! ଯଦି ମୁଖ୍ୟମନ୍ତ୍ରୀଙ୍କ ଏତେ ଲୋକପ୍ରିୟତା ତାହେଲେ ପାଟକୁରାରେ କଣ ପାଇଁ ମାଳ ମାଳ ନେତା, ମନ୍ତ୍ରୀ ଡେରା ପକାଇଲେ? ଏପରିକି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଟଙ୍କା ମଧ୍ୟ ଦିଆ ଯାଇଥିବା ବିଜେଡି ନେତ୍ରୀଙ୍କ ଫଟୋ ସୋଶାଲ ମିଡ଼ିଆରେ ଘୂରି ବୁଲୁଥିଲା। ଏଥିରୁ ସ୍ପଷ୍ଟ ବାରି ହେଇ ପଡୁଛି ଯେ, ଲୋକପ୍ରିୟତା ବୋଲି କାହାରି ନାହିଁ। କେବଳ ଅର୍ଥବଳ, ବାହୁବଳ ଓ ପ୍ରାଶାସନିକ କଳର ଦୁରୁପଯୋଗ କରି ନିର୍ବାଚନ ଜିତୁଛନ୍ତି ନେତାଏ। ବୋଧହୁଏ ଏହି କାରଣରୁ ପାଟକୁରାରେ ନିର୍ବାଚନ ହାରିଲେ ବିଜୟ ମହାପାତ୍ର। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ଠାରୁ ପାଖାପାଖି ୧୭,୦୦୦ ଭୋଟରେ ପରାସ୍ତ ହେଲେ ବିଜୟ। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ସର୍ବାଧିକ ୯୬,୦୧୭ଟି ଭୋଟ୍ ମିଳି ଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ମିଳିଛି ୭୮,୦୯୭ଟି ଭୋଟ୍। ତେବେ ଫଳାଫଳକୁ ନେଇ ଚକିତ ହୋଇ ଯାଇଛନ୍ତି ବିଜୟ ମହାପାତ୍ର। ଲୋକମତ ଥାଇ ଫଳାଫଳ ବିପକ୍ଷରେ ଗଲା, ତେବେ ଲୋକଙ୍କ ରାୟକୁ ମାନିବାକୁ ପଡ଼ିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଜୟ ମହାପାତ୍ର।

ରାଜନୀତିର ପୋଖତ୍ ଖେଳାଳି ବିଜୟ ମହାପାତ୍ରଙ୍କୁ ହରାଇଛନ୍ତି, ରାଜନୀତିର ର ଜାଣିନଥିବା ବିଜେଡି ନେତ୍ରୀ ସାବିତ୍ରୀ ଅଗ୍ରୱାଲ। କିନ୍ତୁ ରାଜନୀତିରେ ସବୁ କିଛି ସମ୍ଭବ! ଅପାରଗ, ଅଯୋଗ୍ୟ ଯେ କେହିଙ୍କୁ ଛାମୁଙ୍କ ଆଶୀର୍ବାଦ ମିଳିଲେ ନିର୍ବାଚନୀ ବୈତରଣୀ ପାର୍ ହୋଇଯିବ ନିଶ୍ଚିତ! ତେବେ ନିର୍ବାଚନ ଜିତିବା ପରେ ସାବିତ୍ରୀ ଅଗ୍ରୱାଲ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହା ତାଙ୍କ କର୍ମର ଫଳ। ତାଙ୍କ ସ୍ବାମୀ ନିର୍ବାଚନ ମଣ୍ଡଳୀର ଅନେକ ବିକାଶ କାର୍ଯ୍ୟ କରିଛନ୍ତି। ତାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବା ପାଇଁ ପାଟକୁରାବାସି ସୁଯୋଗ ଦେଇ ଥିବା କହିଛନ୍ତି ସାବିତ୍ରୀ।

ଚଳିତ ନିର୍ବାଚନ ସହ ବିଜୟ କ୍ରମାଗତ ଭାବେ ପରାଜିତ ହୋଇଛନ୍ତି। ପୂର୍ବରୁ ୨୦୦୪, ୨୦୦୯ ଓ ୨୦୧୪ରେ ନିର୍ବାଚନ ଲଢି ହାରିଥିଲେ ବିଜୟ ମହାପାତ୍ର।