ନବନୀତା, ଭୁବନେଶ୍ୱର: ଅନଗୋଳ ତାଳଚେର ଏମସିଏଲ ଭତରପୁର କୋଇଲା ଖଣିରେ ନିଖୋଜ ୩ ଜଣଙ୍କ ଏଯାଏ ମିଳିନି ପତ୍ତା । ଗୁରବାର ଦ୍ୱିତୀୟ ଦିନରେ ବି ଏମସିିଏଲ ଓ ଏନଡିଆରଏଫ୍ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିଲା । ହେଲେ ଅପରାହ୍ନ ଦୁଇଟାରେ ମୁଷଳଧାରାରେ ବର୍ଷା ହେବାରୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଥିଲା । ପାଣି ଛାଡ଼ିବା ପରେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ନିଖୋଜ ୩ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇ ପାରିନି ଉଦ୍ଧାରକାରୀ ଟିମ୍ ।
ବୁଧବାର ବହୁ ଖୋଜାଖୋଜି ପରେ ଜଣକ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତକ ଜଣକ ହେଲେ ପପୁନ ବିଶ୍ୱାଳ । ସେ ସିସକାଲ କଂପାନୀରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ତେବେ ନିଖୋଜ ଥିବା ସିସକାଲ କଂପାନୀର ଅନ୍ୟ ୩ ଜଣ ହେଲେ ସୁପରଭାଇଜର ରଶ୍ମୀରଂଜନ ବେହେରା, ସିକ୍ୟୁରିଟି ଗାର୍ଡ ରମେଶ ଦାଶ ଏବଂ ପଂପ ଖଲାସୀ ରାଜ କିଶୋର ମହାପାତ୍ର । ଭରତପୁର କୋଇଲା ଖଣିରେ ମାଡ଼ି ଅତଡ଼ା ଖସିବା ପରେ ଏମାନେ ନିଖୋଜ ଅଛନ୍ତି ।
ଅନ୍ୟପଟେ ଏମସିଏଲ ପକ୍ଷରୁ ମୃତକଙ୍କ ପରିବାର ବର୍ଗଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ତାସହ ମୃତକଙ୍କ ବର୍ଷ ଅନୁସାରେ ହିସାବ କରି ସଂପୂର୍ଣ୍ଣ ଅନୁକଂପାମୂଳକ ରାଶିପ୍ରଦାନ କରାଯିବାକୁ ଏମସିଏଲ ପକ୍ଷରୁ କୁହାଯାଇଛି । ଏହା ବ୍ୟତୀତ ମୃତ କର୍ମଚାରୀଙ୍କ ପରିବାରର ଜଣକୁ ନିଯୁକ୍ତି ମଧ୍ୟ ଦିଆଯିବ ।
ସୂଚନା ଅନୁସାରେ ମଂଗଳବାର ରାତି ସାଢ଼େ ୧୧ଟା ସମୟରେ ଭରତପୁର କୋଇଲା ଖଣିରେ କାମ ଚାଲିଥିଲା । ହେଲେ ଏ ସମୟରେ ଖଣିରେ କୋଇଲା ସ୍ତର ଧସି ପଡ଼ିବାରୁ ଅନେକ ଗାଡ଼ି ଓ ୧୩ କର୍ମଚାରୀ ଫସି ରହିଥିଲେ । ଜଣକ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏଯାଏ ଅନ୍ୟ ୩ ଜଣଙ୍କ ଖୋଜଖବର ମିଳି ନାହିଁ । ୯ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଏମସିଏଲ ତାଳଚେର ସେଂଟ୍ରାଲ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏପରିକି ନିର୍ଦ୍ଦେଶକ ଟେକ୍ନିକାଲ ଅପରେସନ ଓପି ସିଂ ଓ ନିର୍ଦ୍ଦେଶ ପର୍ସେନେଲ କେ. ଆର ବାସୁଦେବନ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ ।
ଏମସିଏଲ କୋଇଲା ଖଣି ଦୁର୍ଘଟଣା, ନିଖୋଜ ୩ ଜଣଙ୍କ ମିଳୁନି ପତ୍ତା
