ହରିୟାଣାରେ ବିଜେପି ଜେଜେପି ଗଠବନ୍ଧନ ସରକାର

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ହରିୟାଣାରେ ବିଜେପି ଜେଜେପି ଗଠବନ୍ଧନ ସରକାର। ଦୀପାବଳୀ ପର୍ବ ଅବସରରେ ହରିୟାଣାରେ ସରକାର ଗଠନ ହୋଇଛି। ଉତ୍ସବ ଦିନରେ ମନୋହର ଲାଲ ଖଟ୍ଟର ରାଜ୍ୟର ୧୧ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେହିପରି ଜନନାୟକ ଜନତା ପାର୍ଟିର ସୁପ୍ରିମୋ ଦୁଷ୍ୟନ୍ତ ଚୌଟାଲା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଚଣ୍ଡିଗଡ ଭବନଠାରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା। ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ସମାରୋହରେ ଦୁଷ୍ୟନ୍ତ ଚୌଟାଲାଙ୍କ ପିତା ଅଜୟ ଚୌଟାଲା, ମା ନୈନା ଚୌଟାଲା ଏବଂ ଭାଇ ଦିଗବିଜୟ ଚୌଟାଲା ଉପସ୍ଥିତ ଥିଲେ।

ଏଥିସହ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ, ପୁଅ ଅକାଳି ଦଳ ସୁପ୍ରିମୋ ସୁଖବିର୍ ବାଦଲ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ୍, ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ବିଜେପି ରାଜ୍ୟ ସଭାପତି ସୁଭାଷ ବାରାଲା, ହରିୟାଣା ବିଜେପି ପ୍ରଭାରୀ ଅନିଲ ଜୈନ, ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ସାଂସଦ ରତନ ଲାଲ କଟାରିଆ ସମାରୋହରେ ସାମିଲ ହୋଇଥିଲେ।

ଏହା ବ୍ୟତୀତ ବିଜେପୁର ଅନେକ ବରିଷ୍ଠ ନେତା, ସାଂସଦ, ନୂଆ ବିଧାୟକ ଓ ସ୍ଵାଧୀନ ବିଧାୟକମାନେ ଉପସ୍ଥିତ ଥିଲେ। ସମାରୋହରେ ପଞ୍ଜାବର ଗଭର୍ଣ୍ଣର ତଥା ୟୁଟି ପ୍ରଶାସକ ବିପି ସିଂହଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।