ବିମଲେଇ ମହୋତ୍ସବ ଉଦଘାଟିତ

ଓଡ଼ିଶାବଡ଼ ଖବରରାଜନୀତିସାହିତ୍ୟ ଓ ସଂସ୍କୃତି

ଏନ୍ଏନ୍ ବ୍ୟୁରୋ। ବିମଲେଇ ମହୋତ୍ସବ ଉଦଘାଟିତ। ପୁଇନ୍ତଲା ବ୍ଲକ୍ ବିଲାଇସର୍ଡା ମିନି ଷ୍ଟାଡିୟମରେ ଦ୍ୱିତୀୟ ବିମଲେଇ ମହୋତ୍ସବ ଆରମ୍ଭ ହୋଇଛି। ମହୋତ୍ସବ ସଭାପତି ଭରତ ଭୂଷଣ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ପୁଇନ୍ତଲା ବ୍ଲକ୍ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ ଓ ଯୁବ ବିଜେଡ଼ି ନେତା ନିହାର ରଞ୍ଜନ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ନନ୍ଦ ଯୋଗ ଦେଇଥିଲେ। ସେହିପରି ସ୍ଥାନୀୟ ସରପଞ୍ଚ ସୁଶାନ୍ତ ଛତ୍ରିଆ ଓ ସମିତି ସଭ୍ୟ ସୁରେନ୍ଦ୍ର ବୁଡେକ୍ ପ୍ରମୁଖ ମଞ୍ଚାସୀନ ଥିଲେ। ହେଲେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ମୁଖ୍ୟ ଅତିଥି ଭାବେ ଡକାଯାଇଥିଲେ ବି ସେ କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ। ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କୁନି କୁନି କଳାକାରଙ୍କ ମନଛୁଆଁ ନୃତ୍ୟଗୀତରେ ମନ୍ତ୍ରମୁଗ୍ଧ ହୋଇଥିଲେ ହଜାର ଦେଖଣାହାରୀ। ପରେ କଂସ ଦରବାର ଆରମ୍ଭ ହୋଇଥିଲା। ମହାରାଜା କଂସଙ୍କ ଅଟହାସ୍ୟରେ ପ୍ରକମ୍ପିତ ହୋଇଥିଲା ମିନି ଷ୍ଟାଡିୟମ। କଂସ ଦରବାର ସହ ମୀନା ବଜାର ବୁଲି ମହୋତ୍ସବର ମଜା ଉଠାଉଛନ୍ତି ସ୍ଥାନୀୟ ଲୋକେ। ତେବେ ଆଜିଠାରୁ ଆରମ୍ଭ ହୋଇଥିବା ଏହି ପାଞ୍ଚ ଦିନିଆ ମହୋତ୍ସବ ଆସନ୍ତା ୨୬ ତାରିଖରେ ଶେଷ ହେବ।