ନବନୀତା ବ୍ୟୁରୋ, ଭୁବନେଶ୍ୱର: ଜେଏନୟୁ ବିବାଦ ପରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଛାତ୍ର ଛାତ୍ରୀଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହାକୁ କିଛି ଲୋକ ହଜମ କରି ପାରିନଥିବା ବେଳେ ଏନେଇ ଜୋରଦାର ରାଜନୀତି ହେବାରେ ଲାଗିଛି। ତେବେ ଏନେଇ ଅନେକ ନେତାଙ୍କ ବୟାନବାଜି ପରେ ଏବେ ଯୋଗଗୁରୁ ରାମଦେବ ବାବା ପ୍ରତିକ୍ରିୟା ଦେବା ସହ ଦୀପିକାଙ୍କୁ ପରାମର୍ଶ ଦେଇଛନ୍ତି।
ଦୀପିକା ଜେଏନୟୁକୁ ଯିବା ପରେ ତାଙ୍କ ଫିଲ୍ମ ଛପାକ୍ କୁ ବି ଲଗାତାର ବିରୋଧ ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳିଛି। ଏ କ୍ରମରେ ମଧ୍ୟପ୍ରଦେଶ ଇନ୍ଦୋରରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ, ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ପ୍ରସଙ୍ଗରେ ସଠିକ୍ ଜ୍ଞାନ ହାସଲ କରିବା ପାଇଁ ଦୀପିକା ପାଦୁକୋନଙ୍କୁ ତାଙ୍କ ଭଳି ପରାମର୍ଶଦାତା ରଖିବା ଆବଶ୍ୟକ।
ପିଟିଆଇ ଭାଷା ଅନୁସାରେ ରାମଦେବ କହିଛନ୍ତି, ଅଭିନୟ କ୍ଷେତ୍ରରେ ଦୀପିକାଙ୍କ କୁଶଳତା ଥିବା ଅଲଗା କଥା। ହେଲେ ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ପ୍ରସଙ୍ଗରେ ଜ୍ଞାନ ହାସଲ ପାଇଁ ତାଙ୍କୁ ଦେଶ ବାବଦରେ ଆହୁରି ପଢ଼ିବା ବୁଝିବାକୁ ପଡ଼ିବ। ଏପରି ଜ୍ଞାନ ହାସଲ କରିବା ପରେ ହିଁ ସେ ଏଭଳି ବଡ଼ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ରାମଦେବ କହିଛନ୍ତି। ଏପରିକି ଏଥିପାଇଁ ତାଙ୍କୁ ସ୍ବାମୀ ରାମଦେବଙ୍କ ଭଳି କୌଣସି ପରାମର୍ଶଦାତା ରଖିବା ଆବଶ୍ୟକ।
ରାମଦେବ ସଂଶୋଧିତ ନାଗରିକତା ଆଇନର ଜୋରସୋର ସମର୍ଥନ କରି କହିଛନ୍ତି, ଯେଉଁ ଲୋକେ ସିଏଏର ଫୁଲ ଫର୍ମ ଜାଣି ନାହାନ୍ତି, ସେଭଳି ଲୋକେ ଆଜି ଏ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗାଳି ଦେଉଛନ୍ତି। ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ସ୍ପଷ୍ଟ କରି ସାରିଛନ୍ତି କି, ଏହି ଆଇନ୍ କୌଣସି ବ୍ୟକ୍ତିର ନାଗରିକତା ହରଣ ପାଇଁ ନୁହେଁ, ବରଂ ନାଗରିକତା ଦେବାକୁ କରାଯାଇଛି। ଏହା ସତ୍ତ୍ଵେ ବି ଲୋକେ ନିଆଁ ଲଗାଇବାରେ ଲାଗିଛନ୍ତି ବୋଲି କହିଛନ୍ତି ବାବା ରାମଦେବ।
