ନବନୀତା ବ୍ୟୁରୋ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ଏମିତି ମୁହୂର୍ତ୍ତରେ ହୋଇଛି ଯେତେବେଳେ ସାରା ସହରରେ ସଂଶୋଧିତ ନାଗରିକତା ଆଇନ ବିରୋଧରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ମୋଦୀଙ୍କୁ ଭେଟିବା ପରେ ମମତା ବାନାର୍ଜୀ କହିଛନ୍ତି ଯେ ଆମେ ସିଏଏ, ଏନ୍ଆରସି ଓ ଏନପିଆରକୁ ବିରୋଧ କରୁଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି। ଏପରିକି ସିଏଏ ଓ ଏନ୍ଆରସି ପ୍ରତ୍ୟାହାର କରିବା ପାଇଁ ମୋଦୀଙ୍କୁ ଅନୁରୋଧ କରିଥିବା କହିଛନ୍ତି ମମତା। ଏଥି ସହ କିଛି ଅର୍ଥ ଦାବି ନେଇ ମଧ୍ୟ ମୋଦୀ ସହ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ଗସ୍ତରେ କୋଲକାତା ପହଞ୍ଚିବା ପରେ ଉଭୟ ନେତାଙ୍କ ସାକ୍ଷାତ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।
ଏହି ବୈଠକ ସେତେବେଳେ ହୋଇଛି ଯେତେବେଳେ ନୂଆ ନାଗରିକତା ଆଇନ୍ ପ୍ରଦେଶରେ ବିରୋଧର କେନ୍ଦ୍ର ବିନ୍ଦୁ ପାଲଟିଛି। ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଏହାର କଡ଼ା ବିରୋଧ କରୁଥିବା ବେଳେ ବିଜେପି ଏହି ଆଇନ ଲାଗୁ କରିବା ନେଇ ଚାପ ପକାଉଛି। ମୋଦୀ ଦୁଇ ଦିନିଆ ଗସ୍ତରେ ଶନିବାର ଓ ରବିବାର କୋଲକାତାରେ ରହିବେ। ଏ ଅବସରରେ ୧୨ ତାରିଖରେ କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ ତମ ସମାରୋହ ସହ ଅନ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ।
