ନବନୀତା ବ୍ୟୁରୋ। ଫ୍ଲୋର ଟେଷ୍ଟ ପୂର୍ବରୁ ଇସ୍ତଫା ଦେଲେ ଫଡନାଭିସ। ମହାରାଷ୍ଟ୍ରରେ ୮୦ ଘଣ୍ଟା ଯାଏ ମୁଖ୍ୟମନ୍ତ୍ରୀ ରହିଥିବା ଦେବେନ୍ଦ୍ର ଫଡନାଭିସ ଇସ୍ତଫା ଦେଇଛନ୍ତି। ରାଜଭବନ ଯାଇ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ନିଜ ଇସ୍ତଫା ପତ୍ର ଦେଇଛନ୍ତି। ଏହା ପୂର୍ବରୁ ଫଡନାଭିସ ସାମ୍ବାଦିକ ସମ୍ମିଳନୀ କରି ନିଜ ଇସ୍ତଫା ନେଇ ଘୋଷଣା କରିଥିଲେ। ସମ୍ମିଳନୀରେ ଶିବସେନା ଉପରେ ପ୍ରବଳ ବର୍ଷି ଥିଲେ ଫଡନାଭିସ। ଏବଂ ସାମ୍ବାଦିକ ସମ୍ମିଳନୀ ପରେ ଇସ୍ତଫା ଦେବାକୁ ସିଧା ରାଜଭବନକୁ ଯାଇଥିଲେ। ରାଜ୍ୟପାଳଙ୍କୁ ନିଜ ଇସ୍ତଫା ପତ୍ର ଦେଇଥିଲେ।
ପୂର୍ବରୁ ଦ୍ବିପ୍ରହରରେ ଉପ ମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ନିଜ ଇସ୍ତଫା ପତ୍ର ଦେଇଥିଲେ। ଏହାପରେ ଫଡନାଭିସଙ୍କ ପାଖରେ ଇସ୍ତଫା ଦେବା ଅପେକ୍ଷା କୌଣସି ବିକଳ୍ପ ନ ଥିଲା।

ବୁଧବାର ଫ୍ଲୋର ଟେଷ୍ଟ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏପରିକି ଫ୍ଲୋର ଟେଷ୍ଟର ସିଧା ପ୍ରସାରଣ କରିବାକୁ ଆଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ। ଏହାପରେ ବିଜେପି ପାଖରେ କୌଣସି ଚାରା ନ ଥିଲା। ତେଣୁ ଦେବେନ୍ଦ୍ର ଫଡନାଭିସ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ବୀକାର କରିଥିଲେ ଯେ ତାଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପାଇଁ ଆବଶ୍ୟକ ସଦସ୍ୟ ନାହାନ୍ତି। ତେଣୁ ନିରୂପାୟ ହୋଇ ଫଡନାଭିସ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଛନ୍ତି।
