ନବନୀତା ବ୍ୟୁରୋ। ୨୦୦୮ ନଭେମ୍ବର ୨୬ ତାରିଖ। ସନ୍ଧ୍ୟା ସୁଦ୍ଧା ସବୁ ଠିକ ଠାକ୍ ଥିଲା। ହେଲେ ଅନ୍ଧାର ହେବା ପରେ ପରେ ଘୋଟି ଆସିଲା ଆତଙ୍କର କଳା ବାଦଲ। ମୁମ୍ବାଇ ସହରର ରାସ୍ତାରେ ଲୋକଙ୍କ ପ୍ରବଳ ରଡ଼ା କିଲ୍ଲା ଶୁଣିବାକୁ ମିଳିଲା। ଜୈଶ୍ ଏ ମହମ୍ମଦ ସଂଗଠନର ୧୦ ଅାତଙ୍କବାଦୀ ସମୁଦ୍ର ରାସ୍ତାରେ ମୁମ୍ବାଇକୁ ପ୍ରବେଶ କରି ସାରିଥିଲେ। ସମୁଦ୍ର ଉପକୂଳକୁ ଓହ୍ଲାଇବା ପରେ ତାଙ୍କ ଆଗକୁ ଯିଏ ଆସିଲା ସିଏ ଗୁଳିର ଶିକାର ହୋଇଥିଲା। ପୁରା ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିବା ଆତଙ୍କି ରାତି ହେବା ମାତ୍ରେ ମୁମ୍ବାଇ ସହରରେ ଆତଙ୍କ ଖେଳାଇ ଦେଇଥିଲେ।
ଆତଙ୍କ ଖେଳାଇବା ପାଇଁ ତିନି ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ନଭେମ୍ବର ୨୩ ତାରିଖରେ ଆତଙ୍କବାଦୀମାନେ କରାଚିରୁ ଏକ ଜାହାଜରେ ବାହାରିଥିଲେ। ସମୁଦ୍ରରେ ସେମାନେ ଏକ ଭାରତୀୟ ବୋଟକୁ କବଜା କରିବା ସହ ୪ ଜଣଙ୍କୁ ହତ୍ୟା କରିଥିଲେ। ଏବଂ ମୁମ୍ବାଇ ଉପକୂଳ ନିକଟକୁ ପହଞ୍ଚିବା ପରେ ବୋଟରେ ଥିବା ଶେଷ ଭାରତୀୟ ବ୍ୟକ୍ତିଙ୍କୁ ମଧ୍ୟ ହତ୍ୟା କରିଥିଲେ। ତେବେ ମୁମ୍ବାଇ ପହଞ୍ଚିବା ପରେ ଆତଙ୍କବାଦୀମାନେ ୬ ଭାଗରେ ବିଭକ୍ତ ହୋଇ ଅଲଗା ଅଲଗା ଜାଗାକୁ ଯାଇଥିଲେ। ଉର୍ଦ୍ଦେଶ୍ୟ ଥିଲା ଅଧିକରୁ ଅଧିକ ଲୋକଙ୍କୁ ହତ୍ୟା କରିବା। ରାତି ପାଖାପାଖି ୯.୨୧ ମିନିଟରେ ଛତ୍ରପତି ଶିବାଜି ଷ୍ଟେସନରେ ଥିବା ଲୋକଙ୍କ ଉପରେ ଅନ୍ଧାଧୂନ୍ ଗୁଳିଚାଳନା କରିଥିଲେ। ଆଜମଲ୍ କସାବ୍ ଓ ସ୍ମାଇଲ ଖାଁ ନାମକ ଦୁଇ ଅାତଙ୍କୀ ଏହି କାଣ୍ଡ ଭିଆଉଥିଲେ। ତେବେ ଏଠାରେ ପ୍ରଥମ କରି କସାବର ଫଟୋ ସିସିଟିଭିରେ କୈଦ୍ ହୋଇଥିଲା। ତା ହାତରେ ଏକେ ୪୭ ଥିବା ନଜରକୁ ଆସିବା ସହ ସେ ଲୋକଙ୍କୁ ଗୁଳି କରି ହତ୍ୟା ଚାଲିଥିଲା।
ଏହାର ୧୦ ମିନିଟ୍ ପରେ ଆତଙ୍କବାଦୀଙ୍କ ଅନ୍ୟ ଏକ ଗ୍ରୁପ୍ ନରିମନ୍ ହାଉସ ବିଜିନେସ୍ ଏଣ୍ଡ ରେସିଡେନସିଅାଲ କୋମ୍ପ୍ଲେକ୍ସ ଉପରେ ଆକ୍ରମଣ କଲେ। ଲୋକଙ୍କୁ ଅତି ନିକଟରୁ ଗୁଳି କରି ନିର୍ମମ ଭାବେ ହତ୍ୟା କଲେ। ହେଲେ ଛାବଡ଼ ଘରୁ ଜଣେ ନର୍ସ ଛୋଟ ପିଲାକୁ ରକ୍ଷା କରି ତାଙ୍କ ଅଜା ଆଈ ରହୁଥିବା ଇଜ୍ରାଇଲକୁ ପଠା ଯାଇଥିଲା। ଏଠାରେ ଲିଫ୍ଟକୁ ବି ବୋମାରେ ଉଡ଼ାଇ ଦେଇଥିଲେ ଆତଙ୍କବାଦୀ।

ଏଠାରୁ ଟିକିଏ ଦୂରରେ ଥିବା ଗ୍ୟାସ ଷ୍ଟେସନକୁ ବୋମା ବିସ୍ଫୋରଣରେ ଉଡାଇ ଦେଇଥିଲା ଅନ୍ୟ ଏକ ଆତଙ୍କୀ। ଲୋକେ ଭୟଭୀତ ହୋଇ ପଦାକୁ ଆସିବା ବେଳେ ସେମାନଙ୍କୁ ଟାର୍ଗେଟ କରିଥିଲେ। ହେଲେ ଘଟଣା ନେଇ କେହି କିଛି ଜାଣି ପାରିନଥିଲେ। ଧୀରେ ଧୀରେ ଏ ଖବର ସବୁ ଆଡ଼େ ବ୍ୟାପୀ ଗଲା। ଲୋକେ ନିଜ ଲୋକ ଓ ସମ୍ପର୍କୀୟଙ୍କ ଖବର ନେବା ସହ ସୂଚନା ଦିଆ ନିଆ ହେଉଥିଲେ। ସେତେବେଳକୁ ପୋଲିସ ଲୋକଙ୍କୁ ସୁରକ୍ଷା ଦେବାକୁ ଅସ୍ତ୍ର ଶସ୍ତ୍ର ଧରି ରାସ୍ତାକୁ ଓହ୍ଲାଇ ସାରିଥିଲା।
ଅନ୍ୟପଟେ ଆତଙ୍କବାଦୀର ଆଉ ଏକ ଗ୍ରୁପ୍ କଫି ହାଉସ ଉପରେ ଆକ୍ରମଣ କରିଥିଲେ। ଆତଙ୍କୀଙ୍କ ଅନ୍ଧାଧୂନ୍ ଗୁଳି ମାଡ଼ରେ ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଏକ ଟ୍ୟାକ୍ସିକୁ ବୋମା ବିସ୍ଫୋରଣରେ ଉଡାଇ ଦେଇଥିଲେ। ଫଳରେ ଏହି ଘଟଣାରେ ବି ୫ ଜଣଙ୍କ ମୃତ୍ୟୁ ହୋଇଥିଲା। କସାବ ଗ୍ରୁପ୍ କାମ ହସ୍ପିଟାଲ୍ ଆଡକୁ ଧାଇଁଥିଲେ। ଏଠାରେ ଗେଟରେ ହିଁ ମୁମ୍ବାଇ ପୋଲିସର ସାହସୀ ପୋଲିସ ଅଧିକାରୀଙ୍କୁ ହତ୍ୟା କରିଥିଲେ କସାବ୍ ଗ୍ରୁପ୍ ସଦସ୍ୟ। ସେଠାରୁ ବାହାରି ଅସ୍ତ ଶସ୍ତ୍ର ଭର୍ତି ପୋଲିସ ଭ୍ୟାନକୁ ନେଇ ରାସ୍ତା କଡ଼ରେ ଥିବା ଲୋକଙ୍କୁ ଗୁଳି କରି ଥିଲେ। ଏହି ଗାଡିକୁ କିଛି ସାହସୀ ପୋଲିସ ଅଟକାଇଥିଲେ। ସାହସୀ ପୋଲିସ ମଧ୍ୟରେ ଥିଲେ ଏଏସଆଇ ତୁକାରାମ୍ ଓମବଲେ। ସେ ହିଁ କସାବକୁ ଛାତିରେ ଚାପି ଧରି ଥିଲା। ଏପରିକି ଛାତିରେ ଅନେକ ଗୁଳି ଲାଗିବା ପରେ ବି କସାବକୁ ଛାଡ଼ି ନଥିଲା ତୁକାରାମ। ଏହାପରେ କସାବକୁ ଜୀଅନ୍ତା ଧରିବାରେ ସଫଳ ହୋଇଥିଲେ।
ଏହାପରେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥିଲା ତାଜ୍ ଓ ଓବାରୟ ହୋଟେଲ୍। ରାତି ପାଖାପାଖି ୧୨ଟା ସମୟ ହୋଇଥାଏ। ପୋଲିସ ଗାଡି ନରୀମନ୍ ହାଉସ ଓ ତାଜ୍ ଆଡକୁ ଦ୍ରୁତ ଗତିରେ ମାଡ଼ି ଆସୁଥାଏ। ଏତିକିବେଳେ ତାଜ ହୋଟେଲରେ ଆତଙ୍କବାଦୀ ମାନେ ଧ୍ଵଂସ କରିବା ଆରମ୍ଭ କରି ଦେଇଥିଲେ। ହେଲେ ସିସିଟିଭି ଫୁଟେଜରୁ ଜଣା ପଡ଼ିଥିଲା ଯେ, ତାଙ୍କ ଆଗକୁ ଯିଏ ବି ଆସୁଛି ତାଙ୍କୁ ମାରି ଆଗକୁ ମାଡି ଚାଲିଛନ୍ତି। ତାଜ ହୋଟେଲରେ ଅନେକ ବୋମା ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ହେଲେ ସକାଳ ହେବା ଆଗରୁ କେନ୍ଦ୍ର ଏହି ମାମଲାକୁ ସ୍ପେଶଲ୍ କୋମାଣ୍ଡୋ ଫୋର୍ସ ମାର୍କୋସକୁ ହସ୍ତାନ୍ତର କରାଯାଇଥିଲା।ତେବେ ଦ୍ୱିପ୍ରହର ହେବା ପୂର୍ବରୁ ଏହାକୁ ବ୍ଳାକ କେଟ୍ କମାଣ୍ଡୋ ହାତକୁ ଦେଇ ଦିଆ ଯାଇଥିଲା।କମାଣ୍ଡୋ ଧୀରେ ଧୀରେ ନମିରନ୍ ହାଉସ, ତାଜ ଓ ଓବରାୟ ଆଡକୁ ଅଗ୍ରସର ହୋଇଥିଲେ। ସେଠାରୁ ଅନେକ ଲୋକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ।

ପରବର୍ତ୍ତୀ ଦିନ ଅର୍ଥାତ୍ ୨୮ ତାରିଖ ସକାଳ ସମୟରେ କମାଣ୍ଡୋଙ୍କୁ ଏମ୍ଆଇ ୬ ହେଲିକପ୍ଟର ସାହାଯ୍ୟରେ ନାରିମନ୍ ହାଉସର ଛାତ ଉପରକୁ ଓହ୍ଲା ଯାଇଥିଲା। ଏପରିକି ଏହାର ଆଖ ପାଖ କୋଠାରେ ପୂର୍ବରୁ ମୁତୟନ କରାଯାଇଥିଲା। ଆତଙ୍କବାଦୀ ଓ କମାଣ୍ଡୋଙ୍କ ମଧ୍ୟରେ ଗୁଳି ବର୍ଷା ଜାରି ରହିଥିଲା। କିଛି ଲୋକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା। ତାସହ ଆତଙ୍କବାଦୀଙ୍କୁ ସଫା କରି ନରିମନକୁ ସୁରକ୍ଷିତ ଘୋଷଣା କରାଯାଇଥିଲା। ଏହିପରି ଭାବେ ରାତି ଅଢେଇ ବଜେ ତକ୍ ହୋଟେଲ ଓବରାୟରେ ମଧ୍ୟ ଆତଙ୍କବାଦୀଙ୍କୁ ମାରି ଦିଆ ଯାଇଥିଲା।
ଶେଷରେ ତାଜ ହୋଟେଲ୍ ଭିତରେ ପଶି ଆତଙ୍କବାଦୀଙ୍କୁ ହତ୍ୟା କରି ସୁରକ୍ଷିତ ଘୋଷଣା କରାଯାଇଥିଲା। ହେଲେ ସେତେବେଳକୁ ଆତଙ୍କବାଦୀ ମାନେ ସେଠାରେ ବହୁ ଧ୍ଵଂସ କରି ସାରିଥିଲେ। ହୋଟେଲରେ ଥିବା ସମସ୍ତ ଆତଙ୍କବାଦୀଙ୍କୁ ମାରିବା ସହ ଜୀବନ୍ତ ଜଣକୁ ଗିରଫ କରାଯାଇଥିଲା। ଗିରଫ ହୋଇଥିବା ମୃତ୍ୟୁର ସୌଦାଗର ଜଣକ ହେଲା ଆଫଜଲ୍ କସାବ୍। କସାବକୁ ସଂଜୟ ଗୋୱିଲକର୍ ଧରିଥିଲେ। ପରେ ତାଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିଥିଲା। ନଭେମ୍ବର ୨୧ ୨୦୧୨ ମସିହାରେ ପୁନେର ୟରୱଦା ଜେଲରେ କସାବକୁ ଫାଶୀ ଦିଆ ଯାଇଥିଲା। ୨୬/୧୧ର ଏହି ଲୋମହର୍ଷଣକାରୀ ଘଟଣାରେ ୧୭୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୩୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ।
