ସ୍କ୍ରବ ଷ୍ଟ୍ରାଇଫସ୍ କଣ, ଜାଣି ନାହାନ୍ତି କୃଷି ଅଧିକାରୀ

ଓଡ଼ିଶାବଡ଼ ଖବରସ୍ପେଶାଲ

ଏନ୍ଏନ୍ ବ୍ୟୁରୋ I ବଲାଙ୍ଗିର ଜିଲ୍ଲାରେ ବ୍ୟାପିବାରେ ଲାଗିଛି ସ୍କ୍ରବ ଷ୍ଟ୍ରାଇଫସ୍ I ଏପରିକି ଗତ ଦୁଇ ମାସ ମଧ୍ୟରେ ୩୩୭ଟି ମାମଲା ଚିହ୍ନଟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସବୁ ଡାକ୍ତରଖାନାରେ ବ୍ୟବସ୍ଥା କରାଯାଇଛି। ଲକ୍ଷଣ ଦେଖା ଦେଲେ ତୁରନ୍ତ ଡାକ୍ତରଖାନା ଆସିବାକୁ ଡାକ୍ତର ପରାମର୍ଶ ଦେବା ସହ ସରକାରୀ ଡାକ୍ତରଖାନାରେ ମାଗଣାରେ ପରୀକ୍ଷା ଓ ଚିକିତ୍ସା କରାଯାଉଛି I ହେଲେ ଆଶ୍ଚର୍ଯ୍ୟର କଥା ସ୍କ୍ରବ ଷ୍ଟ୍ରାଇଫସ୍ କଣ ଜାଣି ନାହାନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ I

ସ୍କ୍ରବ ଷ୍ଟ୍ରାଇଫସ୍ କବଳରେ ଏବେ ସାରା ଓଡ଼ିଶା I ଚିଗର ପୋକ କାମୁଡାରୁ ଏହି ରୋଗ ବ୍ୟାପୁଥିବା ବେଳେ କିଛି ଲୋକ ମୃତ୍ୟୁର ଶିକାର ହେଉଥିବା ଅଭିଯୋଗ ଆସିଛି। ଏପଟେ ବଲାଙ୍ଗିରରେ ବି ସ୍କ୍ରବ ଷ୍ଟ୍ରାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି I ଗତ ଦୁଇ ମାସ ମଧ୍ୟରେ ୩୩୭ ଜଣ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଗତ ଅଗଷ୍ଟ ମାସରେ ମୋଟ ୫୦୬ଟି ନମୁନା ପରୀକ୍ଷା ହୋଇଥିଲା। ସେଥିମଧ୍ୟରୁ ୧୭୨ ଟି ନମୁନା ପଜିଟିଭ ଆସିଥିଲା। ସେହିପରି ସେପ୍ଟେମ୍ବର ମାସରେ ୭୭୭ଟି ପରୀକ୍ଷା କରାଯାଇଥିବା ବେଳେ ୧୬୫ଜଣଙ୍କ ନମୁନା ପଜିଟିଭ ଆସିଥିଲା I ସେଥିମଧ୍ୟରୁ ପ୍ରାୟ ସମସ୍ତେ ଚିକିତ୍ସିତ ହୋଇ ଠିକ ହୋଇ ସାରିଥିବା ବେଳେ କିଛି ଲୋକ ମେଡିକାଲରେ ଭର୍ତ୍ତି ଥିବା ବିଭାଗ ସୂଚନା ଦେଇଛି। ହେଲେ ଏଯାଏଁ କାହାରି ମୃତ୍ୟୁ ହୋଇନ ଥିବା ସିଡିଏମଓ କହିଛନ୍ତି।

ଅନ୍ୟପଟେ ଜିଲ୍ଲାରେ ଏହି ମାମଲା ବୃଦ୍ଧି ପାଉଥିବାରୁ ସ୍ୱାସ୍ଥ୍ୟ ବିଭାଗ ବ୍ୟାପକ ପଦକ୍ଷେପ ନେଇଛି। ସବୁ ଡାକ୍ତରଖାନାରେ ଡାକ୍ତରମାନଙ୍କୁ ଏଡ଼ଭାଇଜରି ଜାରି ହୋଇଛି। ଲକ୍ଷଣ ଥିବା କିମ୍ବା ଲକ୍ଷଣ ନ ଥିବା ରୋଗୀଙ୍କୁ ଅଧିକ ପରୀକ୍ଷା ପାଇଁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନା ପଠାଇବାକୁ ନିର୍ଦେଶ ଜାରି ହୋଇଛି। ତେବେ ଏଠି ଏଲିସା ମେସିନ ଥିବା ସହ ଶୀଘ୍ର ଏସବୁର ପରୀକ୍ଷା ହୋଇ ଉପଯୁକ୍ତ ଚିକିତ୍ସା କରାଯାଉଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ସେପଟେ କିନ୍ତୁ ସ୍କ୍ରବ ଷ୍ଟ୍ରାଇଫସ୍ କଣ କିଛି ବି ଜାଣି ନାହାନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବାଷ ଚନ୍ଦ୍ର ବେହେରା I ଚିଗର ପୋକ ନେଇ ଚାଷୀ ଭୟଭୀତ ଥିବାବେଳେ କୃଷି ବିଭାଗ ଏନେଇ ଖବର ନଥିବା କହି ହାତ ଟେକି ଦେଇଛି I ସ୍କ୍ରବ ଷ୍ଟ୍ରାଇଫସ୍ କଣ, ଚିଗର ପୋକ କେମିତିକା ଦିଶେ ସେବାବଦରେ କିଛି ଜାଣି ନଥିବା କହିଛନ୍ତି କୃଷି ଅଧିକାରୀ I ସେ ଚାଷୀଙ୍କୁ ପରାମର୍ଶ ଦେବେ କଣ ଓଲଟା ତାଙ୍କୁ କୃଷି ବିଶେଷଜ୍ଞଙ୍କ ପରାମର୍ଶ ଦରକାର I ଦେଖାଯାଉ ଚାଷୀଙ୍କ ସୁରକ୍ଷା ପ୍ରତି ଏ ଅନଭିଜ୍ଞ କୃଷି ଅଧିକାରୀଙ୍କ ମୁଣ୍ଡରେ କେବେ ଚେତା ପଶୁଛି !

Leave a Reply